ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା

ପୁରୀ, ୨୬/୦୬ : ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପଡ଼ୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ପାରିବେନି ଭକ୍ତ । ପହଣ୍ଡିରେ ମନ୍ଦିର ବାହାରକୁ ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳିବ । ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତାଛଡ଼ା ଏଥର ରଥଯାତ୍ରାରେ ସମସ୍ତ ନୀତିକୁ ସଅଳ କରାଯିବାକୁ ପରିଚାଳନା କମିଟିରେ ସ୍ଥିର ହୋଇଛି । ଜୁଲାଇ ୭ ତାରିଖରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଅଣସରରୁ ସୁସ୍ଥ ହୋଇ ଫେରିବା ପରେ ରଥଯାତ୍ରା ପୂର୍ବ ଦିନ ନବଯୌବନ ଦର୍ଶନ କରିବାକୁ ଅପେକ୍ଷା କରିଥାନ୍ତି ଭକ୍ତ । 

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡ଼ୁଛି । ତେଣୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କିମ୍ବା ଟିକଟ ଯୋଗେ ପହଣ୍ଡି ଦର୍ଶନର ସୁଯୋଗ ମିଳିବନି । ସିଧାସଳଖ ରଥ ଉପରେ ଜ୍ୱରରୁ ସୁସ୍ଥ ହୋଇଥିବା ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ । ଏଥିସହ ଶ୍ରୀଗୁଣ୍ଡିଚାରେ ରଥ ଟାଣିବାର ସୁଯୋଗ ସମସ୍ତଙ୍କୁ ମିଳିବ । ୧୯୭୧ ମସିହା ଭଳି ଚଳିତବର୍ଷ ୧୩ ଦିନିଆ ପକ୍ଷ ପଡ଼ିଥିବାରୁ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପାଳନ କରିବାକୁ ପ୍ରଶାସନିକ ପ୍ରସ୍ତୁତି ହେଉଛି । ଆସନ୍ତା ମାସ ୬ ତାରିଖ ସକାଳ ୮.୪୫ରେ ପଟି ଦିଅଁଙ୍କଠାରୁ ରଥ ଆଜ୍ଞାମାଳ ବାହାରିବ । ପ୍ରତିବର୍ଷ ଦାରୁବ୍ରହ୍ମଙ୍କଠାରୁ ଆଜ୍ଞାମାଳ ଯାଇଥାଏ । ମାତ୍ର ଠାକୁରଙ୍କ ଗୁପ୍ତନୀତି ଶେଷ ହୋଇ ନଥିବ । ତେଣୁ ପ୍ରଶାସନ ପକ୍ଷରୁ ପଟି ଦିଅଁଙ୍କଠାରୁ ରଥ ଆଜ୍ଞାମାଳ ବିଜେ ପ୍ରସ୍ତୁତି ହୋଇଛି । ରଥ ଆଜ୍ଞାମାଳ ଯିବା ପରେ ରଥଖଳାରୁ ୩ ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଭିଡ଼ା ଯାଇ ପହଞ୍ଚିବ । ଏହି ଦିନ ରାତିରେ ଦଇତାପତିମାନେ ବାହୁଟକଣ୍ଟ ଓ କୁସୁମି ଲାଗି ନୀତି ରାତି ୧୧ଟା ସୁଦ୍ଧା ଶେଷ କରିବେ । ରଥଟଣା ଅପରାହ୍ନ ୫ଟା ସୁଦ୍ଧା କରିବା ନିମନ୍ତେ ନୀତି ସହ ସମ୍ପୃକ୍ତ ସେବାୟତଙ୍କ ସହ ମଧ୍ୟ ପ୍ରଶାସନ ପକ୍ଷରୁ ବିଶେଷ ସମନ୍ୱୟ ରଖିବା ନିମନ୍ତେ ଆଲୋଚନା ହୋଇସାରିଛି । 

ନୀତି ସହ ସମ୍ପୃକ୍ତ ସେବାୟତମାନେ ପାଳି ପଡ଼ିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଦଣ୍ଡାୟମାନ ହେବେ । ପୂର୍ବବର୍ଷ ରଥଯାତ୍ରାମାନଙ୍କରେ ନୀତି ପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଡକରା ଯାଉଥିଲା । ମାତ୍ର ଶ୍ରୀଗୁଣ୍ଡିଚା ନୀତିକୁ ଶୀଘ୍ର ପରିଚାଳନା ନିମନ୍ତେ ନୀତି ସମ୍ପୃକ୍ତ ସେବାୟତଙ୍କୁ ସେମାନଙ୍କ ପାଳି ପଡ଼ିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିବାକୁ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ ଲୋଡ଼ିଛି । ଏହି ଦିନ ରାତି ୨ଟାରେ ମଙ୍ଗଳ ଆଳତି ସହ ନୀତି ବଢ଼ିବ । ସକାଳ ୪ଟାରେ ନେତ୍ରୋତ୍ସବ ବନ୍ଦାପନା, ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୩ଟା ଭିତରେ ସେନାପଟା ଲାଗି, ରଥ ପ୍ରତିଷ୍ଠା ଦିନ ୧୧ଟା, ପହଣ୍ଡି ଦିନ ୧.୧୦ରୁ ହୋଇ ସାଢ଼େ ୨ଟାରେ ଶେଷ, ଛେରାପହଁରା ଦିନ ୪ଟା ଓ ରଥଟଣା ଦିନ ୫ଟାକୁ ସ୍ଥିରୀକୃତ କରାଯାଇଛି । ୭ ତାରିଖ ସନ୍ଧ୍ୟାରେ ଯେଉଁ ସ୍ଥାନରେ ଯେଉଁ ରଥ ଅଟକି ରହିବ ପର ଦିନ ପୁଣି ସେଠାରୁ ରଥ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଯିବ । ଏଥିନିମନ୍ତେ ପୁରୀ ସହରରେ ଦୁଇଦିନ ଧରି ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । 

୮ ତାରିଖରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ । ଏହା ପରଦିନ ରଥ ଉପରୁ ଠାକୁରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ । ତେଣୁ ୧୦ ତାରିଖରେ ଶ୍ରଦ୍ଧାଳୁମାନେ ଆଡ଼ପ ଅବଢ଼ା ପାଇବେ । ଏନେଇ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ଦୁର୍ଗା ପ୍ରସାଦ ଦାସମହାପାତ୍ର କହିଛନ୍ତି, ଶ୍ରୀଗୁଣ୍ଡିଚାକୁ ୧୯୭୧ ମସିହା ଭଳି କରାଯିବ । ମାତ୍ର ଚଳିତ ବର୍ଷ ନୀତିକୁ ବହୁ ଶୀଘ୍ର କରାଯିବ । ତେଣୁ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବାର ସୁଯୋଗ ମିଳିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମହାପ୍ରଭୁଙ୍କ ଇଛା ଥିଲେ ନୀତି ନିର୍ଘଣ୍ଟ ଠିକ୍‌ ସମୟରେ ପରିଚାଳିତ ହେବ ।    ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ, ପରିଚାଳନା କମିଟିର ଅନ୍ୟ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସକ ଯୋଗ ଦେଇଥିଲେ । ବୈଠକରେ ୧ ତାରିଖରୁ ଆରମ୍ଭ ହୋଇଥିବା ଚକା ବିଜେଠାରୁ ୧୯ ତାରିଖ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚିଠା ନୀତି ନିର୍ଘଣ୍ଟକୁ କମିଟି ଆବଶ୍ୟକ ସଂଶୋଧନ ସହ ଅନୁମୋଦନ କରିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.