ନୂଆଦିଲ୍ଲୀ ୦୫/୦୮: ଚୀନ୍ର ଚେନ୍ ସି ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଏବେ ଚର୍ଚ୍ଚାରେ । ଦେଶରେ ଆତ୍ମହତ୍ୟାର ସ୍ଥଳ ଭାବେ ପରିଚିତ ନାନ୍ଜିଙ୍ଗ ସହରର ୟାଙ୍ଗଜେ ନଦୀ ପୋଲରେ ସେ ସ୍ୱେଚ୍ଛାକୃତ ଭାବେ ପାଟ୍ରୋଲିଂ କରିଥାନ୍ତି । ବିଗତ ୨୧ ବର୍ଷ ମଧ୍ୟରେ ସେଠାରୁ ମୋଟ ୪୬୯ ଜଣଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିଛନ୍ତି ସେ । ତାଙ୍କର ଏହି କାର୍ଯ୍ୟଲାଗି ତାଙ୍କୁ ଶ୍ରଦ୍ଧାରେ ସ୍ଥାନୀୟ ଲୋକେ ‘ନାନ୍ଜିଂର ଦେବଦୂତ’ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି ।
ସିଙ୍କର ଏହି ଉଦ୍ୟମ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା । ସେ ୟାଙ୍ଗଜେ ପୋଲରେ ବୁଲୁଥିବାବେଳେ ଜଣେ ଯୁବତୀଙ୍କୁ ବିବ୍ରତ ଅବସ୍ଥାରେ ଦେଖିଥିଲେ । ଯୁବତୀଙ୍କର ମାନସିକ ସ୍ଥିତି ଠିକ୍ ନଥିବା ଅନୁମାନ କରି ସେ ତାଙ୍କ ସହିତ କଥାବାର୍ତ୍ତା କଲେ । ମଧ୍ୟାହ୍ନଭୋଜନ ମଗାଇ ତାଙ୍କ ସହିତ ଖାଇଲେ । ଏହାପରେ ତାଙ୍କୁ ଘରକୁ ଫେରିବା ଲାଗି ବସ୍ ଟିକେଟ୍ ମଧ୍ୟ କିଣିଦେଲେ । ସେଦିନ ସେହି ଯୁବତୀ ଆତ୍ମହତ୍ୟା କରିବା ଲାଗି ଘରୁ ମନସ୍ଥ କରି ଆସିଥିଲେ । ତା’ ପରଠାରୁ ବିଗତ ୨୧ ବର୍ଷ ହେଲା ସି ଦୈନିକ ୧୦ ଥର ନିଜର ଇଲେକ୍ଟ୍ରିକ୍ ସ୍କୁଟରରେ ପୋଲକୁ ଅତିକ୍ରମ କରିଥାନ୍ତି ।
ସେ ପିନ୍ଧିଥିବା ନାଲି ରଙ୍ଗର ଜ୍ୟାକେଟ୍ରେ ଜୀବନକୁ ଉପଭୋଗ କର ବୋଲି ଲେଖା ହୋଇଥାଏ । ଅତ୍ୟନ୍ତ ଅନ୍ୟମନସ୍କ ଭାବେ ଏକୁଟିଆ ବୁଲୁଥିବା ଲୋକଙ୍କୁ ଦେଖିବା ମାତ୍ରେ ସେ ଅଟକି ସେମାନଙ୍କ ସହ ଆଲୋଚନା କରନ୍ତି । କୌଶଳକ୍ରମେ ପରିଜନଙ୍କର ଠିକଣା ସଂଗ୍ରହ କରି ସେମାନଙ୍କୁ ଖବର ମଧ୍ୟ ଦେଇଥାନ୍ତି । ପତି/ପତ୍ନୀଙ୍କ ଦ୍ୱାରା ପ୍ରତାରିତ, ପ୍ରେମରେ ବିଫଳ, ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ବହୁ ଲୋକଙ୍କୁ ସେ ଆତ୍ମହତ୍ୟା କରିବାରୁ ରକ୍ଷା କରିଛନ୍ତି । ଏପରିକି ବେଳେବେଳେ ସେମାନଙ୍କୁ ଆଣି ସେ ନିଜ ଭଡ଼ା ଘରେ ମଧ୍ୟ ରଖିଥାନ୍ତି । ସି କହିଛନ୍ତି, ଚିନ୍ତାଗ୍ରସ୍ତ ଥିବା ଲୋକଙ୍କର ଶାରିରୀକ ଗତିବିଧି ଅଲଗା ପ୍ରକାର ହୋଇଥାଏ । ସେଥିରୁ ସେମାନଙ୍କୁ ମୁଁ ଚିହ୍ନଟ କରେ । ଜୀବନଥିବା ଯାଏ ଏହି କାମ ଜାରି ରଖିବେ ବୋଲି ସେ ପ୍ରକାଶ କରିଛନ୍ତି । ଚେନ୍ ସିଙ୍କର ଏହି କାହାଣୀକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଛି । ସେହି ଚଳଚ୍ଚିତ୍ର ଅନେକଗୁଡି଼ଏ ପୁରସ୍କାର ପାଇଛି ।