ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଇତିହାସରେ ଅନାଲୋଚିତ କୁଡ଼ାବଗା ଜମିଦାରଙ୍କ ଅବଦାନ, ସମ୍ଭାଳୁଥିଲେ ବୀର ସୁରେନ୍ଦ୍ରଙ୍କ ଅସ୍ତ୍ରାଗାର

ସମ୍ବଲପୁର, ୧୯/୦୬ : ବୀର ସୁରେନ୍ଦ୍ର ସାଏଙ୍କ ସମେତ ଅନେକ ସଂଗ୍ରାମୀ ଦେଶର ସ୍ୱାଧୀନତା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ସଂଗ୍ରାମୀଙ୍କ ବଳିଦାନକୁ ଇତିହାସରେ ଉପେକ୍ଷା କରାଯାଇଛି । ଏବେ ଜଣକ ପରେ ଜଣେ ସଂଗ୍ରାମୀଙ୍କ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୁରେନ୍ଦ୍ର ସେନାର ଜଣେ ଅନନ୍ୟ ବୀର ତଥା ସୁରେନ୍ଦ୍ରଙ୍କ ଅସ୍ତ୍ରାଗାର ଦାୟିତ୍ୱ ସମ୍ଭାଳିଥିବା ଝାରସୁଗୁଡ଼ା ଜିଲ୍ଲାର କୁଡ଼ାବଗା ଜମିଦାର ଅଞ୍ଜୋର ସିଂହଙ୍କ ବଳିଦାନ କାହାଣୀ ଲୋକଲୋଚନକୁ ଆସିଛି । ସମ୍ବଲପୁର ଜେଲ୍‌ରେ ୧୮୬୦ ଜୁନ୍‌ ୨୧ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜାତୀୟ ଅଭିଲେଖାଗାରରୁ ଜଣାପଡିଛି । ସେହିପରି ତାଙ୍କ ସଂଗ୍ରାମକୁ ନେଇ ଅନେକ ରୋଚକ ତଥ୍ୟ ଜଣାପଡ଼ିବା ପରେ କୁଡ଼ାବଗାବାସୀ ସ୍ମୃତିରକ୍ଷା ପାଇଁ ଲାଗି ପଡ଼ିଛନ୍ତି । ତାଙ୍କ ଦେହାବସାନର ଦୀର୍ଘ ୧୬୪ ବର୍ଷ ପରେ କୁଡ଼ାବଗାରେ ପ୍ରଥମ କରି ପାଳନ ହେବାକୁ ଯାଉଛି ସହିଦ ଦିବସ । ଏଥିପାଇଁ ଗାଁ ଚଳଚଞ୍ଚଳ ହୋଇଉଠିଛି । 

ବ୍ରିଟିଶ ବିରୁଦ୍ଧରେ ୧୮୨୭ରୁ ୧୮୪୦ ଓ ୧୮୫୭ ରୁ ୧୮୬୨ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ହେଇଥିବା ସମ୍ବଲପୁର ସଂଗ୍ରାମର ମୁକ୍ତି ଯଜ୍ଞରେ ଅନେକ ମାଟି ପୁତ୍ର ନିଜ ଜୀବନକୁ ଆହୂତି ଦେଇଥିଲେ । ସଂଗ୍ରାମୀଙ୍କ ମଧ୍ୟରୁ ଅନେକଙ୍କ ବଳିଦାନକୁ ଇତିହାସ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଆସିଛି । ଏପରିକି ୧୯୮୫ ମସିହା ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ କେହି ମନେ ପକାଉ ନଥିଲେ । ଏବେ କ୍ରମାନ୍ୱୟରେ ଜଣେ ପରେ ଜଣେ ସୁରେନ୍ଦ୍ର ସାଏଙ୍କ ସହଯୋଗୀ ସଂଗ୍ରାମୀ ତଥା ସେମାନଙ୍କ ଅବଦାନ ଲୋକଲୋଚନକୁ ଆସିବାରେ ଲାଗିଛି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ମହାନଦୀ କୂଳରେ ଥିବା କୁଡାବଗା ଗାଁରେ କେଉଁ କାଳରୁ ଜମିଦାରୀ ଶାସନ ଚାଲି ଆସିଥିଲା । ହୀରାକୁଦ ବନ୍ଧରେ ଏହି ଗାଁ ଜଳସମାଧି ନେବା ପରେ ଜଳଭଣ୍ଡାର ଉପକଣ୍ଠରେ ଏହି ବିସ୍ଥାପିତ ଲୋକେ ବସତି ସ୍ଥାପନ କରିଛନ୍ତି । ତେବେ ଏହି ଗାଁର ତତ୍କାଳୀନ ଜମିଦାର ଅଞ୍ଜୋର ସିଂହ ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଥିଲେ ବୋଲି ଅଞ୍ଚଳବାସୀ ଅବଗତ ଅଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ସଂଗ୍ରାମୀ ଜୀବନ ନେଇ କାହାରି ପାଖରେ କୌଣସି ସୂଚନା ନ ଥିଲା । 

ନିର୍ଦ୍ଧିଷ୍ଟ ଭାବେ ତାଙ୍କ ଜନ୍ମ ତିଥି ବା ତିରୋଧାନ ଦିବସ ନେଇ ବି କୌଣସି ସୂଚନା ନ ଥିବାରୁ ଗ୍ରାମବାସୀ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନେଇ ପାରୁ ନ ଥିଲେ । ଗ୍ରାମବାସୀ ଅଞ୍ଜୋରଙ୍କ ସମେତ ନିକଟରେ ଥିବା ମଚିଦା ଜମିଦାର ଧନୁ ସିଂଙ୍କ ସଂକ୍ରାନ୍ତରେ ତଥ୍ୟ ହାସଲ କରିବାକୁ ଐତିହାସିକ ଦୀପକ ପଣ୍ଡାଙ୍କୁ ଜଣାଇଥିଲେ । ଶ୍ରୀ ପଣ୍ଡା ଏ ନେଇ ସମ୍ବଲପୁର ଅଭିଲେଖାଗାର ଏବଂ ଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରରେ ବିଭିନ୍ନ ଦଲିଲ ଏବଂ କାଗଜପତ୍ରକୁ ଅନୁଧ୍ୟାନ କରିବା ପରେ ଅଞ୍ଜୋର ଏବଂ ଧନୁଙ୍କ ବାବଦରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ୧୮୬୪ରେ ଯେତେବେଳେ ଅଧିକାଂଶ ସଂଗ୍ରାମୀଙ୍କୁ ଷଡ଼ଯନ୍ତ୍ର ମୂଳକ ଭାବେ ଗିରଫ କରାଗଲା ସେତେବେଳେ ଅଞ୍ଜୋର ସିଂହ ଓ ଧନୁ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସମ୍ବଲପୁରରେ ସେମାନଙ୍କ ବିଚାର କରାଯାଇ ସାତ ବର୍ଷ ଲେଖାଏ କାରାଦଣ୍ଡ ଦିଆଯାଇଥିଲା । ୧୮୬୦ ଜୁନ ୨୧ରେ ସମ୍ବଲପୁର କାରାଗାରରେ ଅଞ୍ଜୋର ସିଂହଙ୍କ ପରଲୋକ ଘଟିଥିବା ନେଇ ଅଭିଲେଖାଗାର ତଥ୍ୟରୁ ଜଣାପଡିଛି । ଏହି ତଥ୍ୟ ଜଣାପଡିବା ପରେ କୁଡାବଗା ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । 

ପ୍ରଥମ କରି ଅଞ୍ଜୋରଙ୍କ ବଳିଦାନ ଦିବସ ତଥା ସହିଦ ଦିବସ ପାଳନ କରିବାକୁ ଗ୍ରାମବାସୀ ଲାଗି ପଡିଛନ୍ତି । ଆଉ ଦୁଇଦିନ ପରେ ଆସନ୍ତା ୨୧ ତାରିଖରେ କୁଡାବଗାରେ ଏହି ସହିଦ ଦିବସ ପାଳନ ହେବ ବୋଲି ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସମ୍ବଲପୁର ସଂଗ୍ରାମ ପାଇଁ ପାର୍କସନ ଓ ମ୍ୟାଚଲକ ନାମକ ବନ୍ଧୁକ ବିଭିନ୍ନ ସୂତ୍ରରୁ ଯୋଗାଡ କରାଯାଉଥିବା ବେଳେ ଖଣ୍ଡା, କୁରାଢ଼ି ବର୍ଚ୍ଛା ଆଦି ପାଇଁ ଦୁଇଟି ଅସ୍ତ୍ରଶସ୍ତ୍ର ନିର୍ମାଣ କେନ୍ଦ୍ର ସ୍ଥାପିତ ହୋଇଥିଲା । ଗୋଟିଏ ବରଗଡ଼ ଜିଲ୍ଲାର ପାହାଡଶ୍ରୀଗିଡାର ଯୋବ ଗାଁରେ ଥିବା ବେଳେ ଅନ୍ୟଟି କୁଡାବଗାରେ ଥିଲା । କୁଡାବଗାର ଏହି ଅସ୍ତ୍ରାଗାର ଅଞ୍ଜାର ସିଂହଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଅଞ୍ଜାର ସିଂହଙ୍କ ପରେ ତାଙ୍କ ପୁତ୍ର ରତନ ସିଂହ ଓ ରତନଙ୍କ ପରେ ତାଙ୍କ ପୁତ୍ର ଗୋବିନ୍ଦ ସିଂହ ଜମିଦାର ହୋଇଥିଲେ । ଗୋବିନ୍ଦ ସିଂହଙ୍କ ପୁତ୍ର ନ ଥିଲେ । ଗୋବିନ୍ଦ ସିଂହଙ୍କ ପତ୍ନୀ ମଲ୍ଲୀ କୁମାରୀ ଦେବୀଙ୍କ ବିୟୋଗ ପରେ କୁଡାବଗା ଜମିଦାର ପରିବାରର ଜ୍ୱାଇଁ ଭେଡେନ ଜମିଦାର ବଳରାମ ସିଂହଙ୍କୁ ୧୯୩୩ରେ ଜମିଦାରୀ ଦିଆଯାଇଥିଲା । ଜମିଦାରୀ ଉଚ୍ଛେଦ ସମୟରେ ବଳରାମଙ୍କ ପୁତ୍ର ବୃକୋଦର ସିଂହ ଉଭୟ ଭେଡେନ ଓ କୁଡାବଗାର ଜମିଦାର ଥିଲେ । ଧନୁ ସିଂହ ୧୮୭୧ରେ କାରାଗାରରୁ ମୁକ୍ତି ପାଇଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ହରି ସିଂହ ଏବଂ ହରିଙ୍କ ପରେ ଲାଲ୍‌ ବାହାଦୁର ସିଂହ ଜମିଦାର ହୋଇଥିଲେ । ସେ ଅପୁତ୍ରିକ ଥିବାରୁ ପାହାଡ଼ଶ୍ରୀଗିଡ଼ା ଜମିଦାର ପରିବାରର ପ୍ରେମାନନ୍ଦ ସିଂହଙ୍କୁ ପୌଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମର ଏହି ଅନାଲୋଚିତ ବୀରଙ୍କ କାହାଣୀ ସାମ୍ନାକୁ ଆସିବା ପରେ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବି ସ୍ମୃତିରକ୍ଷା ପାଇଁ ଉତ୍ସୁକତା ପ୍ରକାଶ ପାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.