ଭୁବନେଶ୍ୱର, ୦୩/୦୯ : ରାଜସ୍ୱ ହରାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଦୋକାନ ନିର୍ମାଣ କରି ଭଡ଼ା ଦିଆଯାଇଛି, ଅଥଚ ଭଡ଼ା ଆଦାୟ କରୁନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଦୋକାନ ଭଡ଼ା ମାସକୁ ମାତ୍ର ୧୫୦, ୩୦୦ ଭଳି ଟଙ୍କା ଧାର୍ଯ୍ୟ ହୋଇଛି । ଏହାକୁ ମଧ୍ୟ ଦୋକାନୀ ଦେଉନାହାନ୍ତି କିମ୍ବା ସେମାନଙ୍କୁ ତାଗିଦ କରାଯାଉନି । ୨୩ ଦୋକାନୀଙ୍କ ଉପରେ ୧୮ ଲକ୍ଷରୁ ଅଧିକ ଟଙ୍କା ଭଡ଼ା ବାକି ପଡ଼ିଛି । ବର୍ଷେ ହେଲା ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ପରିସରରେ ୧୦ଟି ନୂଆ ଦୋକାନକୁ ଭଡ଼ାରେ ଦିଆଯାଇଛି । ହେଲେ ଏମାନଙ୍କଠୁ ଟଙ୍କାଟିଏ ବି ଏପର୍ଯ୍ୟନ୍ତ ଆଦାୟ ହୋଇନି । ଭଡ଼ା ଆଦାୟ ନେଇ କର୍ତ୍ତୃପକ୍ଷଙ୍କ ରହସ୍ୟମୟ ନିରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କ୍ୟାମ୍ପସରେ ୧୩ଟି ହଷ୍ଟେଲ ରହିଛି । ୬ଟି ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ଅଛି ।
କ୍ୟାମ୍ପସରେ ୧୪୫ଟି ଅଧ୍ୟାପକ କ୍ୱାର୍ଟର୍ସ ଓ ୪୬୫ଟି କର୍ମଚାରୀ କ୍ୱାର୍ଟର୍ସ ରହିଛି । ଏଥିରୁ ୯୨ଟି କ୍ୱାର୍ଟର୍ସରେ ଅଧ୍ୟାପକ ରହୁଥିବା ବେଳେ ୩୧୪ଟିରେ ଅଣଅଧ୍ୟାପକ ରହୁଛନ୍ତି । ବିଶ୍ୱବିଦ୍ୟାଳୟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨ଟି ମାର୍କେଟ ନିର୍ମାଣ କରାଯାଇଛି । ଗୋଟିଏ ଏକ ନମ୍ବର ଛାତ୍ରାବାସ ପାଖରେ ଗୋବିନ୍ଦ ସାହୁ ମାର୍କେଟ । ଅନ୍ୟଟି ପାଣିଟାଙ୍କି ପାଖରେ ଥିବା ଅଳକା ମାର୍କେଟ । ସେହିପରି ସେଣ୍ଟ୍ରାଲ କ୍ୟାଣ୍ଟିନ୍ ପରିସରରେ ନୂଆ କରି ୧୦ଟି ଦୋକାନ ଘର ନିର୍ମାଣ କରାଯାଇ ଆବଣ୍ଟନ କରାଯାଇଛି । ବିଶ୍ୱବିଦ୍ୟାଳୟରେ ୨୩ ଜଣ ସ୍ୱୀକୃତିପ୍ରାପ୍ତ ଦୋକାନୀଙ୍କୁ ଦୋକାନ ଗୃହ ଆବଣ୍ଟନ ହୋଇଛି । ସେମାନଙ୍କ ପାଇଁ ଭଡ଼ା ଧାର୍ଯ୍ୟ କରାଯାଇଛି । ହେଲେ ଘର ଭଡ଼ା ଆଦାୟ କରାଯାଉନି । ଏପରିକି ଭଡ଼ା ଦେଉନଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉନି । ସବୁଠୁ ଆଶ୍ଚର୍ଯ୍ୟର କଥା ଜଣେ ଦୋକାନୀଙ୍କର ମାସକୁ ଘର ଭଡ଼ା ୩୦୦ ଟଙ୍କା ରଖାଯାଇଛି । ଉକ୍ତ ଦୋକାନୀଙ୍କ ଉପରେ ୧ ଲକ୍ଷ ୧୬ ହଜାର ୪୩୪ ଟଙ୍କା ବାକି ରହିଛି । ପାଖାପାଖି ୩୨ ବର୍ଷ ହେଲା ସେ ଘର ଭଡ଼ା ଦେଇନାହାନ୍ତି । କେବଳ ଏହି ଜଣେ ବ୍ୟକ୍ତି ନୁହନ୍ତି । ଆଉ ଜଣେ ଦୋକାନୀଙ୍କ ଉପରେ ୭୮ ହଜାର ୫୦ ଟଙ୍କା ବାକି ପଡ଼ିଛି । ସେହିପରି ୪୦୦ଟଙ୍କା ଭଡ଼ା ଥିବା ଜଣେ ଦୋକାନୀଙ୍କର ୧ ଲକ୍ଷ ୧ ହଜାର ୬୫୩ ଟଙ୍କା ବାକି ରହିଛି । ଆଉ ଜଣଙ୍କର ୧ ଲକ୍ଷ ୮୧୪ ଟଙ୍କା ବାକି ରହିଛି । ୫୦୦ ଟଙ୍କା ଭଡ଼ା ଧାର୍ଯ୍ୟ ଥିବା ଜଣେ ଦୋକାନୀଙ୍କର ୧ ଲକ୍ଷ ୨୬ ହଜାର ୩୨୩ ଟଙ୍କା ବାକି ରହିଛି । ମାସକୁ ୧୫୦, ୨୦୦ ଟଙ୍କା ଭଡ଼ା ଧାର୍ଯ୍ୟ ଥିବା ଦୋକାନୀ ମଧ୍ୟ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି ।
ଏସବୁ ହିସାବ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଛି, କିନ୍ତୁ ଭଡ଼ା ଆଦାୟ ଦିଗରେ କାହିଁକି ପଦକ୍ଷେପ ନିଆଯାଉ ନାହିଁ ଜଣାପଡ଼ୁନି । ସବୁଠୁ ବଡ଼ କଥା ହେଲା ଗତ ବର୍ଷ ବିଶ୍ୱବିଦ୍ୟାଳୟ ସେଣ୍ଟ୍ରାଲ୍ କ୍ୟାଣ୍ଟିନ ପରିସରରେ କିଓସ୍କୋ ପରି ୧୦ଟି ଦୋକାନ ଘର ନିର୍ମାଣ କରି ଭଡ଼ା ଦିଆଯାଇଛି । କର୍ତ୍ତୃପକ୍ଷ ଏହାକୁ ବିଦ୍ୟୁତ୍ ବିଲ୍ ସହ ୫୦୦୦ ଟଙ୍କା ଧାର୍ଯ୍ୟ କରିଥିଲେ । ଏହି ଦର ଅତ୍ୟଧିକ ହୋଇଛି ବୋଲି ଅଭିଯୋଗ ମଧ୍ୟ ହୋଇଥିଲା । କୁଳପତିଙ୍କୁ ଭେଟି ଭଡ଼ା କମ କରିବାକୁ ଅନୁରୋଧ କରିଥିଲେ ଦୋକାନୀ । ଏହା କୁଳପତିଙ୍କ ବିଚାରାଧୀନ ରହିଛି । ଦର ପୁନଃ ନିର୍ଦ୍ଧାରଣ ହେବା ପରେ ସେମାନେ ଭଡ଼ା ଦେବେ ବୋଲି ସୂଚନା ରହିଛି । ପୁଣି ବିଶ୍ୱବିଦ୍ୟାଳୟ ପରିସରରେ ୩୫ଟି ଅଣସ୍ୱୀକୃତି ପ୍ରାପ୍ତ ଦୋକାନ ରହିଛି । କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଜବରଦଖଲ କରି ଦୋକାନ ନିର୍ମାଣ କରାଯାଇଛି । ସେମାନଙ୍କୁ ଉଚ୍ଛେଦ କରିବାକୁ କର୍ତ୍ତୃପକ୍ଷ ମଧ୍ୟ କିଛି ପଦକ୍ଷେପ ନେଉନାହାନ୍ତି । ଗତ ୨୩ ତାରିଖରେ ବିଧାନସଭାରେ ବିଧାୟକ ଅଶୋକ କୁମାର ଦାସଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଉତ୍ତର ରଖିଛନ୍ତି ।