ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଏମ୍ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏବେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ସାର୍ବଜନୀନ କରିବାକୁ ହେବ । ଏହାର ଶେଷ ତାରିଖ ୩୧ ଅଗଷ୍ଟ ରଖାଯାଇଛି । ଯଦି ଏହି କାର୍ଯ୍ୟ ଶେଷ ତାରିଖ ସୁଦ୍ଧା ନହୁଏ, ତେବେ କର୍ମଚାରୀ ମାନେ ଅଗଷ୍ଟ ମାସ ପାଇଁ ସେମାନଙ୍କର ଦରମା ପାଇବେ ନାହିଁ । ଏହା ସହିତ ସେହି ସରକାରୀ କର୍ମଚାରୀଙ୍କ ପଦୋନ୍ନତି ହେବ ନାହିଁ। ଏବେ ଆସନ୍ତୁ ଜାଣିବା ଏହି ନିର୍ଦ୍ଦେଶ ବିଷୟରେ...
ମିଳିଥିବା ସୂଚନାନୁସାରେ, ଏନେଇ ଉତ୍ତରପ୍ରଦେଶ ସରକାରଙ୍କ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ, ସମସ୍ତ ସରକାରୀ କର୍ମଚାରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଘୋଷଣା କରିବା ଉଚିତ । ନଚେତ୍ ସେମାନଙ୍କୁ ପଦୋନ୍ନତି ଦିଆଯିବ ନାହିଁ । ଯେଉଁମାନେ ଏଥିରୁ ବାଦ୍ ପଡିବେ ସେହି କର୍ମଚାରୀ ମାନେ ଅଗଷ୍ଟ ମାସ ପାଇଁ ସେମାନଙ୍କର ଦରମା ମଧ୍ୟ ପାଇବେ ନାହିଁ । ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ସମ୍ପତ୍ତି ଘୋଷଣା କରିବାକୁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସରକାରଙ୍କୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସରକାର ଏବେ ଏହି କଡା ନିଷ୍ପତ୍ତି ନେଇଛନ୍ତି।
ସୂଚନାଥାଉକି, ଉତ୍ତରପ୍ରଦେଶ ସରକାର ମାନବ ସମ୍ପଦ ପୋର୍ଟାଲରେ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ପଞ୍ଜିକରଣ କରିବାକୁ ରାଜ୍ୟ କର୍ମଚାରୀଙ୍କୁ କହିଛନ୍ତି। ପୂର୍ବରୁ ସମ୍ପତ୍ତି ଘୋଷଣା ପାଇଁ ତାରିଖ ୩୧.୧୨.୨୦୨୩ ପର୍ଯ୍ୟନ୍ତ ରଖାଯାଇଥିଲା । ଏହା ପରେ ଏହି ସମୟ ଅବଧି ୩୦.୦୬.୨୦୨୪ ବୋଲି ଦର୍ଶାଯାଇଥିଲା । ଏହା ପରେ ଏହି ତାରିଖକୁ ୩୧.୦୭.୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।