ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଖାଉଟିଙ୍କୁ ଆଶ୍ୱସ୍ତି , ସ୍ୱାଭାବିକ ହେଉଛି ପରିବା ଦର: ୩୦ ଟଙ୍କା ତଳେ ଅଧିକାଂଶ ପରିବା

ଭୁବନେଶ୍ୱର,୧୦/୦୯ : ଦରବୃଦ୍ଧି  ଚାପରେ ଅଣନିଃଶ୍ୱାସୀ ଖାଉଟିଙ୍କୁ ମିଳିଛି  ଆଶ୍ୱସ୍ତି । ମହଙ୍ଗା ପରିବା ଯୋଗୁ ନାକରେ  କାନ୍ଦିଥିବା ଲୋକଙ୍କୁ ସାମାନ୍ୟ ଖୁସି ମିଳିଛି ।  କାରଣ ପରିବା ଦର କମୁଛି  । ଏବେ  ଅଧିକାଂଶ ପରିବା କିଲୋ ପିଛା ୩୦  ଟଙ୍କା ତଳକୁ ଖସିଆସିଛି । ଖାଉଟି ନିଜ  ମନ ମୁତାବକ ପରିବା କିଣିବାକୁ ଇଚ୍ଛା  କରୁଛନ୍ତି । ସ୍ଥାନୀୟ ଉତ୍ପାଦନ ସହ ବାହାରୁ  ଆସୁଥିବା ପରିବା ଦର ଅପେକ୍ଷାକୃତ  କମ୍‌ ରହୁଥିବାରୁ ଖୁଚୁରା ବଜାରରେ  ଏହାର ଦର କମିଛି । ଦିନେ ଟମାଟୋ  ଦର ଯୋଗୁ ଲୋକେ କାନ୍ଦୁଥିଲେ, ଏବେ  ଚାଷୀ କାନ୍ଦୁଛନ୍ତି । ଆନ୍ଧ୍ରରେ କିଲୋ ପିଛା  ଟମାଟୋ ଦର ୩ ଟଙ୍କାକୁ ଖସିଆସିଥିବାରୁ  ଚାଷୀ ରାସ୍ତାରେ ଗଦା କରୁଛନ୍ତି । 

ସ୍ଥାନୀୟ ୟୁନିଟ-୧ ପରିବା  ମାର୍କେଟରେ ଶନିବାର ସଂଧ୍ୟାରେ ଟମାଟୋ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି। ସେହିଭଳି  ବନ୍ଧା କୋବି ୨୫ ଟଙ୍କା, ପୋଟଳ  ୨୫ରୁ ୩୦ ଟଙ୍କା, ବାଇଗଣ ୪୦,  ଭେଣ୍ଡି ୨୦, କାଙ୍କଡ ୩୦, ଜହ୍ନି ୨୦,  ଭଣ୍ଡା ୨୦, ଗାଜର ୩୦, କାକୁଡି ୩୦  ଟଙ୍କାରେ ବିକ୍ରି ହେଉଛି । 

ରାଜଧାନୀ କଞ୍ଚା  ପରିବା ସଂଘର ସଭାପତି କବିରାଜ ସ୍ୱାଇଁ  କହିଛନ୍ତି, ବର୍ତ୍ତମାନ ବଜାରରେ ପରିବା  ଉପଲବ୍ଧତା ରହିଛି । ବାହାର ବଜାରରୁ  ମଧ୍ୟ ମାଲ୍‌ ଆସିବାରେ କୌଣସି ସମସ୍ୟା  ନାହିଁ । ଦର ଏବେ ନିୟନ୍ତ୍ରଣକୁ ଫେରିଛି ।  ଛତ୍ରବଜାର ପରିବା ବ୍ୟବସାୟୀ ସଂଘର  ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି,  ବର୍ତ୍ତମାନ ପରିବା ଦର ୪୦ ଟଙ୍କା ଭିତରେ  ରହିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପରିବା  ସହ ଦେଶର ଦକ୍ଷିଣ ଭାଗ, ବାଙ୍ଗାଲୋର,  ନାସିକ, କଲିକତା, ରାଞ୍ଚି, ଛତିଶଗଡ ଭଳି  ସ୍ଥାନଗୁଡିକରୁ ପରିବା ରାଜ୍ୟକୁ ଆସୁଛି ।  ଉପଲବ୍ଧତା ଉନ୍ନତ ଥିବାରୁ ପରିବା ଦର  ଖସିଛି । ଛତ୍ର ବଜାରରେ ଶନିବାର  ସଂଧ୍ୟାରେ ଟମାଟୋ ଦର ୧୫ରୁ ୨୦  ଟଙ୍କା ରହିଥିଲା । ଦ୍ୱିତୀୟ ଫସଲ  ଆସିଥିବାରୁ ପରିବା ଦର ସ୍ୱାଭାବିକ  ହୋଇଛି । ଗତ ମାସେ ତଳେ ଅଧିକାଂଶ  ପରିବା ଦର ୧୦୦ଟଙ୍କା ସ୍ତର ଛୁଇଁଥିଲା ।  

ଦେଶର ବିଭିନ୍ନ ପ୍ରାନ୍ତରେ ଟମାଟୋ  ୧୫୦ ଟଙ୍କାରୁ ୨୫୦ ଟଙ୍କା ଯାଏ ବିକ୍ରି  ହେଉଥିଲା । ହଜାରେ ଟଙ୍କାରେ ବି  ଗୋଟିଏ ବ୍ୟାଗ୍‌ ପରିବା କିଣିବାକୁ  ସକ୍ଷମ ହେଉ ନ ଥିଲେ ଖାଉଟି । ଏବେ  ଦର ସ୍ୱାଭାବିକ ହୋଇଥିବାରୁ ଖାଉଟିଙ୍କ  ମନ ଖୁସି । ସ୍ଥାନୀୟ ରସୁଲଗଡର  ସରୋଜ ବେହେରା କହିଛନ୍ତି, ପରିବା  ସହ ବିଭିନ୍ନ ସାମଗ୍ରୀ ଦରଦାମ ଚିନ୍ତା  ବଢ଼ାଇଥିଲା । ଏବେ ଦର ସ୍ୱାଭାବିକ  ହେଉଛି । ଫଳରେ ଖାଉଟିଙ୍କୁ ଏହାର  ଲାଭ ମିଳିବ । ତେବେ ଅନ୍ୟ ସାମଗ୍ରୀ  ଦର ଏବେ ମଧ୍ୟ ଉଚ୍ଚରେ ରହିଥିବାରୁ  ଏହାର ଦର ସ୍ୱାଭାବିକ ହେବା ନେଇ  ଖାଉଟି ଅପେକ୍ଷାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.