ନୂଆଦିଲ୍ଲୀ: ଛତିଶଗଡ଼ର ରାଇଗଡ଼ରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ । ୨୭ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧୨ରେ ତାଙ୍କ ସହ ଏହି ଘଟଣା ଘଟିଥିଲା । ସେ ରାଇଗଡ଼ର ପୁସାଉରରେ ଆୟୋଜିତ ଏକ ମେଳା ବୁଲିବାକୁ ଯାଇଥିଲେ । ସେଠାରୁ ପୁଣି ରାଇଗଡ଼ ଫେରିବା ବାଟରେ ୮ ଜଣ ବ୍ୟକ୍ତି ତାଙ୍କୁ ଜୋର ଜବରଦସ୍ତି ପାଖରେ ଥିବା ଏକ ପୋଖରୀ କୂଳକୁ ଟେକି ନେଇଥିଲେ । ଏହା ପରେ ୫ ଘଣ୍ଟା ଧରି ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ପୋଲିସକୁ କହିଛନ୍ତି ।
ସେଠାରୁ କୌଣସି ମତେ ମହିଳା ଆସି ଘରେ ପହଞ୍ଚିଥିଲେ । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ପରିବାର ଲୋକଙ୍କ ସହ ପୀଡ଼ିତା ଥାନାରେ ପହଞ୍ଚି ଏଫଆଇଆର ଦେଇଥିଲେ । ପୋଲିସ ମାମଲାର ଛାନଭିନ କରିବା ସହ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମଦ ନିଶାରେ ଅଭିଯୁକ୍ତମାନେ ମହିଳାଙ୍କୁ ଏକାକୀ ପାଇ ତାଙ୍କୁ ଉଠାଇ ନେଇଥିଲେ । ତାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।
ସେପଟେ ରାଇଗଡ଼ ଏସଏସପି କହିଛନ୍ତି ଯେ, ଅଗଷ୍ଟ ୨୦ରେ ଆମେ ଅଭିଯୋଗ ପାଇଥିଲୁ । ଏହା ପରେ ଆମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ କରିଥିଲୁ । ଭାରତୀୟ ନ୍ୟାୟ ସଂହିତା ୭୦(୧) ଏବଂ ୩୫୧ (୨) ଅଧୀନରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡ଼ିତାଙ୍କୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି ।