ନୂଆଦିଲ୍ଲୀ: ଋଷ ସହ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନକୁ ସାମରିକ ସହାୟତା ଦେଇଆସିଛି ଆମେରିକା । ଆଉ ଏବେ ଋଷରେ ଆକ୍ରମଣ ତୀବ୍ର କରିବାକୁ ଯୋଜନା କରିଥିବା ୟୁକ୍ରେନ୍ ଆମେରିକାକୁ ନିଜର ଯୁଦ୍ଧାସ୍ତ୍ର ବ୍ୟବହାର ଉପରେ ଲାଗିଥିବା କଟକଣା ହଟାଇବାକୁ ଦାବି କରିବାକୁ ଯାଉଛି । ଚଳିତ ସପ୍ତାହରେ ହେବାକୁ ଥିବା ବୈଠକରେ ଋଷର କେଉଁ ସବୁ ଅଞ୍ଚଳରେ ୟୁକ୍ରେନ୍ ସେନା ଆକ୍ରମଣ କରିବାକୁ ଯାଉଛି ତାର ଏକ ତାଲିକା ଆମେରିକାକୁ ଦେବ କିଭ୍ । ଏହା ସହ ଯେଉଁସବୁ ଆମେରିକୀୟ ଯୁଦ୍ଧାସ୍ତ୍ର ବ୍ୟବହାର ଉପରେ କଟକଣା ଲାଗିଥିଲା ସେସବୁ ବ୍ୟବହାର କରିବାକୁ ବାଇଡେନ୍ ପ୍ରଶାସନକୁ ଅନୁମତି ମାଗିବ ୟୁକ୍ରେନ୍ ।
ଏନେଇ ଆଲୋଚନା କରିବାକୁ ୟୁକ୍ରେନ୍ ରାଷ୍ଟ୍ରପତି କାର୍ଯ୍ୟାଳୟ ମୁଖ୍ୟ ଆଣ୍ଡିରି ଯେରମାକ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର ଆମେରିକା ଗସ୍ତ କରିବେ । ଏହି ସମୟରେ ଦୂରଗାମୀ ଯୁଦ୍ଧାସ୍ତ୍ର ଉପରୁ କଟକଣା ହଟାଇବା ଲାଗି ସେମାନେ ଆମେରିକୀୟ ଅଧିକାରୀଙ୍କୁ ମନାଇବାକୁ ଚେଷ୍ଟା କରିବେ । ଋଷରେ ଆଗାମୀ ଆକ୍ରମଣ ସଂପର୍କରେ ସେମାନେ ସଂପୂର୍ଣ୍ଣ ତାଲିକା ପ୍ରଦାନ କରିବେ । ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତେମ ଉମେରୋଭ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୟେରମାକ କେଉଁ ନେତାଙ୍କୁ ଭେଟିବେ ସେସଂପର୍କରେ ଜଣାପଡ଼ିନାହିଁ ।
ସେପଟେ ଆମେରିକାର ଏକ ରାଜନୈତିକ ଡିଜିଟାଲ ଖବରକାଗଜ ‘ପଲିଟିକୋ’ ଅନୁସାରେ, ଓ୍ବାଶିଂଟନର ବିନା ଅନୁମତିରେ ଆମେରିକୀୟ ଯୁଦ୍ଧାସ୍ତ୍ରଗୁଡ଼ିକର ବ୍ୟବହାର କରାଯାଇ ପାରିବ ନାହିଁ । ଏହି ଯୁଦ୍ଧାସ୍ତ୍ର ଗୁଡ଼ିକ ୧୯୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିବା ବେଳେ ଏଗୁଡ଼ିକ ଶତ୍ରୁପକ୍ଷର ରାଡାରକୁ ଚକମା ଦେଇପାରିବ । ଏହା ପୂର୍ବରୁ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଳନସ୍କି ଋଷରେ ଆକ୍ରମଣ ତୀବ୍ର କରିବା ଲାଗି ଆମେରିକାର ଅନୁମତି ଲୋଡ଼ିଥିଲେ । ଏହା ସହ ପ୍ରତିବନ୍ଧିତ ଯୁଦ୍ଧାସ୍ତ୍ରଗୁଡ଼ିକର ବ୍ୟବହାର ଲାଗି ଅନୁରୋଧ କରିଥିଲେ ।
ସେ ଦାବି କରିଥିଲେ ଯେ, ଆମେରିକୀୟ ଯୁଦ୍ଧାସ୍ତ୍ର ବ୍ୟବହାର କଲେ ହିଁ ଯୁଦ୍ଧ ସମାପ୍ତ ହୋଇପାରିବ । ତେବେ ଋଷିଆର କୁର୍ସକରେ ୟୁକ୍ରେନ୍ ସେନା ଆକ୍ରମଣ କରିବା ପରେ ଏବେ ଆକ୍ରମଣ ତୀବ୍ର କରିବାକୁ କିଭ୍ ପ୍ରସ୍ତୁତି କରୁଛି । ଋଷର କୁର୍ସକରେ ଆମେରିକାର ଯୁଦ୍ଧାସ୍ତ୍ର ବ୍ୟବହାର କରିଥିଲା ୟୁକ୍ରେନ୍ । ସେପଟେ ଯୁଦ୍ଧାସ୍ତ୍ର ଉପରୁ ଆମେରିକା ଯଦି କଟକଣା ଉଠାଇଦିଏ ତେବେ ଋଷ ଏବଂ ଆମେରିକା ମଧ୍ୟରେ ବିବାଦ ତୀବ୍ର ହୋଇପାରେ ବୋଲି ଆଶଙ୍କା ବୃଦ୍ଧି ପାଇଛି ।