ନୂଆଦିଲ୍ଲୀ, ୨୮/୦୮ : ଆମେରିକୀୟ ବୈଜ୍ଞାନିକ ସଂସ୍ଥା ନୋଆର ଓସନ୍ ଏକ୍ସପ୍ଲୋରେସନ୍ ଆଲାସ୍କା ତଟ ନିକଟରେ ସମୁଦ୍ର ତଳୁ ଏକ ସୁନେଲି ପିଣ୍ଡୁଳା ଆବିଷ୍କାର କରିଛନ୍ତି। ଏହା ଟିକିଏ ଚଉଡ଼ା। ଏଥିରେ ଏକ ଛିଦ୍ର ମଧ୍ୟ ଅଛି । ନୋଆର ରିମୋଟ୍ଲି ଅପରେଟେଡ୍ ଅଣ୍ଡରୱାଟର ଭେଇକଲ୍ (ଆର୍ଓଭି) ଏହି ସୁନେଲି ପିଣ୍ଡୁଳା ଆବିଷ୍କାର କରିଛି। ପିଣ୍ଡୁଳାଟି ନିଜର ପଥୁରିଆ ପୃଷ୍ଠକୁ ଅତ୍ୟନ୍ତ ମଜଭୁତ ଭାବେ ଧରି ରଖିଥିଲା । ଏହାକୁ ବାହାର କରିବା ଲାଗି ରୋବୋଟିକ୍ ଭେଇକଲ୍ ପ୍ରଥମେ ଭାକ୍ୟୁମ୍ ହାତକୁ ଆଗକୁ ବଢ଼ାଇଲା । ତା’ପରେ ପିଣ୍ଡୁଳାକୁ ଗୋଟିଏ ପାଶ୍ୱର୍ରୁ ଭାଙ୍ଗିଲା । ତା’ପରେ ତାହା ଭାକ୍ୟୁମ୍ ହାତ ଭିତରକୁ ଗଲା । ଏହାର ଲମ୍ବା ଓ ଚଉଡ଼ା ପ୍ରାୟ ୪ ଇଞ୍ଚ । ଏଇ ବସ୍ତୁଟି ବାସ୍ତବରେ କ’ଣ ତାହା ଜାଣିବା ବୈଜ୍ଞାନିକଙ୍କ ପାଇଁ ଅତ୍ୟନ୍ତ ଜରୁରି ଥିଲା । କାରଣ ଏ ପ୍ରକାର ପିଣ୍ଡୁଳା କୌଣସି ରହସ୍ୟମୟ ପ୍ରଜାତିର ଅଣ୍ଡାର ଖୋଳପା ହୋଇପାରେ । ଅଥବା ମୃତ ସ୍ପଞ୍ଜ୍ କିମ୍ବା ଶୈବାଳ ମଧ୍ୟ ହୋଇପାରେ । କିନ୍ତୁ ସୁନା ପିଣ୍ଡୁଳାରେ ଥିବା ଛିଦ୍ରରୁ ବୈଜ୍ଞାନିକମାନେ ସ୍ପଷ୍ଟ ହୋଇଛନ୍ତି ଯେ ଏହା ଭିତରେ କେହି ପ୍ରବେଶ କରିବାକୁ କିମ୍ବା ଏଥିରୁ ବାହାରିବାକୁ ଚେଷ୍ଟା କରୁଥିଲା ।
ବୈଜ୍ଞାନକିମାନେ ଆହୁରି ଅନୁମାନ କରିଛନ୍ତି, ହୁଏତ କୌଣସି ରହସ୍ୟମୟ ଜୀବ ଏଠାରେ ବିକଶିତ ହେଉଥିଲା । କିନ୍ତୁ ତା’ପୂର୍ବରୁ ମରିଗଲା । କେବଳ ତା’ର ଖୋଳପା ରହିଗଲା । ବୋଧହୁଏ କୌଣସି ଜୀବ ଏହି ସୁନା ପିଣ୍ଡୁଳା ଭିତରେ ଅଣ୍ଡା ଭଳି ଫୁଟିବା ପାଇଁ ଥିଲା । ତେବେ ତାହା କୌଣସି ଛୋଟ ଜୀବ ହୋଇନଥିବ । ପ୍ରୟୋଗଶାଳାକୁ ନେବା ବେଳକୁ ପିଣ୍ଡୁଳାଟି ଫୁଟି ସାରିଥିଲା । ଛୁଇଁବାକୁ ମାଂସାଳ ଥିଲା । ତା’ର କୌଣସି ଶରୀର ସଂଚରନା ନ ଥିଲା । ଇଂଲଣ୍ଡର ୟୁନିଭର୍ସିଟି ଅଫ୍ ପ୍ଲାଇମାଉଥ୍ର ଡିପ୍-ସି ଇକୋଲୋଜିଷ୍ଟ୍ କେରି ହୋୱେଲ କହିଛନ୍ତି, ଏହା ଏକ ଅଣ୍ଡାର ଖୋଳପା ଭଳି ଦିଶୁଛି । ଏହାକୁ ଆମେ ପୂର୍ବରୁ କେବେ ଦେଖିନଥିଲୁ । ଯଦି ଏହା ବାସ୍ତବରେ ଅଣ୍ଡା, ତେବେ କେଉଁ ଜୀବର ଜାଣିବା ନିହାତି ଜରୁରି । କାରଣ ଏହା ବେଶ ବଡ଼ । ସମୁଦ୍ରର ଯେଉଁ ଗଭୀରତାରେ ଏହା ମିଳିଛି, ସେଠାରେ କୌଣସି ସାଧାରଣ ସାମୁଦ୍ରିକ ଜୀବ ରହିପାରିବ ନାହିଁ । ସୂର୍ଯ୍ୟାଲୋକ ସେଠାରେ ପହଞ୍ଚୁନାହିଁ । ଅତ୍ୟନ୍ତ ଥଣ୍ଡା ତାପମାତ୍ରାରେ କି ପ୍ରକାର ଜୀବ ରହୁଛନ୍ତି, ତା’ର ଅଧ୍ୟୟନ ବୈଜ୍ଞାନିକମାନେ କରୁଛନ୍ତି ।