ବଲାଙ୍ଗିର ୧୦/୦୨: ବିଭିନ୍ନ ଆକଟ ଓ କଟକଣାରେ କଟିଛି ତାଙ୍କର ଶୈଶବ । ପିଲାଦିନୁ ନୃତ୍ୟପ୍ରତି ଆକର୍ଷଣ ଏବଂ ପାରଦର୍ଶିତା ଥିଲେ ବି ସେଥିପ୍ରତି ମା’ବାପାଙ୍କ ସ୍ୱୀକୃତି ନଥିଲା । ଏପରିକି ପରିବାରବର୍ଗ ଓ ସମ୍ପର୍କିୟଙ୍କ ମଧ୍ୟରେ ତାଙ୍କପ୍ରତି ସିଧାସଳଖ ଭେଦଭାବ ନଥିଲେ ବି ତାଙ୍କର ଗ୍ରହଣୀୟତା ସେତେ ନଥିଲା । ପରିବାର ଲୋକେ ଚାହୁଁଥିଲେ ପୁଅ ତାଙ୍କର ବାଟରେ ନଯାଇ ପାଠସାଠପଢ଼ି ଚାକିରିକରୁ । ହେଲେ ବିଧିର ବିଧାନଥିଲା ଭିନ୍ନ । ନିଜର ଅନ୍ତର୍ନିହିତ କଳା ଏବଂ ନିଜ ସମ୍ପ୍ରଦାୟ ପାଇଁ କିଛି କରିବାର ଉଦ୍ୟମକୁ କେହି ରୋକିପାରିନଥିଲେ । ବହୁ ବାଧାବିଘ୍ନ ସତ୍ତେ୍ୱ ଉଭୟ କ୍ଷେତ୍ରରେ ପରିଶ୍ରମକରି ନିଜପାଇଁ ତଥା ସମାଜପାଇଁ କିଛି ନୂଆ କରିବାର ସ୍ୱପ୍ନରେ ବ୍ରତୀ ଅଛନ୍ତି ଟିଟିଲାଗଡ଼ ନିବାସୀ ଧନେଶ୍ୱର ତାଣ୍ଡି ।
ଧନେଶ୍ୱର ବର୍ତ୍ତମାନ କିନ୍ନରମାନଙ୍କ ପାଇଁ କାମ କରୁଥିବା ସଂଗଠନ ‘ସାଥୀ’ର ଫିଲ୍ଡ ଅଫିସର ଓ ଜିଲ୍ଲା ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ସେଲର ସଦସ୍ୟ ରହିଛନ୍ତି । ଏଥିସହିତ ଅନେକ କିନ୍ନର ଓ ଏସଏଚଜି ଗ୍ରୁପ୍ର ଉଦ୍ୟୋକ୍ତା ଅଟନ୍ତି । ତୃତୀୟଲିଙ୍ଗୀମାନଙ୍କ ପାଇଁ କାମ କରିବା ବ୍ୟତିତ ସେ ଜଣେ ଲୋକ କଳାକାର ଭାବରେ ପ୍ରାୟ ୪୦ରୁ ଊଦ୍ଧ୍ୱର୍ କୋସଲୀ/ସମ୍ବଲପୁରୀ ଆଲବମ, ଏକାଧିକ ଚଳଚ୍ଚିତ୍ରରେ ଡ଼ାନ୍ସ କୋରିଓଗ୍ରାଫର ଭାବରେ କାମ କରିଛନ୍ତି ।
୧୯୭୭ ମସିହାରେ ଜନ୍ମିତ ଶ୍ରୀ ତାଣ୍ଡି ପିଲାବେଳରୁ ହିଁ ନାଚଗୀତରେ ଆଗ୍ରହ ରଖୁଥିଲେ । ଏପରିକି ସେ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ବି କରୁଥିଲେ । ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରୁ ସେ ଦଶମ ଏବଂ ପରେ ରାଜେନ୍ଦ୍ର ମହାବିଦ୍ୟାଳୟରୁ ଯୁକ୍ତ ୨ ଶିକ୍ଷା ଗ୍ରହଣ କରିଥିଲେ । ଏପରିକି କଲେଜ ପଢ଼ିବା ସମୟରେ ସେ ନୃତ୍ୟକରି ଛାତ୍ର ସଂସଦର ସାଂସ୍କୃତିକ ସମ୍ପାଦକ ଭାବରେ ନିର୍ବାଚିତ ହୋଇ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜର ପ୍ରତିନିଧିତ୍ୱ କରିଥିଲେ । ସେହିସମୟ ଭିତରେ ସେ ଆଲବମ କୋରିଓଗ୍ରାଫର ଭାବରେ କାମ ଆରମ୍ଭ କରିଥିଲେ । ତାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ରାଇ ମାନଭଞ୍ଜନ, ଯମୁନା କୂଳେ ନାବକେଳି, ସମ୍ବଲପୁରୀ ଚକ୍ଲେଟ, ସମ୍ବଲପୁରୀ ରସଗୁଲା, ମାନିନୀ ମହାଲକ୍ଷ୍ମୀ ଭଳି ଅନେକ ଆଲବମ ମୁକ୍ତିଲାଭ କରିଛି ।
ଅପରପକ୍ଷେ ନୃତ୍ୟ ସଂଗୀତ ତାଙ୍କୁ ଯେତିକି ପ୍ରସିଦ୍ଧି ଦେଇଥିଲା ନୃତ୍ୟ ସମୟରେ ତାଙ୍କ ଆଚାରବ୍ୟବହାର ଦେଖି ଅନେକ ସମୟରେ ପରିବାରବର୍ଗ ମଧ୍ୟ ତାଙ୍କୁ ଏଥିରୁ ବିରତ ରହିବାକୁ ଆକଟ କରୁଥିଲେ । ବିଶେଷକରି ତାଙ୍କ ମା ନୃତ୍ୟ ପରିବର୍ତ୍ତେ କୌଣସି ସ୍ଥାନରେ ଚାକିରି କରିବାକୁ କହିଥିଲେ । ସେଥିପାଇଁ ସେ ଯୁକ୍ତ ୩ ଡିଗ୍ରୀ ହାସଲପରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ମେନେଜମେଣ୍ଟ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ପାଠ୍ୟକ୍ରମ ଶେଷ କରି ଓଡ଼ିଶାର ବଡ଼ବଡ଼ ଷ୍ଟାର ହୋଟେଲମାନଙ୍କରେ କାମ କରିଥିଲେ ।
୨୦୧୨ ମସିହାରେ ମାଙ୍କ ଦେହାନ୍ତ ପରେ ସେ ବଲାଙ୍ଗିର ଚାଲିଆସିଲେ । ଆଉ ବଲାଙ୍ଗିରରେ ରହିବା ପରେ ନିଜ ସହ ତୃତୀୟଲିଙ୍ଗୀଙ୍କ ପାଇଁ କାମ କରିବାକୁ ଆରମ୍ଭ କଲେ । ସେହିବର୍ଷ ସେ କମ୍ୟୁନିଟି ଆଡ଼ଭାଇଜରି ବୋର୍ଡ(କେବ)କୁ ନିର୍ବାଚିତ ହେବା ତାଙ୍କୁ ତୃତୀୟଲିଙ୍ଗୀଙ୍କ କ୍ଷେତ୍ରରେ କାମ କରିବାକୁ ସହଜ ହେଲା । ଏହାପରେ ସେ ଆନ୍ତର୍ଜାତିକ ସଂସ୍ଥା ୟୁଏନଡ଼ିପିର କମ୍ୟୁନିଟି ରିସର୍ଚ୍ ପ୍ରୋଜେକ୍ଟ (ସିଆରପି) ଜରିଆରେ ଏହି ଅଞ୍ଚଳର ତୃତୀୟଲିଙ୍ଗୀମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ନେଇ କାମ କଲେ । କେତେକ ବେସରକାରୀ ସଂସ୍ଥା ସହିତ ମଧ୍ୟ ଜଡିତ ହୋଇ ଏହି ସମ୍ପ୍ରଦାୟ ପାଇଁ କାମ କଲେ । ପରବର୍ତ୍ତି ସମୟରେ ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ ରାଇଟ) ଆକ୍ଟ ୨୦୧୯ ଉପରେ ବିଶେଷ ଦଖଲ ଓ ଅନୁଭୂତି ଥିବାରୁ ତାଙ୍କୁ ଜିଲ୍ଲା ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ସେଲର ସଦସ୍ୟ ଭାବରେ ପ୍ରଶାସନ ମନୋନୀତ କଲା ।
ଏହାଭିତରେ ସେ ଶହଶହ ସଂଖ୍ୟାରେ ବଲାଙ୍ଗିର ସମେତ ପଶ୍ଚିମ ଓଡିଶାର ତୃତୀୟଲିଙ୍ଗୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର କ୍ଷେତ୍ରରେ ସଚେତନ କରିବା, ୨ଶହରୁ ଅଧିକ ତୃତୀୟଲିଙ୍ଗୀଙ୍କୁ ପରିଚୟପତ୍ର, ଆଧାର, ମଧୁବାବୁ ପେନସନ, ମୁକ୍ତା, ପିଏମ ସମ୍ମାନନିଧି ଭଳି ଯୋଜାନରେ ଭାଗିଦାରୀ କରାଇସାରିଛନ୍ତି । ଇତିମଧ୍ୟରେ ସେ ୧୭ଟି ଏସଏଚଜି ଗଠନ କରି ତୃତୀୟଲିଙ୍ଗୀଙ୍କୁ କର୍ମ ନିୟୋଜନର ରାସ୍ତା ଦେଖାଇଛନ୍ତି । ଏହାବାଦ୍ ସେ ବିଭିନ୍ନ ଡ୍ରପଆଉଟ ଶିଶୁଙ୍କୁ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରାଇବାରେ କାମ କରୁଛନ୍ତି । ଧନେଶ୍ୱର କୋସଲୀ ଫିଲ୍ମ ବଏଲାରେ , ଖରା, ଝରନ ଆଦି ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହିତ ବିଭିନ୍ନ ସ୍କୁଲ, କଲେଜର କାର୍ଯ୍ୟକ୍ରମରେ କୋରିଓଗ୍ରାଫର କାମ କରୁଛନ୍ତି । ଆଗକୁ ତୃତୀୟଲିଙ୍ଗୀଙ୍କ ଅଧିକାର ପାଇଁ ସଂଘର୍ଷ ଜାରିରଖିବେ ବୋଲି କହିଛନ୍ତି ।