ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ ମହାଲଢ଼େଇରେ କାହା ପ୍ରତିଶ୍ରୁତିକୁ ଭରସିବେ ଭୋଟର, ପ୍ରତିଶ୍ରୁତିର ବର୍ଷା ଭିତରେ ମତଦାତା ଦ୍ୱନ୍ଦ୍ୱରେ

ଭୁବନେଶ୍ୱର,୧୬/୦୪: ଧୁ ଧୁ ଖରା । ତାତିରେ ଦେହ ହାତ ପୋଡ଼ିଯାଉଛି । ଏମିତି ନିର୍ଘାତ୍‌ ତାତି ଭିତରେ ଭୋଟ ଭିଡ଼ିବାକୁ ଆରମ୍ଭ ହେଲାଣି ପ୍ରତିଶ୍ରୁତି ବର୍ଷା ।  ଆମକୁ ଭୋଟ ଦିଅ, ଆମେ ଅମୁକ ଦେବୁ । ଆମ ଚିହ୍ନରେ ଭୋଟ ଦେଲେ ଆମେ ସମୁକ ଦେବୁ । ହାତୀ ଦେବୁ, ଘୋଡ଼ା ଦେବୁ...କେତେ କ’ଣ ପ୍ରତିଶ୍ରୁତି । ଭୋଟ ପାଇଁ ଏବେ ଘୋଷଣାର ବର୍ଷା ଆରମ୍ଭ ହୋଇଛି । 

ବିଜେପି ଜାତୀୟ ସ୍ତରରେ ଇସ୍ତାହାର ଘୋଷଣା କରିଛି । ୫ ବର୍ଷ ମାଗଣା ରାସନ୍‌, ଗରିବଙ୍କୁ ୩ କୋଟି ଘର, ମୁକ୍ତ ବିଜୁଳି, ମୁଦ୍ରା ଋଣ ୨୦ ଲକ୍ଷକୁ ବୃଦ୍ଧି ସମେତ ୨୪ଟି  ମୋଦି ଗ୍ୟାରେଣ୍ଟିର ପ୍ରତିଶ୍ରୁତି । ରାଜ୍ୟ ବିଜେପି ଇସ୍ତାହାର ପ୍ରକାଶ କରି ନାହିଁ ଏ ଯାଏ । 

ବିଜେଡି କହୁଛି, ଆଉ କ’ଣ ପ୍ରତିଶ୍ରୁତି ଦିଆଯିବ ସେ ନେଇ କସରତ ଚାଲିଛି । ରାଜ୍ୟ କଂଗ୍ରେସ କିନ୍ତୁ ଗୁଡ଼ାଏ ପ୍ରତିଶ୍ରୁତି ଫିଙ୍ଗି ସାରିଛି । ବେକାର ଭତ୍ତାଠୁ ଆରମ୍ଭ କରି ୨୦୦ ୟୁନିଟ୍‌ ବିଜୁଳି ଛାଡ, କୃଷି ଋଣ ଛାଡ଼ ଆହୁରି କେତେ କ’ଣ..

ଏତେ ପ୍ରତିଶ୍ରୁତି ଭିତରେ ମତଦାତା ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ । ସମସ୍ତଙ୍କ ପ୍ରତିଶ୍ରୁତି ଲୋଭନିୟ ଲାଗୁଛି । କେଉଁ ଦଳ ମାଗଣା ଖୁଆଇବା ଲୋଭ ଦେଖାଉଛି ତ କିଏ ସହାୟତା ଓ ଋଣ ମାଧ୍ୟମରେ ଟଙ୍କା ମୋହ ଦେଖାଇଛି । କିଏ ପ୍ରତିଶ୍ରୁତି ପାଳନ କରିବ ଆଉ ଭଣ୍ଡିଦେବ ତାହା ଠଉରାଇ ପାରୁ ନାହିଁ । ଏତେ ପ୍ରତିଶ୍ରୁତି ପୂରଣ କରିବେ କେମିିତି ସେ ହିସାବ ବି ପାଉ ନାହିଁ । ଭରସିବେ କାହାକୁ, ବିଜେଡି, ବିଜେପି ନା କଂଗ୍ରେସ?

ରାଜ୍ୟ ବିଜେପି ଏଯାଏଁ ନିଜସ୍ୱ ଇସ୍ତାହାର ଜାରି କରିନି । ଖୁବଶୀଘ୍ର ଦଳ ଇସ୍ତାହାର ଜାରି କରିବ । ଦଳର ଭରସା ମୋଦି ଗ୍ୟାରେଣ୍ଟି । ଜାତୀୟସ୍ତରରେ ଲୋକସଭା ନିର୍ବାଚନ ପାଇଁ ବିଜେପି ମୋଦି ଗ୍ୟାରେଣ୍ଟି ନାଁରେ ଦିନକ ତଳେ ଇସ୍ତାହାର ଜାରି କରିଛି । ଏଥିରେ ଦଳ ଘୋଷଣା କରିଛି, ଏଥର କେନ୍ଦ୍ରରେ କ୍ଷମତାକୁ ଆସିଲେ ଗରିବଙ୍କୁ ଆହୁରି ୫ ବର୍ଷ ମାଗଣା ରାସନ ବାଣ୍ଟିବୁ । ଗରିବଙ୍କୁ ପକ୍କା ଘର ଦେବୁ । ଘରେ ଘରେ ପାଇପରେ ରନ୍ଧନ ଗ୍ୟାସ ପହଞ୍ଚାଇବୁ । ରାଜ୍ୟ ବିଜେପି ଏସବୁ କଥାକୁ ଜୋରସୋରରେ ପ୍ରଚାର ଚଳାଇଛି ଓଡ଼ିଶାର ହିତାଧିକାରୀଙ୍କ ମନ ଜିତିବା ପାଇଁ ।  ବିଜେଡି ଏଥର ନାରା ଦେଇଛି-ସଂକଳ୍ପ ଆମର, ବିକାଶ ସଭିଙ୍କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହ ୨୦୧୯ ନିର୍ବାଚନରେ ବିଜେଡି ପାଇଁ ଟ୍ରମ୍ପ କାର୍ଡ ସାଜିଥିଲା କାଳିଆ ଯୋଜନା । କାଳିଆ ସହାୟତା ଟଙ୍କା ପାଇବା ପରେ ଚାଷୀ ଭୋଟ ଅଜାଡ଼ି ଦେଇଥିଲେ ବିଜେଡିକୁ । ଏଥର ବି ଦଳ ନବୀନଙ୍କ ଲୋକପ୍ରିୟତା ଓ ମାଳମାଳ ଯୋଜନା ଏବଂ ରୂପାନ୍ତରଣ କାର୍ଯ୍ୟର ସଫଳତା ଚିଠା ଧରି  ପ୍ରଚାର ଚଳାଇଛି । ଅନ୍ୟପଟେ ଷଷ୍ଠ ଥର କ୍ଷମତାକୁ ଆସିଲେ କ’ଣ କରିବେ, ତା’ର ତାଲିକା ପ୍ରସ୍ତୁତି ଚଳାଇଛି ବିଜେଡି ଇସ୍ତାହାର କମିଟି । 

ନିର୍ବାଚନ ପୂର୍ବରୁ ଗତ କିଛି ମାସ ଧରି ବିଜେଡି ସରକାର ରାଜ୍ୟରେ ଉପହାର ପରେ ଉପହାର ବର୍ଷା କରି ଚାଲିଥିଲେ ଭୋଟରଙ୍କ ପାଇଁ । ନିର୍ବାଚନ ଘୋଷଣାର  କିଛି ଦିନ ପୂର୍ବରୁ ବିଭିନ୍ନ ବର୍ଗ, ସଂଗଠନ ଓ ଅଞ୍ଚଳର ବର୍ଷ ବର୍ଷର ପୁରୁଣା ଦାବି ପୂରଣ କରିିଥିଲେ । ଏବେ ସିଧାସଳଖ ଭୋଟରଙ୍କ ମନ ଜିତିବାକୁ କସରତ ଚଳାଇଛି ବିଜେଡି । 

ବିଜେଡି ମହଲରେ ଚିନ୍ତନ ଚାଲିଛି-ଆଉ କ’ଣ ବାକି ରହିଲା? ଲୋକଙ୍କ ପାଇଁ ଆଉ କ’ଣ କରିହେବ? ଆଉ କି ଯୋଜନା ଦେଇ ହେବ? କେମିତି ଭୋଟରଙ୍କ ମନ ଜିତି ହେବ? ସବୁଠୁ ବଡ଼ କଥା ହେଲା- ନିକଟରେ ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତ୍ତା ବଢ଼ିଛି, ଆଉ କେତେ ବଢ଼ିବ? ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତିକରଣ ପାଇଁ ଋଣ ସୁଧ ଛାଡ଼ କରାଯାଇଛି? ସ୍କୁଟି ଦିଆଯାଇଛି । ଏବେ ଆଉ କ’ଣ କରିହେବ? ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ କିଛି ନୂଆ ଯୋଜନା ଆଣି ହେବ କି? ଚାଷୀ ହାତକୁ ଆଉ କ’ଣ ଦେଇହେବ? ଏସବୁ ଦିଗରେ ଇସ୍ତାହାର କମିଟି ବିଚାର ବିମର୍ଷ ଚଳାଇଥିବା କୁହାଯାଉଛି । 

ବିଜେଡି ଇସ୍ତାହାର ଉପରେ ସଭିଙ୍କ ନଜର ଅଟକି ରହିଛି । ବିଏସକେୱାଇ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଏକତରଫା ବିଜୟ ମିଳିଥିବା ରାଜନୈତିକ ବିଶ୍ଳେଷକ ମତ ରଖିଥିଲେ । ଏବେ ଲୋକେ ଅପେକ୍ଷା କରିଛନ୍ତି,  ବିଜେଡି ଇସ୍ତାହାରରେ ବିଏସକେୱାଇ ନେଇ ଆଉ କିଛି ବଡ଼ ପ୍ରତିଶ୍ରୁତି ରଖିବ କି? ଯୁବ ଭୋଟ୍‌ ପାଇଁ ସ୍ୱତନ୍ତ୍ର ଭାବେ ଯୁବ ବଜେଟ କରିବାକୁ ଦଳ କିଛି ବଡ଼ ଘୋଷଣା ଆଣିପାରେ । ସମସ୍ତଙ୍କ ମୁଣ୍ଡରେ ଛାତ ଘର ନେଇ ଘୋଷଣା କରିପାରେ ଦଳ । 

ରାଜ୍ୟ ବିଜେପିକୁ ଭରସା ମୋଦି ଗ୍ୟାରେଣ୍ଟି । ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରର ସଫଳ ଯୋଜନା ହିଁ ଓଡ଼ିଶାରେ ବିଜେପି ପାଇଁ ସବୁଠୁ ବଡ଼ ଅସ୍ତ୍ର । ମୋଦି ଗ୍ୟାରେଣ୍ଟିରେ ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ମହିଳାଙ୍କ ପାଇଁ ଲକ୍ଷପତି ଦିଦି ଯୋଜନାର ଢେର ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଗରିବଙ୍କୁ ପକ୍କା ଘର ଏଥର ବି ଦଳର ପ୍ରମୁଖ ନାରା । ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍‌ ହବ୍‌ କଥା ଦଳ କହୁଛି। ବିଜେଡି ସରକାରଙ୍କ ଦୋଷ ଦୁର୍ବଳତା ବିରୋଧରେ ବି ଗର୍ଜୁଛି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାର ଗ୍ୟାରେଣ୍ଟି ଦେଉଛି ବିଜେପି । ସୂତ୍ର କହୁଛି, ମଧ୍ୟପ୍ରଦେଶର ଲାଡ୍‌ଲି ବହେନା ଢାଞ୍ଚାରେ ମହିଳାଙ୍କ ଖାତାକୁ ସିଧା ଟଙ୍କା ପଠାଇବା ବ୍ୟବସ୍ଥାର ପ୍ରତିଶ୍ରୁତି ରହିପାରେ ବିଜେପି ଇସ୍ତାହାରରେ । ଏହା ଛଡ଼ା ଚାକିରି ଓ ଚାଷୀଙ୍କ ଏମଏସପି କଥା ବି ରହିବ ।  

କଂଗ୍ରେସ ଦଳ ନିର୍ବାଚନୀ ପ୍ରତିଶ୍ରୁୂତି ଓ ଇସ୍ତାହାରରେ ସବୁଠୁ ଆଗୁଆ ରହିଛି । ପ୍ରତି ଘରେ କଂଗ୍ରେସ ନିଜର ଗ୍ୟାରେଣ୍ଟି କାର୍ଡ ପହଞ୍ଚାଇବା ଦିଗରେ ଅଭିଯାନ ଚଳାଇଛି । ଗୃହ ଜ୍ୟୋତି ଯୋଜନାରେ ୨ଶହ ୟୁନିଟ ମାଗଣା ବିଜୁଳି, ଚାଷୀକୁ ୨ ହଜାର ଟଙ୍କା ପେନସନ, କୃଷି ଋଣ ଛାଡ଼ଳ, ଧାନ କୁଇଣ୍ଟାଲ ୩ ହଜାର, ଗୃହ ଲକ୍ଷ୍ମୀରେ ମହିଳାଙ୍କୁ ମାସିକ ୨ ହଜାର, ୫ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ଦେବା ସହ ୩ ହଜାର ଟଙ୍କାର ବେକାରୀ ଭତ୍ତା, ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.