ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆସନ୍ତା ମାସରେ ମତଦାନ ତାରିଖ ଘୋଷଣା ହୋଇପାରେ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ଉତ୍ତରପ୍ରଦେଶର ଦୁର୍ବଳ ଆସନ ଗୁଡିକ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ବିଜେପିର ପ୍ରଥମ ତାଲିକାରେ ୧୫୦ ନାମ ଅନ୍ତର୍ଭୁକ୍ତ ହୋଇପାରେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୯ ରେ ହେବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରଥମ ବୈଠକ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ୧୫୦ ରୁ ଅଧିକ ପ୍ରାର୍ଥୀ ଘୋଷଣା କରିପାରେ । ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ (ବାରାଣାସୀ), ଗୃହମନ୍ତ୍ରୀ ଅମିତ ଶାହା (ଗାନ୍ଧିନଗର), ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (ଲକ୍ଷ୍ନୌ) ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ (ନାଗପୁର) ଙ୍କ ନାମ ପ୍ରଥମ ତାଲିକାରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।
ପରଭେଶ ଭର୍ମା (ପଶ୍ଚିମ ଦିଲ୍ଲୀ), ମନୋଜ ତିୱାରୀ (ଉତ୍ତର ପଶ୍ଚିମ ଦିଲ୍ଲୀ) ଏବଂ ରମେଶ ବିଦୁରୀ (ଦକ୍ଷିଣ ଦିଲ୍ଲୀ) ର ନାମ ମଧ୍ୟ ଚୂଡାନ୍ତ ହୋଇଛି । ବିଜେପି ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ପୀୟୁଷ ଗୋୟଲ, ମନସୁଖ ମାଣ୍ଡଭିୟ, ପୁରୁଷୋତ୍ତମ ରୁପାଲା ଏବଂ ରାଜୀବ ଚନ୍ଦ୍ରଶେଖର ରହିପାରନ୍ତି ।
ବିଜେପି କେନ୍ଦ୍ରିୟ ନିରର୍ବାଚନ କମିଟିର ଏକ ପ୍ରାରମ୍ଭିକ ବୈଠକ ଶନିବାର ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୭ଟି ରାଜ୍ୟ ଉପରେ ଆଲୋଚନା କରାଯାଇଥିଲା, ଯେଉଁଠାରେ ଅଧିକ ସଂଖ୍ୟକ ଲୋକସଭା ଆସନ ରହିଛି । ଏହି ବୈଠକରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏମପିର ମୋହନ ଯାଦବ, ରାଜସ୍ଥାନର ଭଜନଲାଲ୍ ସର୍ମା, ଛତିଶଗଡର ବିଷ୍ଣୁଦେବ ସାଇଙ୍କ ବ୍ୟତୀତ ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ କେରଳର ବରିଷ୍ଠ ନେତା ସାମିଲ ରହିଥିଲେ । ଏହି ବୈଠକରେ ଅମିତ୍ ଶାହା, ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ଏବଂ ବିଜେପିର ରାଷ୍ଟ୍ରିୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।