କେନ୍ଦ୍ରାପଡ଼ା,୧୭/୧୧: ଘରକୁ ମୃତଦେହ ଆସିବ ବୋଲି ସମସ୍ତ ପ୍ରସ୍ତୁତି ସରିଛି । ହାଣ୍ଡିରେ ଖଇ ଭଜା ହୋଇ ରହିଛି । କଉଡ଼ି, କାଠ ଓ ଗଙ୍ଗାଜଳ ବି କିଣା ହୋଇ ରହିଛି । ଅହିସୁଲକ୍ଷଣୀ ସଧବା ବେଶରେ ଶ୍ମଶାନକୁ ଯିବେ ବୋଲି ନୂଆ ଶଙ୍ଖା, ଶାଢ଼ୀ, ବସ୍ତ୍ରାଦି ବି କିଣାସରିଛି । ବାରିକ, ଧୋବା, ବ୍ରାହ୍ମଣଙ୍କୁ କୁହାଯାଇ ସବୁ ସରଞ୍ଜାମ ଯୋଗାଡ଼ ସରିଛି । ହେଲେ ପୁଷ୍ପାଞ୍ଜଳିଙ୍କ ମୃତଦେହ ଏଯାଏ ଗାଁରେ ପହଞ୍ଚି ପାରିଲାନି । ଯେହେତୁ ମୃତଦେହ ଗାଁରେ ପହଞ୍ଚିନି ଘରେ ୮ ଦିନ ହେବ ଚୁଲି ମଧ୍ୟ ଜଳିନାହିଁ । ରୋଷେଇବାସ ବନ୍ଦ । ସାହିରେ କାହା ମୁହଁରୁ କଥା ସ୍ଫୁରୁନି । ପ୍ରିୟଜନଙ୍କୁ ହରାଇ ସମସ୍ତେ ମ୍ରିୟମାଣ । ଶୁଦ୍ଧି ହେବାକୁ ହାତରେ ବେଶି ସମୟ ନାହିଁ ।
ଆଉ ମାତ୍ର ୩ଦିନ ରହିଲା ଶୁଦ୍ଧିକର୍ମକୁ । ଏମିତି ସ୍ଥିତିରେ ଶେଷଦର୍ଶନ କରିବାରୁ ବଞ୍ଚିତ ରହିଯିବାର ଆଶଙ୍କା ଏବେ କରୁଛନ୍ତି ପରିବାର ସଦସ୍ୟ । ଖଡ଼ଗପୁର ବସ୍ ଅଗ୍ନିକାଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଙ୍ଗୁଳାଇ ପଞ୍ଚାୟତ ଅଧୀନ ନୀଳାଦ୍ରିପୁରର ପୁଷ୍ପାଞ୍ଜଳି ଦାସ ଜଳିଯାଇ ପ୍ରାଣ ହରାଇଥିଲେ । ତେବେ ଅଦ୍ୟାବଧି ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୁଧବାର ପରିବାର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ଏ ଦିଗରେ ଦୃଷ୍ଟି ଦେଇ ମୃତଦେହ ତତ୍କାଳ ହସ୍ତାନ୍ତର କରିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଚଳିତ ନଭେମ୍ବର ୧୦ ତାରିଖ ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ୩୮ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ପାରାଦୀପ ଅଭିମୁଖେ ଆସୁଥିବା ଶିବମ୍ ଟ୍ରାଭେଲ୍ସ୍ର ସଦାନନ୍ଦ ନାମକ ସ୍ଲିପର୍ କୋଚ୍ ବସ୍ଟି ଖଡ଼ଗପୁର ସନ୍ନିକଟ ଡେବରା ନିକଟରେ ହୋଇଥିବା ବେଳେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ବସ୍ରେ ଥିବା ଯାତ୍ରୀମାନେ କୌଣସିମତେ ସିଟ୍ ପାଖ ଝରକା ଓ ପଛପାଖ ଝରକା ବାଟେ ଡେଇଁ ବାହାରକୁ ପଳାଇ ଆସିଥିବା ବେଳେ ଏକମାତ୍ର ପୁଷ୍ପାଞ୍ଜଳି ବସ୍ରୁ ବାହାରି ପାରିନଥିଲେ । ଫଳରେ ବସ୍ ଭିତରେ ଜଳିଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀ ରାଜେନ୍ଦ୍ର ଦାସ ଓ ୮ ବର୍ଷର ପୁଅ ଓମ୍ପ୍ରକାଶଙ୍କ ସହ ଦୀପାବଳି ପାଳିବାକୁ ସେ ଗାଁକୁ ଫେରୁଥିଲେ । ଦୁର୍ଘଟଣା ପରେ ବସ୍ ମଧ୍ୟରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୧୬ଜଣ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ପଠାଯାଇଥିଲା । ବସ୍ ଭିତରୁ ଉଦ୍ଧାର ମୃତଦେହ ପୁଷ୍ପାଞ୍ଜଳିଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିବା ପରେ ମଧ୍ୟ ସ୍ଥାନୀୟ ପୁଲିସ ମୃତଦେହ ହସ୍ତାନ୍ତର କରିବାକୁ ଟାଳଟୁଳ ନୀତି ଗ୍ରହଣ କରୁଛି ।
ସେଠାକାର ପୁଲିସର କହିବା କଥା, ମୃତଦେହ ଅର୍ଦ୍ଧାଧିକ ଜଳିଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ । ତେଣୁ ମୃତଦେହ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯିବ । ଡିଏନ୍ଏ ରିପୋର୍ଟରୁ ସ୍ପଷ୍ଟ ହେଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପଶ୍ଚିମବଙ୍ଗ ପୁଲିସ କହୁଛି । ଏଣେ ହିନ୍ଦୁ ରୀତିନୀତି ଅନୁସାରେ ପୁଷ୍ପାଞ୍ଜଳିଙ୍କ ଶବ ସଂସ୍କାର ହୋଇନଥିବାରୁ ଘରେ ଚୁଲି ଜଳିନାହିଁ । ଡିଏନ୍ଏ ପରୀକ୍ଷା କେବେ ହୋଇ ରିପୋର୍ଟ ମିଳିବ ଓ ପରିବାରକୁ ଶବ ହସ୍ତାନ୍ତର କରାଯିବ ସେ ନେଇ ଅନିଶ୍ଚିତତା ଲାଗିରହିଛି । ଯଦି ତୁରନ୍ତ ମୃତଦେହ କେନ୍ଦ୍ରାପଡ଼ାକୁ ଆଣିବା ବ୍ୟବସ୍ଥା କରାନଯାଏ, କୋଲକାତା ବସ୍କୁ କେନ୍ଦ୍ରାପଡ଼ା ଆସିବାକୁ ଦିଆଯିବ ନାହିଁ ବୋଲି ମୃତ ପୁଷ୍ପାଞ୍ଜଳିଙ୍କ ସ୍ୱାମୀ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଆଜି ଚେତାବନୀ ଦେଇଛନ୍ତି ।