ନୂଆଦିଲ୍ଲୀ,୧୨/୧୧: ନିଜ ହତ୍ୟା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଜଣେ ୧୧ ବର୍ଷୀୟ ବାଳକ ହାଜର ହୋଇ ବୟାନ ଦେଇଛନ୍ତି । କହିଛନ୍ତି ସେ ଜୀବିତ ଅଛନ୍ତି । ତାଙ୍କୁ ହତ୍ୟା କରାଯାଇନାହିଁ । ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଯାଇ ସେ ଏକଥା ଜଣାଇଛନ୍ତି । କିନ୍ତୁ ତାଙ୍କ କଥାକୁ କେହି ଗ୍ରହଣ କରୁନାହାନ୍ତି । ସବୁଆଡୁ ସେ ନିରାଶ ହୋଇସାରିଲେଣି । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲେ । ବାଳକର ବୟାନକୁ ଗୁରୁତର ସହ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟର ଏକ ଡିଭିଜନ ବେଞ୍ଚ । ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାକୁ ସର୍ବୋଚ୍ଚ ଅଦାଲତ ଉତ୍ତରପ୍ରଦେଶ ସରକାର, ପିଲିଭିତ୍ ଏସ୍ପି ଏବଂ ନିଉରିଆ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆବେଦନକାରୀ ବାଳକ କିମ୍ବା ତାଙ୍କ ଅଜାଙ୍କ ବିରୋଧରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀରେ କରାଯିବ ।
ଆବେଦନକାରୀ ବାଳକର ଓକିଲ କୁଲଦୀପ ଜୌହାରିଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବାଳକର ନାମ ଅଭୟ ସିଂହ । ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲା ଅନ୍ତର୍ଗତ ନିଉରିଆ ଅଞ୍ଚଳରେ ତାଙ୍କ ଘର । ୨୦୧୦ରେ ତାଙ୍କ ମା’ଙ୍କ ବିବାହ ହୋଇଥିଲା । ବିବାହ ପରେ ପିତାମାତାଙ୍କ ଭିତରେ ଅନେକ ସମୟରେ ଝଗଡା ଲାଗୁଥିଲା । ଅଧିକ ଯୌତୁକ ଆଣିବା ଲାଗି ପିତା ସବୁବେଳେ ମା’ଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ୨୦୧୩ରେ ଅତ୍ୟନ୍ତ ରହସ୍ୟଜନକ ପରିସ୍ଥିତିରେ ମା’ଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଅଭୟଙ୍କ ଅଜାଆଈ ତାଙ୍କ ପିତାଙ୍କ ନାମରେ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ଦାୟର କରିଥିଲେ । ସେବେଠାରୁ ମାମଲାର ବିଚାର ଜାରି ରହିଛି । ମା’ଙ୍କ ମୃତ୍ୟୁ ପରେ ଅଭୟ ଅଜାଆଈଙ୍କ ପାଖରେ ରହୁଛନ୍ତି । ସେପଟେ ଅଜାଆଈଙ୍କୁ ମିଥ୍ୟା ହତ୍ୟା ମାମଲାରେ ଫସାଇବା ଲାଗି ପିତା ଅଭୟଙ୍କର ମୃତ୍ୟୁ ଘଟିଥିବା କହୁଛନ୍ତି । ପୁଲିସ ମଧ୍ୟ ଏହି ମାମଲାରେ ପିତାଙ୍କୁ ସହାୟତା କରୁଛି । ତାଙ୍କ ଅଜାଆଈଙ୍କ ଘରକୁ ଯାଇ ପୁଲିସ ଧମକ ହେଉଛି । ପୂର୍ବରୁ ଘଟଣା ସମ୍ପର୍କରେ ସେମାନେ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଯାହାଫଳରେ ସେମାନେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭୟ ନିଜ ଅଜାଆଈଙ୍କ ପାଖରେ ସବୁଦିନ ରହିବାକୁ ଚାହୁଁଛନ୍ତି ବୋଲି କୁଲଦୀପ ପ୍ରକାଶ କରିଛନ୍ତି ।