ନୂଆଦିଲ୍ଲୀ,୦୩/୧୧: ୟୁପିଆଇ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ନେଇ ସାରା ବିଶ୍ବ ଅବଗତ। ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ଜି -୨୦ ଦେଶର ମୁଖ୍ୟମାନଙ୍କ ଶିଖର ସମ୍ମିଳନୀରେ ଏହାର ଝଲକ ଦେଖିବାକୁ ମିଳିଥିଲା। ଯେଉଁଠାରେ ୟୁପିଆଇ ମାଧ୍ୟମରେ ଡିଜିଟାଲ କାରବାର କ୍ଷେତ୍ରରେ ଭାରତର କୃତିତ୍ୱ ଦେଖି ସାମିଲ ହୋଇଥିବା ସମସ୍ତ ରାଷ୍ଟ୍ରର ମୁଖ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ସ୍ଥିତିରେ ଆମେରିକା, ଜାପାନ, ବ୍ରିଟେନ ଓ ଫ୍ରାନ୍ସ, ପ୍ରାୟତଃ ପ୍ରତ୍ୟେକ ଦେଶ ୟୁପିଆଇ ଗ୍ରହଣ କରି ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି।
ଶ୍ରୀଲଙ୍କା ଗସ୍ତରେ ଆସିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନଭେମ୍ବର ୨ ତାରିଖ ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଯେ, ଖୁବ୍ ଶୀଘ୍ର ଶ୍ରୀଲଙ୍କାରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆରମ୍ଭ ହେବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ସିଇଓ ଆଶିଷ ଚୌହାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର) ରେ ଲେଖିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧.୭ ଟ୍ରିଲିୟନ ଡଲାର ମୂଲ୍ୟର କାରବାର ୟୁପିଆଇ ମାଧ୍ୟମରେ ଦେଖିବାକୁ ମିଳିଛି। ଭାରତର ୟୁପିଆଇକୁ ସମଗ୍ର ବିଶ୍ୱ ପସନ୍ଦ କରୁଛନ୍ତି। ଜାପାନ, ସିଙ୍ଗାପୁର, ୟୁଏଇ, ଫ୍ରାନ୍ସ ଏବଂ ବ୍ରିଟେନ ନିଜ ଦେଶରେ ୟୁପିଆଇ ଗ୍ରହଣ କରିବାକୁ ଚାହୁଁଛନ୍ତି। ମାର୍ଚ୍ଚ ୨୦୨୪ ରେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଥିବା ବେଳେ, ଆଗାମୀ ୬ ମାସ ମଧ୍ୟରେ ୟୁପିଆଇ କାରବାରରେ ଆହୁରି ବୃଦ୍ଧି ଘଟିବ। ଏହି ବର୍ଷ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିବ।
ପଢ଼ନ୍ତୁ: ଭାରତରେ ଅଣ୍ଡା ସବୁଠୁ ଶସ୍ତା: ସୁଇଜରଲାଣ୍ଡରେ ଡର୍ଜନ୍କୁ ୫୬୪, ନ୍ୟୁଜିଲାଣ୍ଡରେ ୪୫୦
ଜର୍ମାନୀ ଦୂତାବାସ ଟ୍ୱିଟର ରେ ଏକ ଫଟୋ ସେୟାର କରିଥିଲା, ଯେଉଁଥିରେ ଭାରତ ଗସ୍ତରେ ଆସିଥିବା କୂଟନୀତିଜ୍ଞମାନେ ୟୁପିଆଇକୁ ପସନ୍ଦ କରୁଥିବାର ଏକ ଝଲକ ଦେଖିବାକୁ ମିଳିଥିଲା। ଜର୍ମାନୀର ଫେଡେରାଲ ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ଏକ ପନିପରିବା ଦୋକାନରେ ସପିଂ କରୁଥିବା ଦେଖିବାକୁ ମିଳିଥିଲା ଏବଂ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ମଧ୍ୟ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ୟୁପିଆଇ ହେଉଛି ସବୁଠୁ ସଫଳ ପେମେଣ୍ଟ ବ୍ୟବସ୍ଥା:
ସାତ ବର୍ଷ ପୂର୍ବେ ଏପ୍ରିଲ୍ ୨୦୧୬ ରେ, ୟୁପିଆଇ ଅର୍ଥାତ୍ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିଲା। ୟୁପିଆଇ ହେଉଛି ଏକ ଇନ୍ଷ୍ଟାଣ୍ଟ ପେମେଣ୍ଟ ସିଷ୍ଟମ୍ ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ମୋବାଇଲ୍ ଫୋନ୍ ମାଧ୍ୟମରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀଙ୍କୁ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। ୟୁପିଆଇ ଭାରତରେ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ବଦଳାଇଲା। ସୂଚନାଥାଉକି, ଡିଜିଟାଲ୍ ପେମେଣ୍ଟ୍ ପ୍ରସଙ୍ଗରେ, ୟୁପିଇ ମାଧ୍ୟମରେ ଭାରତ ଯେଉଁ ଖ୍ୟାତି ଅର୍ଜନ କରିଛି ତାହା ଏକ ବିପ୍ଳବଠାରୁ କମ୍ ନୁହେଁ।
ଦେଶରେ ନଗଦବିହୀନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଏନ୍ପିସିଆଇ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ମିଳିତ ଭାବରେ ୟୁପିଆଇ ଆରମ୍ଭ କରିଥିଲେ। ୟୁପିଆଇ କାରବାର ମଧ୍ୟ ଲୋକପ୍ରିୟ ହେଲା କାରଣ ଏହି କାରବାର ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଆବଶ୍ୟକ ପଡ଼େନାହିଁ। ଯେକୌଣସି ଉପଭୋକ୍ତା ମୋବାଇଲ୍ ଫୋନରେ ଆପ୍ ମାଧ୍ୟମରେ ୨୪ ଘଣ୍ଟା ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରିପାରିବେ। ମାତ୍ର ସାତ ବର୍ଷ ମଧ୍ୟରେ, ୟୁପିଆଇ ଦୁନିଆର ସବୁଠାରୁ ସଫଳ ଡିଜିଟାଲ ପେମେଣ୍ଟ ସିଷ୍ଟମରେ ପରିଣତ ହୋଇଛି।
ନଗଦବିହୀନ ଅର୍ଥନୀତିରେ ଅବିବୃଦ୍ଧି:
୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ ପ୍ରତ୍ୟାହାର କରି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏହା ପରେ ସରକାର ଦେଶରେ ନଗଦବିହୀନ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସାଙ୍ଗକୁ ଡିଜିଟାଲ ଦେୟ ଉପରେ ଗୁରୁତ୍ୱ ବଢ଼ିଥିଲା। ଡିଜିଟାଲ କାରବାର ବୃଦ୍ଧି ପାଇଁ ସରକାର ଆରମ୍ଭରୁ କ୍ୟାସବ୍ୟାକ୍ ଭଳି ଅଫର ମଧ୍ୟ ଆଣିଥିଲେ। କୋଭିଡ ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ରେ ଦେଶରେ ଲକ୍ଡାଉନ ଲାଗୁ ହେବା ଯୋଗୁ ଲୋକମାନେ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିଲେ। ଏବଂ କରୋନା କାରଣରୁ ଲୋକମାନେ ନୋଟ୍ ନେଣଦେଣକୁ ଏଡ଼ାଇବାକୁ ଲାଗିଥିଲେ। ଏହାରି ଭିତରେ ଡିଜିଟାଲ୍ କାରବାର ସର୍ବାଧିକ ବୃଦ୍ଧି ପାଇଲା।
୨୦୨୨ ମସିହାରେ, ଦେଶର ମୋଟ ଡିଜିଟାଲ୍ ପେମେଣ୍ଟରେ ୟୁପିଆଇ ମାଧ୍ୟମରେ ହୋଇଥିବା କାରବାରର ଅଂଶ ୫୦ ପ୍ରତିଶତରୁ ଅଧିକ ଅତିକ୍ରମ କରିଥିଲା, ଯାହା ଡେବିଟ୍-କ୍ରେଡିଟ୍ କାର୍ଡ ମାଧ୍ୟମରେ ହୋଇଥିବା କାରବାରଠାରୁ ପ୍ରାୟ ୫ ଗୁଣ ଅଧିକ ଥିଲା। ସେ ଚା ’ବିକ୍ରେତା ହୁଅନ୍ତୁ କିମ୍ବା ସିଙ୍ଗଡ଼ା ବିକ୍ରେତା ହୁଅନ୍ତୁ, ସେ ଏକ ଇ-ରିକ୍ସା ଡ୍ରାଇଭର ହୁଅନ୍ତୁ କିମ୍ବା କୌଣସି ପନିପରିବା ବିକ୍ରେତା ହୁଅନ୍ତୁ, ଏହି ବ୍ୟବସାୟୀମାନଙ୍କୁ ଦେୟ ଦେବା ପାଇଁ ଆପଣଙ୍କ ପକେଟରେ ୱାଲେଟ୍ କିମ୍ବା ନଗଦ ଟଙ୍କା ନେବା ଆବଶ୍ୟକ ନାହିଁ। ଆପଣ ମୋବାଇଲ୍ ଫୋନ୍ ମାଧ୍ୟମରେ ୟୁପିଆଇ ଜରିଆରେ, ଡିଜିଟାଲ୍ ପେମେଣ୍ଟ କରିପାରିବେ।
You can also read: ଦିଲ୍ଲୀ–ମୁମ୍ୱାଇ ବ୍ୟତୀତ ଦେଶର ଏହି ସହର ବି ପାଲଟିଛି ଗ୍ୟାସ ଚାମ୍ୱର , ପ୍ରଦୂଷଣ ଦ୍ୱିଗୁଣିତ