ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଓଡ଼ିଶାରେ ବେକାରୀଗ୍ରାଫ୍‌ ଉପରମୁହାଁ: ସରକାରୀ ପଦବି ଖାଲି, ଯୁବପିଢ଼ି ଛଟପଟ, ଆତ୍ମନିଯୁକ୍ତି ପାଇଁ ଋଣ ଦେବାକୁ ବ୍ୟାଙ୍କ କୁନ୍ଥକୁନ୍ଥ

ଭୁବନେଶ୍ୱର,୨୫/୦୬: ହତାଶ ଯୁବପିଢ଼ି ।  ଚାକିରି ନାହିଁ । ହାତକୁ ମିଳୁନି କାମଧନ୍ଦା । ଓଡ଼ିଶାରେ ବେକାରୀଗ୍ରାଫ୍‌ ଏବେ ଉପରମୁହାଁ । ଦିନ ଯେତିକି ଗଡ଼ୁଛି,  ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା  ସେତିକି ବଢ଼ୁଛି । ସରକାରୀ ପଦବି ଖାଲି ପଡ଼ିଛି, ମାତ୍ର  ନିଯୁକ୍ତି ନାହିଁ ।   

ସମଗ୍ର ରାଜ୍ୟରେ ଏବେ ବେକାର ଯୁବକ  ଯୁବତୀଙ୍କ ଭାଗ୍ୟ ଅନ୍ଧାରରେ । ଚାକିରି ପାଇବାକୁ  ଆଶାୟୀଙ୍କ ସଂଖ୍ୟା ବଢୁଛି । ମାତ୍ର ସରକାରୀସ୍ତରରେ ନା  ଅଛି ଆନ୍ତରିକତା ନା ଇଛାଶକ୍ତି । ସରକାରୀ ପରିସଂଖ୍ୟାନ  କହୁଛି, ରାଜ୍ୟରେ ୮ ଲକ୍ଷ ୮୬ ହଜାର ୭୭୨ ଜଣ  ଉଚ୍ଚଶିକ୍ଷିତ ଯୁବକ ଯୁବତୀ ନିୟୋଜନ କାର୍ଯ୍ୟାଳୟରେ  ନାଁ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି । ଯଦି  ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ସଂଖ୍ୟା ମିଶାଯାଏ  ତେବେ ଏ ସଂଖ୍ୟା ୨୦ ଲକ୍ଷ ଡେଇଁଯିବ । ଏତେ  ସଂଖ୍ୟାରେ ଶିକ୍ଷିତ ବେକାରଙ୍କୁ ଚାକିରି କିମ୍ବା ଆତ୍ମନିଯୁକ୍ତି  ପାଇଁ ସରକାରଙ୍କର କିଛି ଯୋଜନା ଥିଲା ଭଳି ଲାଗୁନି ।   

ସରକାରୀ ପରିସଂଖାନ କହୁଛି, ରାଜ୍ୟରେ ୫  ଲକ୍ଷ ୮୩ ହଜାର ମଞ୍ଜୁରୀପ୍ରାପ୍ତ ପଦବିରୁ ୧ ଲକ୍ଷ ୩୧  ହଜାର ୫୧୮ ପଦବି ଖାଲି ପଡ଼ିଛି । ଏହି ପଦବି ମଧ୍ୟରୁ  ସରକାର ପ୍ରାୟ ୨୫ ହଜାର ପଦବି ଉଚ୍ଛେଦ କରିବା  ସପକ୍ଷରେ ଥିଲା ବେଳେ ଗତ ୨ ବର୍ଷ ମଧ୍ୟରେ ମାତ୍ର ୧୨  ହଜାର ୩୫୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଗତ  ୬ ମାସ ହେବ ନିଯୁକ୍ତି ପ୍ରକ୍ରିୟା ଶୂନ । ଖାଲିଥିବା ସରକାରୀ  ପଦବି ପୂରଣ ଦିଗରେ ନୂଆ ସରକାର କେତେ ଇଛାଶକ୍ତି  ଦେଖାଉଛନ୍ତି ତାହା ଉପରେ ଏବେ ଯୁବପିଢ଼ିଙ୍କ ଆଖି ।   

ଗୃହ ବିଭାଗରେ ୧୬ ହଜାର ୭୮୧ ପଦବି ଖାଲି  ପଡ଼ିଥିଲା ବେଳେ, ସ୍ୱାସ୍ଥ୍ୟ ବିଭାଗରେ ୧୬ ହଜାର,  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୩୦,୨୯୯ ପଦବି  ଫାଙ୍କା ରହିଛି । ପୂର୍ତ୍ତ ବିଭାଗରେ ୩୪୮୦ ଏବଂ ଗ୍ରାମ୍ୟ  ଉନ୍ନୟନ ବିଭାଗରେ ୨୮୬୨ ପଦବି ଶୂନ୍ୟ ପଡ଼ିଛି ।  ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଖାଲି  ପଡ଼ିଛି ଅଢ଼େଇ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ  ପଦବି । ସରକାର ଯେତିକି ନିଯୁକ୍ତି ଦେଉଛନ୍ତି ତାହା  ସମୁଦ୍ରକୁ ଶଙ୍ଖେ ।  

ବେସରକାରୀସ୍ତରରେ ମଧ୍ୟ ନିଯୁକ୍ତି ପାଇଁ  ସୁଯୋଗ ସୃଷ୍ଟିରେ ସରକାର ଫେଲ୍‌ ମାରିଛନ୍ତି  ବୋଲି ଯୁବକ ଯୁବତୀଙ୍କ ଅଭିଯୋଗ । ବୈଷୟିକ  ଶିକ୍ଷାପ୍ରାପ୍ତ ହଜାର ହଜାର ପିଲା ରାଜ୍ୟରେ ବେକାର  ହୋଇ ବସିଛନ୍ତି । ସରକାର ଶିଳ୍ପକୁ ନେଇ ଗୋଲାପୀ  ପରିସଂଖ୍ୟାନ ଦେଉଛନ୍ତି । ମାତ୍ର ବୃହତ୍‌ ଶିଳ୍ପରେ ଓଡ଼ିଆ  ପିଲାଙ୍କୁ  ନିଯୁକ୍ତି ମିଳୁନି । ଯେତିକି ନିଯୁକ୍ତି ମିଳୁଛି,  ସେଥିରେ ଅଣଓଡ଼ିଆଙ୍କ ସଂଖ୍ୟା ଅଧିକ । ସରକାରୀ  ସୂଚନା କହୁଛି, ରାଜ୍ୟରେ ୧୭ ଶିଳ୍ପ ବନ୍ଦ କାରଣରୁ  ଗତ ୪ ବର୍ଷ ମଧ୍ୟରେ ୧୧,୩୯୦ ଲୋକ ଚାକିରି  ହରାଇଛନ୍ତି । ଶିକ୍ଷିତ ବେକାରଙ୍କ ଏ ସମସ୍ୟାର ସମାଧାନ  ପାଇଁ ସରକାର ରୋଡମ୍ୟାପ୍‌ ମଧ୍ୟ ପ୍ରସ୍ତୁତ କରୁନାହାନ୍ତି ।  ନିଯୁକ୍ତି ମିଶନ ଏବେ କୋମାରେ ରହିଛି । ବେକାର  ଯୁବପିଢ଼ି କଲବଲ ହେଉଛନ୍ତି ।   

ଆତ୍ମନିଯୁକ୍ତି ପାଇଁ ମଧ୍ୟ ସରକାରଙ୍କର ସେମିତି  କିଛି ଦୀର୍ଘମିଆଦି ଯୋଜନା ନାହିଁ । ଏମ୍‌ଏସ୍‌ଏମଇ,  ଷ୍ଟାର୍ଟଅପକୁ ସହଯୋଗ କରିବାକୁ ବ୍ୟାଙ୍କଗୁଡ଼ିକ  କୁନ୍ଥକୁନ୍ଥ । ପିଏମଇଜିପିରେ ବେକାର ଯୁବକ ଯୁବତୀଙ୍କୁ  ଋଣ ଯୋଗାଣ ଟାର୍ଗେଟ୍‌ ଛୁଉଁନି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ  କମିଟି ବୈଠକରେ ଆତ୍ମନିଯୁକ୍ତିକୁ ଅଗ୍ରାଧିକାର ଦେଇ  ଋଣ ଯୋଗାଣ କରିବାକୁ ସରକାର ତାଗିଦ୍‌ କରୁଛନ୍ତି ।  ମାତ୍ର ବ୍ୟାଙ୍କଗୁଡ଼ିକ ପାଇଁ ଏହା କେବଳ ଧର୍ମକୁ  ଆଖିଠାର । ଆତ୍ମନିଯୁକ୍ତି ଯୋଜନାଗୁଡ଼ିକରେ ଋଣ  ଯୋଗାଣ ପାଇଁ ବ୍ୟାଙ୍କଗୁଡ଼ିକ ଆଦୌ ଆନ୍ତରିକତା  ଦେଖାଉନାହାନ୍ତି । ସରକାର ଏହା ସ୍ୱୀକାର କରୁଛନ୍ତି ମାତ୍ର  ହାତବାନ୍ଧି ବସିଛନ୍ତି ।  

‘ମେକ୍‌ ଇନ ଓଡ଼ିଶା’ ଜରିଆରେ ଅଧିକ  ନିବେଶ ସହ ଅଧିକ ନିଯୁକ୍ତିର ଆକଳନ ବାସ୍ତବ  କ୍ଷେତ୍ରରେ ପ୍ରତିଫଳନ ହେଉନି । ମେକ ଇନ ଓଡ଼ିଶାର  ୩ଟି ସଂସ୍କରଣ ପରେ ୧୮୨ ଶିଳ୍ପ ୟୁନିଟ ସଂପ୍ରସାରିତ  ଏବଂ ଶିଳାନ୍ୟାସ ହୋଇଛି । ଏ ଶିଳ୍ପଗୁଡ଼ିକରେ ୧  ଲକ୍ଷରୁ ଉଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି  ସରକାର ଦାବି କରୁଛନ୍ତି । ମାତ୍ର ବେକାରଙ୍କ ଅଭିଯୋଗ  ଏ ନିଯୁକ୍ତିରେ ସିଂହଭାଗ ବାହାର ରାଜ୍ୟ ପିଲାଙ୍କର ।  

ରାଜ୍ୟରେ ‘ବେକାରୀ’ର ଚିତ୍ର ଦିନକୁ ଦିନ ଉତ୍କଟ ରୂପ  ଧାରଣ କରୁଛି । ସରକାରୀ କଳ କିନ୍ତୁ ଗମ୍ଭୀରତା ପ୍ରକାଶ  କରୁନି । ରାଜ୍ୟରେ ସବୁଠୁ ବଡ଼ ସମସ୍ୟା ଭାବେ ଉଭା  ହୋଇଛି ବେକାରୀ । ନୂଆ ସରକାର ଏହାକୁ ଫୋକସ୍‌  କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ପ୍ରଥମ  ୨ବର୍ଷରେ ୬୫ ହଜାର ପଦବି ପୂରଣ କରିବାକୁ ବିଜେପି  ସଂକଳ୍ପପତ୍ରରେ ନିର୍ଭର ପ୍ରତିଶ୍ରୁତି ଦେଇଛି । ଦାଦନ  ରୋକିବା ସହ ଓଡ଼ିଆପୁଅ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା  କରିବାକୁ ପଦ୍ମ ଦଳ କହିଛି । ମାତ୍ର ଦୀର୍ଘବର୍ଷ ହେବ  ଚାକିରି ଖଣ୍ଡିଏ ପାଇଁ ଛଟପଟ ଯୁବପିଢ଼ିଙ୍କ ପାଇଁ ନୂଆ  ସରକାର କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ତା’କୁ  ଯୁବପିଢ଼ି ଚାତକ ଭଳି ଅପେକ୍ଷା କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.