ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିରନିଦ୍ରାରେ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା, ଆଜି ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଭୁବନେଶ୍ୱର,୦୨/୦୪: ଭଜି ଭଜି ତୋ ନାମ ଚକାନୟନ... ଯାଉ ଜୀବନ... । ସତରେ... ଏ ଗୀତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ହିଁ ଲେଖା ହୋଇଥିଲା । ଆଉ ତାଙ୍କର ଆଶୀର୍ବାଦରୁ ସେ ହିଁ ଗାଇଥିଲେ । ଜୀବନ ସାରା କେବଳ ମହାପ୍ରଭୁଙ୍କ ନାମ...  ସଙ୍ଗୀତ ପାଇଁ ଜୀବନକୁ ସମର୍ପି ଥିବା ଶାନ୍ତିଲତା ସୋମବାର ଚିରନିଦ୍ରାରେ । ସବୁଦିନ ପାଇଁ ନିରବିଗଲା ଭଜନସାମ୍ରାଜ୍ଞୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱର । ସେ ଅନେକ ଗୀତ ଗାଇଛନ୍ତି, ଯାହାର ହିସାବ ନାହିଁ । ଶାନ୍ତିଲତା ଆଉ ନାହାନ୍ତି ସତ ମାତ୍ର ତାଙ୍କ କଣ୍ଠ ନିଃସୃତ କାଳଜୟୀ ଗୀତ ତାଙ୍କୁ ଚିରକାଳ ଅମର ରଖିବ । 

ଓଡ଼ିଆ ଭକ୍ତି ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ତଥା ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ଏବଂ ସମସ୍ତଙ୍କ ପ୍ରିୟ ଶାନ୍ତି ଅପା ଆଉ ନାହାନ୍ତି । ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ୬୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ମଙ୍ଗଳବାର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସ୍ୱାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । 

୧୯୬୦ ମସିହା ଅକ୍ଟୋବର ୧ରେ ଜନ୍ମିତା ଶାନ୍ତିଲତା ୨୦୧୧ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏ ନେଇ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଜଣାପଡ଼ିଥିଲା । ଏହାପରେ ନିୟମିତ ଚିକିତ୍ସିତ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା । ମହାମାରୀ କରୋନା ପରେ ୨୦୨୨ରେ ସେ ପୁଣି ଅସୁସ୍ଥ ହୋଇପଡ଼ିଲେ । ସେବେଠାରୁ ଚିକିତ୍ସା ଜାରି ରହିଥିଲା । ଏହାପରଠୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ସୋମବାର ଅଧିକ ଅସୁସ୍ଥ ହେବାରୁ ରାତି ୮ଟାରେ ତାଙ୍କୁ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ମରଶରୀରକୁ ପୁରୁଣା ଭୁବନେଶ୍ୱର କେଦାରଗୌରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ଶୁଭେଚ୍ଛୁ, ଅନୁରାଗୀ, ସଙ୍ଗୀତପ୍ରେମୀ, ଶିଷ୍ୟଶିଷ୍ୟା ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇ ପୁଅ, ଗୋଟିଏ ଝିଅ, ପରିବାରବର୍ଗ, ବନ୍ଧୁ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । 

ସଙ୍ଗୀତ ତପୋବନର ତପସ୍ୱିନୀ ଥିଲେ ଶାନ୍ତିଲତା । ଓଡ଼ିଆ ଭକ୍ତି ସଙ୍ଗୀତର ସେ ଭିନ୍ନ ଏକ ସ୍ରୋତସ୍ୱିନୀ । ଯିଏ ବହି ଯାଇଛି ହୃଦୟରୁ ହୃଦୟ ଉପକୂଳକୁ । ୪ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ସଙ୍ଗୀତ ପରମ୍ପରାର ଏହି ସ୍ରୋତ ତା’ କଳା କଲ୍ଲୋଳ ରାଗିଣୀରେ ଓଡ଼ିଆ ଜନ ଜୀବନକୁ ମୁଖରିତ କରି ଆସିଥିଲା । ତା’ର ଉଦାର ଉପହାରରେ ସଙ୍ଗୀତ କାନନ ସବୁଜ ଶ୍ୟାମଳ ଶ୍ରୀମଣ୍ଡିତ ହୋଇଛି । ବାଗ୍‌ଦେବୀଙ୍କ କନ୍ୟା ଭାବେ ନିରଳସ ସଙ୍ଗୀତ ସାଧନାରେ ସେ ସତତ ନିମଗ୍ନା ଥିଲେ । ଶାନ୍ତିଲତା ସଙ୍ଗୀତକୁ ଜୀବନର ଅଭିନ୍ନ ଅଂଶ ଭାବେ ଗ୍ରହଣ କରି ବିଭୁ ଆରାଧନା ଓ ଈଶ୍ୱର ଅର୍ଚ୍ଚନାର ନୈବେଦ୍ୟ ଭାବେ ଅର୍ପଣ କରି ଆସିଥିଲେ । ପାରମ୍ପରିକ ଓଡ଼ିଶୀ, ପଲ୍ଲୀ, ସୁଗମ, ଛାନ୍ଦ, ଚମ୍ପୁ, ଚଉପଦି, ଚଉତିଶା ଠାରୁ ଭଜନ, ଜଣାଣ ଭଳି ବିବିଧ ଗାୟନରେ ନିଜ ଅମ୍ଲାନ ପ୍ରତିଭାର ସ୍ୱାକ୍ଷରକୁ ସ୍ପଷ୍ଟ କରି ସେ ସର୍ଜିଛନ୍ତି ସୃଜନୀର ଏକ ପ୍ରଶସ୍ତ ବଳୟ । ସବୁବେଳେ ପାରମ୍ପରିକ ଶୈଳୀକୁ ଗୁରୁତ୍ୱ ଦେଇଆସୁଥିଲେ । ମାତ୍ର ଭକ୍ତି ଗୀତ ଗାୟନରେ ସର୍ବାଧିକ ପ୍ରସିଦ୍ଧି ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଗାୟନ ମଧ୍ୟରେ ‘ବାସନ୍ତୀ ଅପା’ର ‘ମା ମଙ୍ଗଳା’ ଗୀତ ପୁରପଲ୍ଲୀରେ ଆଦୃତ ହୋଇଥିଲା । 

ପିଲାଟି ଦିନରୁ ‘ଜଗବନ୍ଧୁ ହେ, ତୁମେ ବଡ଼କପଟି...’ ଗୀତକୁ ଗୁଣୁଗୁଣାଇ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ କରୁଣା ପାଇଥିଲେ ଶାନ୍ତିଲତା । ଜୀବନବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ, ଜଣାଣ ଗାନ କରି ନିଜକୁ ସମର୍ପି ଦେଇଥିଲେ । ବାପା ବାସୁଦେବ ବାରିକ ଓ ମା’ କମଳାଦେବୀଙ୍କ ପ୍ରେରଣା ଓ ଉତ୍ସାହ କ୍ରମେ ସଙ୍ଗୀତ ଜଗତକୁ ପାଦ ଥାପିଥିଲେ ଶାନ୍ତିଲତା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓନିଶୀ ସଙ୍ଗୀତରେ ଆଚାର୍ଯ୍ୟ କରିଥିଲେ । ଏଥିସହ ମହାନ୍‌ ଗୁରୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଗୁରୁ ମାର୍କଣ୍ଡେୟ ମହାପାତ୍ର, ଗୁରୁ ସିଂହାରୀ ଶ୍ୟାମ ସୁନ୍ଦର କର, ଗୁରୁ ଗୋପାଳ ପଣ୍ଡାଙ୍କ ଭଳି ପଣ୍ଡିତମାନଙ୍କଠାରୁ ସଙ୍ଗୀତ ଶିକ୍ଷାକୁ ଆୟତ୍ତ କରିଥିଲେ । ଏହାକୁ ପାଥେୟ କରି ସ୍ୱକୀୟ ସଙ୍ଗୀତ ଗାନରେ ସମଗ୍ର ଭକ୍ତି ସଙ୍ଗୀତ ଜଗତରେ ଏକକ ପ୍ରତିଷ୍ଠା ଲାଭ କରି ଭଜନ ସାମ୍ରାଜ୍ଞୀ ଉପାଧିରେ ଭୂଷିତ ହୋଇଥିଲେ । ‘ଶିଶୁ ସଂସାର’ରୁ ଆକାଶବାଣୀ ସହ ସମ୍ପୃକ୍ତ ଏବଂ ପରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିଲେ । ୧୯୭୫ରେ ପ୍ରଥମ ଗ୍ରାମଫୋନ୍‌ ରେକର୍ଡ ‘ହେ ଚକାନୟନ’ ଓ ‘ମଲ୍ଲୀଫୁଲ ଗଜରାମାଳ’ ବଜାରକୁ ଆସିଥିଲା । ସର୍ବଦା ବିଭୁ ବନ୍ଦନାରେ ମୁଖରିତ ଥିଲା ତାଙ୍କ ମନ ଓ ଆତ୍ମା । ତାଙ୍କର ଶୈଶବରୁ ସାମ୍ପ୍ରତିକ ଯାଏ ବ୍ୟାପିଥିଲେ ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ... କେବଳ ପ୍ରଭୁ ଶ୍ରୀଜଗନ୍ନାଥ । ସଙ୍ଗୀତ ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ୨୦୧୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ସହ ଅନେକ ପୁରସ୍କାର ପାଇଥିଲେ । 

ଶାନ୍ତିଲତା ଅନେକ ଗୀତ ଗାଇଲା ଭଳି ବହୁ ଶିଳ୍ପୀଙ୍କୁ ନିଜ ହାତରେ ଗଢ଼ିଛନ୍ତି । ‘ସ୍ୱରତୀର୍ଥ’ ଅନୁଷ୍ଠାନ ଗଢ଼ି ଜୀବନର ଶେଷ ପର୍ଯ୍ୟନ୍ତ ସେ ଛାତ୍ରଛାତ୍ରୀଙ୍କୁ ଗଢ଼ି ଚାଲିଥିଲେ । ସେଥିପାଇଁ ତାଙ୍କୁ ଭଲପାଉଥିବା ଶାନ୍ତିଲତା ପ୍ରେମୀ ଗଢ଼ିଥିଲେ ‘ଶାନ୍ତିଲତା ବାରିକ ଛୋଟରାୟ କଲ୍‌ଚରାଲ୍‌ ଟ୍ରଷ୍ଟ’ । ଏହା ମାଧ୍ୟମରେ ପ୍ରତିବର୍ଷ ଭୁବନେଶ୍ୱରରେ ‘ହେ ଚକାନୟନ’ ଶୀର୍ଷକ ଏକ ମନୋଜ୍ଞ ଭକ୍ତି ସଙ୍ଗୀତ ଆସର ଅନୁଷ୍ଠିତ ହୋଇ ଆସୁଥିଲା। ଏଥିରେ ତାଙ୍କ ସହିତ ଜଡ଼ିତ ସଙ୍ଗୀତ ଶିଳ୍ପୀଙ୍କୁ ସମ୍ମାନିତ କରାଯିବା ସହ ସେ ଓ ଅନ୍ୟ ପ୍ରତିଷ୍ଠିତ ଶିଳ୍ପୀଙ୍କ ଦ୍ୱାରା ପରିବେଷଣ ହେଉଥିଲା ତାଙ୍କର କାଳଜୟୀ ଭକ୍ତି ସଙ୍ଗୀତ ।   

ତାଙ୍କ ବିୟୋଗରେ ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛି ସଙ୍ଗୀତ ଜଗତ, ଝୁରୁଛନ୍ତି ଶାନ୍ତିଲତାପ୍ରେମୀ । ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ, ‘ଶାନ୍ତିଲତା ବାରିକ ଛୋଟରାୟ କଲ୍‌ଚରାଲ୍‌ ଟ୍ରଷ୍ଟ’ର ଅଧ୍ୟକ୍ଷ ବ୍ରଜକିଶୋର ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜନେତା ମନ୍ମଥ ରାଉତରାୟ, ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.