ଝରିଗାଁ, ୯/୭ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ବଡଟେମେରା ଗ୍ରାମର ମୋହନ ମାଝୀ (୩୫ ବର୍ଷ) ମଙ୍ଗଳବାର ଦିନ ୧୦ଟା ବେଳେ ନିଜ ବାଇକ୍ ଯୋଗେ ଝରିଗାଁ ଅଭିମୁଖେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବଡଟେମେରା ଗ୍ରାମର ଭବିଷ୍ୟତ ମାଝୀ (୪୦ ବର୍ଷ) ତାଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଉଭୟ ବାଇକ୍ରୁ ଛିଟିକି ରାସ୍ତା କଡରେ ପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୋହନ ମାଝୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଭବିଷ୍ୟତ ମାଝୀଙ୍କ ଡାହାଣ ପାଦର ପାପୁଲି ଏବଂ ଆଙ୍ଗୁଠିରେ ପ୍ରବଳ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।