ରାୟପୁର,୧୯/୦୯: ଛତିଶଗଡ଼ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଛତିଶଗଡ଼ ଆର୍ମଡ ଫୋର୍ସ(ସିଏଏଫ୍)ର ଜଣେ ଯବାନ ଖାଇବା ସମୟରେ ଲଙ୍କା ନଦେବାକୁ ନେଇ ନିଜ ସାଥୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ସେଥିଯୋଗୁ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୁସମୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମାମଲାଟି ବଲରାମପୁର ଜିଲ୍ଲା ସାମିରି ଥାନା ଅଞ୍ଚଳ ଭୁତାହି କ୍ୟାମ୍ପର । ଗୁଳି ଚଳାଇଥିବା ଯବାନ ହେଲେ ଅଜୟ ସିଦାର । ସେ ସିଏଏଫ୍ର ୧୧ତମ ବାଟାଲିଅନ୍ରେ ମୁତୟନ ଅଛନ୍ତି ।
ପ୍ରାଥମିକ ତଦନ୍ତ ଅନୁସାରେ, ଅଜୟ ଖାଇବାକୁ ବସିଥିଲେ । ଖାଦ୍ୟ ପରଷୁଥିବା ଯବାନ ରୂପେଶ ପଟେଲ ଲଙ୍କା ଦେବାକୁ ମନା କରିବାକୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସେଠାରେ ମହଜୁଦ ଥିବା ଗାର୍ଡ କମାଣ୍ଡର ଅମ୍ବୁଜ ଶୁକ୍ଲା ରୂପେଶଙ୍କୁ ସମର୍ଥନ କରିବାରୁ କଥା ଆହୁରି ବିଗିଡ଼ି ଯାଇଥିଲା । ଉତ୍ତ୍ୟକ୍ତ ହୋଇ ଅଜୟ ଖାଇବା ଛାଡ଼ି ଉଠିଆସି ଅନ୍ୟ ଜଣେ ଯବାନଙ୍କ ରାଇଫଲ୍ ନେଇ ରୂପେଶ, ଅମ୍ବୁଜ ଓ କିଛି ସାଥୀଙ୍କ ଉପରେ ଗୁଳି ଚଳାଇଥିଲେ । ସେଥିଯୋଗୁ ଘଟଣାସ୍ଥଳରେ ରୂପେଶଙ୍କ ସହ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି ।