ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଜଳଯୁଦ୍ଧରେ ଆମ ଦେଶ...

ଭୁବନେଶ୍ୱର: ଅଟଳ ବିହାରୀ ବାଜପେୟୀ ଥରେ କହିଥିଲେ- ତୁମେ ତୁମ ବନ୍ଧୁଙ୍କୁ ବଦଳାଇ ପାରିବ, କିନ୍ତୁ ପଡ଼ୋଶୀଙ୍କୁ ନୁହେଁ । ଅର୍ଥାତ୍‌ ସେଇ ପଡ଼ୋଶୀଙ୍କୁ ନେଇ ସାରାଜୀବନ ବଞ୍ଚିବାକୁ ହେବ । ଚୀନ ଆମ ପଡ଼ୋଶୀ ରାଷ୍ଟ୍ର । ଏକ ଶତ୍ରୁ ରାଷ୍ଟ୍ର । ନେହରୁଙ୍କ ଅମଳରୁ ସେ ବନ୍ଧୁତାକୁ ବିସର୍ଜନ ଦେଇ ଆମ ଦେଶର ଶତ୍ରୁ ସାଜିଛି । ସବୁ ସମୟରେ ସୀମା ବିବାଦକୁ ନେଇ ଯୁଦ୍ଧ କରିଛି । ଅକସାଇ ଭାରତକୁ ମାଡ଼ିବସିଛି । ଏବେ ତ ଆମରି ଚାରିଦିଗରୁ ଘେରିବାକୁ ଆରମ୍ଭ କରିଛି । ପାକିସ୍ତାନ, ଶ୍ରୀଲଙ୍କାକୁ ଦେବାଳିଆ କରିଛି ଅକ୍ତିଆର କରିବା ପାଇଁ । ମିଆଁମାରକୁ ଅକ୍ତିଆର କରିସାରିଛି ଜୁଣ୍ଟା ମିଲିଟାରୀ ଶାସକଙ୍କୁ ସମର୍ଥନ କରି, ଗଣତନ୍ତ୍ରକୁ ହତ୍ୟା କରି । ପୁଣି ଏବେ ମାଳଦ୍ୱୀପକୁ ଅକ୍ତିଆର କରି ଆମ ଦେଶ ବିରୋଧରେ ନୌସେନା ଘାଟି ନିର୍ମାଣ କରିବାକୁ ଉଦ୍ୟମ କରିଛି । ତିଦ୍ଦତକୁ କେଉଁ ଯୁଗରୁ ଅକ୍ତିଆର କରିନେଇଛି । ଏବେ ପୁଣି ନେପାଳ, ଭୁଟାନକୁ ଉସ୍‌କାଉଛି ଆମ ଦେଶ ବିରୋଧରେ ଠିଆହେବା ପାଇଁ । ଯେଉଁ ଆନ୍ତର୍ଜାତିକ ରିପୋର୍ଟ ପ୍ରକାଶ ପାଇଛି, ସେଥିରେ ଜଣାପଡ଼େ ୨୦୩୦ ସୁଦ୍ଧା ଚୀନ ତାଇୱାନକୁ ଅକ୍ତିଆର କରିନବ । ତା’ପର ଲକ୍ଷ୍ୟ ସେଙ୍କାଙ୍କୁ ଦ୍ୱୀପପୁଞ୍ଜ, ଯାହା ଏବେ ଜାପାନରେ ଅନ୍ତର୍ଭୁକ୍ତ ଓ ପରେ ପରେ ୨୦୩୫-୪୦ ସୁଦ୍ଧା ଭାରତରେ ଧସେଇ ପଶିବ ଅରୁଣାଚଳ ପ୍ରଦେଶକୁ ଅକ୍ତିଆର କରିବା ପାଇଁ । ଅରୁଣାଚଳ କାହିଁକି? ତାର ସିଧାସଳଖ ଉତ୍ତର ହେଲା ଆମ ଦେଶ ବିରୁଦ୍ଧରେ ଆରମ୍ଭ କରିଦବା ପାଇଁ ଜଳଯୁଦ୍ଧ ବା ୱାଟର ୱାର, ଯେହେତୁ ସିଧାସଳଖ ଯୁଦ୍ଧ କରିବା ସମ୍ଭବ ନୁହେଁ ।

ଚୀନ ଲୋକସଂଖ୍ୟା ଦୃଷ୍ଟିରୁ ସବୁବେଳେ ଏକ ୱାଟର ଷ୍ଟ୍ରେସ୍‌ ବା ଜଳସଂକଟ ଚାପଗ୍ରସ୍ତ ରାଷ୍ଟ୍ର । ଆଶଙ୍କା କରାଯାଉଛି, ଏହାର ଲୋଲୁପ ଦୃଷ୍ଟି ବ୍ରହ୍ମପୁତ୍ର ନଦୀ ଉପରେ । ବ୍ରହ୍ମପୁତ୍ର ବାହାରିଛି ହିମାଳୟର କୈଳାସ ପର୍ବତମାଳାରୁ ୫୩୦୦ ମିଟର ଉଚ୍ଚତାରୁ । ତାହାପରେ ତିଦ୍ଦତ ମଧ୍ୟରେ ଗତି କରି ପ୍ରବେଶ କରିଛି ଅରୁଣାଚଳ ପ୍ରଦେଶରେ, ପରେ ଆସାମରେ । ସେଠାରେ ଦେଖିବାକୁ ପଡ଼େ ଏହାର ବିଶାଳ ରୂପ । ଚୀନର ଉତ୍ତରାଞ୍ଚଳରେ ୪୫% ଲୋକ ବସବାସ କରନ୍ତି । ମାତ୍ର ସେଠାରେ ଜଳର ପରିମାଣ ୪.୫ ପ୍ରତିଶତ । ତେଣୁ ଦକ୍ଷିଣାଞ୍ଚଳରୁ ସେଠାକୁ ସେ ଜଳଯୋଗାଣ କରେ । ବ୍ରହ୍ମପୁତ୍ର ନିଏ ୨୦୦ ନିୟୁତ କ୍ୟୁବିକ ମିଟର ଜଳ । ଜାତିସଂଘରେ ଥିବା ଫୁଡ୍‌ ଆଣ୍ଡ ଏଗ୍ରିକଲଚର ସଙ୍ଗଠନର ତଥ୍ୟ ଅନୁସାରେ, ତିଦ୍ଦତରେ ବ୍ରହ୍ମପୁତ୍ରର ଅଛି ୩୧%ରୁ କମ୍‌ ଜଳ । ଆଉ ତିଦ୍ଦତ ଏକ କୋଲ୍‌ଡ ଡେଜର୍ଟ ବା ବରଫାବୃତ୍ତ ମରୁଭୂମି । ତିଦ୍ଦତ ପ୍ଲାଚ୍ୟୁରେ କେତେ ପରିମାଣରେ ବର୍ଷା ହୁଏ ତାହା କେବଳ ଚୀନ ଜାଣେ, କାରଣ ସେ କୌଣସି ଡାଟା କାହା ସହିତ ସେୟାର କରେନାହିଁ । ଆକଳନ ଅନୁସାରେ ୭୦% ବ୍ରହ୍ମପୁତ୍ରର ଜଳ ଅଛି ଆମ ଦେଶରେ । ଗୋଟିଏ ନଦୀ ଯେଉଁଠୁ ବାହାରେ ସେଠାରେ ଓ ତଳକୁ ଶହ ଶହ କିମି. ବ୍ୟାପୀ ଗତିପଥରେ ବି ଜଳର ପରିମାଣ କମ୍‌ । ଯେଉଁସବୁ ୧୭ଟି ଗ୍ଲାସିୟରରୁ ବରଫ ତରଳି ବ୍ରହ୍ମପୁତ୍ରରେ ମିଶେ ତାହା ସବୁ ଆମ ଦେଶରେ । ସେଥିପାଇଁ ଜଳର ବିଶାଳ ଭଣ୍ଡାର ଏଠାରେ । ଚୀନ ଚାହିଁଲେ ବି କିଛି କରିପାରିବ ନାହିଁ । ଯେଉଁ ଅଂଶ ବ୍ରହ୍ମପୁତ୍ରର ଚୀନରେ ଅଛି ତାରି ଉପରେ ଚୀନ ୮ଟି ଡ୍ୟାମ୍‌ କରିଛି, କିଛି ବାକି ଅଛି । ପୁଣି ଯେଉଁଠି ବ୍ରହ୍ମପୁତ୍ର ବାଙ୍କି ବିପରୀତମୁଖୀ ହୋଇଯାଇଛି ସେଠାରେ ଦୁଇପାଶ୍ୱର୍କୁ ଯୋଡ଼ିବା ପାଇଁ ୬ହଜାର ୬ଶହ ଫୁଟର ଏକ ଟନେଲ ନିର୍ମାଣ କରୁଛି । ପାର୍ବତ୍ୟ ଅଞ୍ଚଳରେ କୌଣସି ଟନେଲ ଖଣ୍ଡ ଖଣ୍ଡ କରି କରାଯାଏ, ସିଧାସଳଖ ନୁହେଁ । ଠିକ୍‌ ଏହା ତଳକୁ ଆମ ଦେଶର ଏକ ଡ୍ୟାମ୍‌ ନିର୍ମାଣ ଯୋଜନା ଅଛି । ତାର କାରଣ ବ୍ରହ୍ମପୁତ୍ରର ଜଳ, ଯାହା ଚୀନରୁ ଆସିବ ତାକୁ କିଛି ମାସ ପାଇଁ ରୋକିବା ଉଦ୍ଦେଶ୍ୟରେ । କାରଣ ହେଲା ଗୋଟିଏ ଦେଶ ସହିତ ଜଳଯୁଦ୍ଧ ଦୁଇ ରକମର କରାଯାଇପାରେ । ଜଳ ଆଦୌ ନଛାଡ଼ିବା ଓ ଏକାଥରକେ ସବୁ ଜଳ ଛାଡ଼ିଦେଇ ଦେଶରେ ବନ୍ୟା କରାଇଦେବା । ଯଦି ବର୍ଷାକାଳରେ ସବୁ ଜଳ ଛାଡ଼େ ଆମ ଦେଶରେ ବ୍ରହ୍ମପୁତ୍ର ଏତେ ବିଶାଳ ଯେ ଧରିରଖି ପାରିବ ବା କିଛି ମାତ୍ରାରେ କ୍ଷତି ହେବ । କିନ୍ତୁ ବାଂଲାଦେଶ ଧୋଇ ହୋଇ ସମୁଦ୍ରରେ ମିଶିିଯିବ । ଡ୍ୟାମ କରିବାର ଉଦ୍ଦେଶ୍ୟ ହେଲା, ଜଳକୁ ନିୟନ୍ତ୍ରଣ କରି ଧୀରେ ଧୀରେ ଛାଡ଼ିବା ।

ଏଠାରେ ଅବଶ୍ୟ ଉଲ୍ଲେଖନୀୟ, ପୃଥିବୀର ତାପମାତ୍ରା ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚୀନ ଅଞ୍ଚଳରେ ଥିବା ୩୦% ଜଳ ହ୍ରାସପାଇ ୨୦ ବା ୧୫%ରେ ପହଞ୍ଚିଯିବ ଓ ଆମ ଦେଶରେ ଜଳର ପରିମାଣ ବୃଦ୍ଧିପାଇବ । ଆମ ଦେଶର ନ୍ୟାସନାଲ ରିଭର ଲିଙ୍କିଙ୍ଗ୍‌ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି ୩୭ଟି ନଦୀକୁ ଯୋଡ଼ିବା ପାଇଁ ପାଖାପାଖି ୩୦ଟି ସ୍ଥାନରେ । ସେଥିରେ ମଧ୍ୟ ଅଛି ବ୍ରହ୍ମପୁତ୍ରର ଅତିରିକ୍ତ ଜଳ ଗଙ୍ଗାନଦୀ ଦେଇ ମହାନଦୀ ବେସିନ ସହିତ ଯୋଡ଼ାଯିବ । ତାହା ସହିତ ମହାନଦୀ, ଗୋଦାବରୀର ଅତିରିକ୍ତ ଜଳ କ୍ରିଷ୍ଣା, କାବେରୀ ଓ ବୈଗଇ ନଦୀରେ ପ୍ରବାହିତ କରାଇବା ପାଇଁ ମଧ୍ୟ ଯୋଜନା ଅଛି । ସମସ୍ତଙ୍କର ଧାରଣା ଯେ, ଚୀନ ଜଳକୁ ରୋକି ପାକିସ୍ତାନକୁ ଛାଡ଼ିବ । ମାତ୍ର ବ୍ରହ୍ମପୁତ୍ରର ବିଶାଳ କ୍ୟାଚମେଣ୍ଟ ଏରିଆ ତ ଆମ ଦେଶରେ । ଚୀନ ଆଉ ଗୋଟେ ବଦମାସି ଆରମ୍ଭ କରିଦେଇଛି । ଆମ ଦେଶକୁ ନଜଣାଇ ଗୋଟେ ଡ୍ୟାମ କରିଛି ତିଦ୍ଦତର ପୂର୍ବାଞ୍ଚଳରେ । ଉଦ୍ଦେଶ୍ୟ, ଟୁରିଜିମକୁ ବିକଶିତ କରିବ । ସେଠାକୁ କୌଣସି ଟୁରିଷ୍ଟ ଯାଆନ୍ତି ନାହିଁ । ତାହା ବରଫାବୃତ୍ତ । ୨୦୦୨ରେ ଚୀନ ସହିତ ଆମ ଦେଶର ଏକ ଅସ୍ୱାକ୍ଷରିତ ବୁଝାମଣା ହୋଇଥିଲା । ସେଥିରେ ଉଲ୍ଲେଖ ଥିଲା ବ୍ରହ୍ମପୁତ୍ରର କେତେ ଜଳ ପ୍ରବାହିତ ହେଉଛି ଆମ ଦେଶକୁ ସମୟକ୍ରମରେ ଜଣାଇବ, ବଦଳରେ ଚୀନଠାରୁ ଆମ ଦେଶ ବିଦ୍ୟୁତ କ୍ରୟ କରିବ । ସେ ଚୁକ୍ତି ନବୀକରଣ ନହୋଇ ସେମିତି ପଡ଼ିରହିଛି ଓ ମୋଦି ସରକାର ଗତ ୨୦୨୩ରେ ଏହାର ମିଆଦ ଶେଷ ହେବା ସତ୍ତେ୍ୱ ନବୀକରଣ କରିବାକୁ ଇଚ୍ଛା ପ୍ରକାଶ କରିନାହାଁନ୍ତି । ଆଉ ଏକ ନଦୀ ହେଲା ସତଲେଜ । ଏହା ରକ୍ଷାସ୍ଥଳ ହ୍ରଦରୁ ବାହାରିଛି, ଯାହା ମାନସରୋବରର ନିକଟବର୍ତ୍ତୀ ଓ କୈଳାସ ପର୍ବତଶ୍ରେଣୀ ଦ୍ୱାରା ଆଚ୍ଛାଦିତ । ଏହା ଏକ ପୁରାତନ ନଦୀ । କୁହାଯାଏ, ଯେବେ ହିମାଳୟ ସୃଷ୍ଟି ହୋଇଥିଲା ସେବେଠୁଁ ଏହାର ସୃଷ୍ଟି । ଏହି ନଦୀ ଭାରତରେ ପ୍ରବେଶ କରିଛି ସିପକିଲା ପାସ୍‌ ଦେଇ ହିମାଚଳ ପ୍ରଦେଶ ମଧ୍ୟରେ । ଯେବେ ପାଖାପାଖି ୧୦ବର୍ଷ ତଳେ ଗୋଟେ ଗ୍ଲାସିଅର ଫାଟି ତାର ଏକ ଟୁକୁଡ଼ା ଏହି ନଦୀରେ ପଡ଼ିଥିଲା, ସେହି ଜଳ ପ୍ରବାହ ପାଖାପାଖି ଏକମାସ ଧରି ବନ୍ଦ ଥିଲା ଓ ହିମାଚଳରେ ବନ୍ୟା ସୃଷ୍ଟି କରିଥିଲା । ଏଭଳି ହୋଇଥିଲା ସିନ୍ଧୁନଦୀରେ ଦେଢ଼ଶହ ବର୍ଷ ତଳେ ଗିଲଗିଟ୍‌ ଠାରେ । ଏମିତି ସାଧାରଣତଃ ହୁଏ । ବନ୍ୟାଜଳକୁ ଡ୍ୟାମ କାଟି ରୋକି ହଠାତ୍‌ ଛାଡ଼ିଦେଲେ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ । ମାତ୍ର ଆମ ଦେଶକୁ ଚୀନ ଡରାଇ ପାରିବନି ଜଳକୁ ବନ୍ଦ କରି । ପୁଣି ଏହାର ଏକ ଉପନଦୀ ବା ଟ୍ରିବ୍ୟୁଟେରି ହେଲା ସ୍ପିତି ନଦୀ । ଏହା ହିମାଳୟର ଯେଉଁଠାରୁ ବାହାରିଛି ସେଠାରେ ବର୍ଷା ହୁଏନାହିଁ, କେବଳ ଏହା ବରଫାଚ୍ଛନ୍ନ । ବରଫ ତରଳି ଏହି ନଦୀରେ ପ୍ରବାହ ସୃଷ୍ଟି କରି ସତଲେଜକୁ ଚିରସ୍ରୋତାରେ ପରିଣତ କରିଛି ।

ସେହିପରି ସିନ୍ଧୁନଦୀ ବାହାରିଛି ତିଦ୍ଦତର ମାନସରୋବର ହ୍ରଦରୁ । ସେଠାରେ ଏହାର ପ୍ରବାହ କ୍ଷୀଣ । ଏହା ଲେହଠାରେ ଭାରତରେ ପ୍ରବେଶ କରିଛି ୩୧୮୦ କିମି. ଗତି କରି ପାକିସ୍ତାନକୁ ପ୍ରବେଶ କରିଛି । ଏକ ଗୁଡ୍‌ ଉଇଲ ଚୁକ୍ତି ମାଧ୍ୟମରେ ଆମ ଦେଶ ଏହାର ୮୦ ପ୍ରତଶତ ଜଳ ପାକିସ୍ତାନକୁ ପ୍ରଦାନ କରୁଛି ନିଜ ପାଇଁ ମାତ୍ର ୨୦% ରଖି । ଏବେ ପାକିସ୍ତାନକୁ ଚୀନ ନିଜ କବଜାରେ ରଖିଛି । ଆମେ ଇଚ୍ଛା କଲେ ଏହି ଚୁକ୍ତିକୁ ବାତିଲ କରିଦେଇ ପାରିବୁ । ଚୀନ ହସ୍ତକ୍ଷେପ କରିପାରିବ ନାହିଁ । ପାକିସ୍ତାନ ସହଜେ ଏକ ଜଳସଂକଟ ଦେଶ । ଜଳାଭାବ ସବୁବେଳେ । ସିନ୍ଧୁ ଏହାକୁ ଶସ୍ୟଶ୍ୟାମଳା କରିଛି । ଏ ପାଖରେ ନୁବ୍ରା ଉପତ୍ୟକା ବା ସିଆଚେନ ଗ୍ଲାସିୟରରୁ ଆସିଥିବା ସାୟୋକ ନଦୀକୁ ବେଶୀ ଜଳ ଆସେ ଗଲୱାନ ନଦୀରୁ । ସେଠାରେ ଆମ ସହିତ ଗଣ୍ଡଗୋଳ କରି ୨୦ଜଣ ସୈନ୍ୟଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲା । ହେଲା କ’ଣ? ଆମ ସେନା ଆକ୍ରମଣରେ ୪୦ଜଣ ଚୀନ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଏବେ କୁହାଯାଉଛି ଏହି ସଂଖ୍ୟା ୧୦୦ରୁ ଅଧିକ । କାରଣ ଚୀନ ଏକ ମିଛୁଆ ଦେଶ । କିଛି ଡାଟା ଦିଏନାହିଁ ।

କିନ୍ତୁ ଆମ ଦେଶକୁ ବିପଦ ଅଛି ନେପାଳ ଆଡ଼ୁ । କିନ୍ତୁ ଏକଥା କେହି ଉଠାଇ ନାହାଁନ୍ତି । ନେପାଳରୁ ୧୫ରୁ ଅଧିକ ଅନେକ ଛୋଟ ବଡ଼ ନଦୀ ବାହାରି ଗଙ୍ଗାନଦୀରେ ମିଳିଛନ୍ତି । ସେମାନଙ୍କ ମଧ୍ୟରେ ବଡ଼ ବଡ଼ ନଦୀ ସାରଦା, ମହାକାଳି, ମେଚି, ନାରାୟଣୀ, ବାଗମତି, କର୍ଣ୍ଣାଲି ଆଦି ଅଛନ୍ତି । ଏଗୁଡ଼ିକ ଉପରେ ଡ୍ୟାମ କରି ଜଳ ରୋକିଦେଲେ ଗଙ୍ଗାର ପ୍ରବାହ ହ୍ରାସ ପାଇବ ବିଶେଷ ଭାବରେ ସଙ୍ଗମ ପରେ ପରେ । ଚୀନ ଉସ୍‌କାଉଛି ନେପାଳକୁ ବହୁ ଅର୍ଥ ଖଟାଇବ, ବିଦ୍ୟୁତ ଶକ୍ତି ପ୍ରଦାନ କରିବ ଆଦି ପ୍ରଲୋଭନ ଦେଖାଇ । ନେପାଳର ଗତ ସରକାର ଫସିଯାଇଥିଲେ ଓ ଆମ ଦେଶ ସହିତ ସଂପର୍କ ବିିଡ଼ିଯାଇଥିଲା । କେତେକ ସୀମା ଇଲାକାକୁ ଚୀନ ବି ମାଡ଼ିବସିଛି ନେପାଳର । ଏବେକା ସରକାର ଆମ ଦେଶ ସହିତ ସୁସଂପର୍କ ପ୍ରତିଷ୍ଠା କରିଛନ୍ତି । ଏ ସଂପର୍କ ଯେପର୍ଯ୍ୟନ୍ତ ଉତ୍ତମ ଥିବ, ଚୀନ କିଛି କରିପାରିବ ନାହିଁ । ଆମ ଦେଶର ପଞ୍ଜାବ ଥିଲା ବ୍ରେଡ୍‌ ବାସ୍କେଟ । ଏହାକୁ ଆପ୍‌ ସରକାର ନଷ୍ଟ କରିଦେଇଛନ୍ତି ମାଗଣା ଇଲେକଟ୍ରିସିଟି ଦେଇ । ଏବେ ଏହା ଅଷ୍ଟମ ସ୍ଥାନକୁ ଖସିଯାଇଛି ଓ ଗଙ୍ଗାନଦୀର ଅବବାହିକା ଏବେ ଆମରି ବ୍ରେଡ୍‌ ବାସ୍କେଟ ଗଙ୍ଗାରେ ଜଳପ୍ରବାହ ହ୍ରାସ ହେଇଗଲେ ଏହା ପ୍ରଭାବିତ ହେବାର ଆଶଙ୍କା ଅଛି । ଯଦି ୫୦/୬୦ କିମି. ଭିତରକୁ ପଶି ଚୀନ ନେପାଳକୁ କବଜା କରିବ, ତାହେଲେ ନଦୀରେ ଡ୍ୟାମ କରିବାକୁ ସକ୍ଷମ ହେବ । ଏହା ବି ଏତେ ସହଜ ନୁହେଁ । ତଥାପି ଭୟ ଅଛି ସେଇ ଦିଗ ଦେଇ । ୨୦୨୩ ମାର୍ଚ୍ଚରେ ଜାତିସଂଘର ଯେଉଁ ୱାଟର କନଫରେନ୍ସ ହୋଇଥିଲା ସମସ୍ତେ ଭାବିଥିଲେ ସବୁ ଦେଶ ଚୀନକୁ ଘେରିବେ, କାହିଁକି ସେ ଡାଟା ସେୟାର କରୁନାହିଁ ବୋଲି । ଚୀନ ବି ଭାବିଥିଲା, ଏବେ ସମୟ ଆସିଛି ଆଉ ଫାଙ୍କିଦେଇ ହବନାହିଁ । ମାତ୍ର ଚୀନ ସବୁ ପ୍ରତିନିଧିଙ୍କୁ ପ୍ରଭାବିତ କରି ଏକଥା ନଉଠାଇବାର ଯୋଜନା କରିଥିଲା । ସଫଳ ବି ହେଲା । 

ଜାତିସଂଘ ତ ଏବେ କେତେକ ଭିଟୋ ପ୍ରୟୋଗକାରୀ ରାଷ୍ଟ୍ରଙ୍କ ଖେଳନା କଣ୍ଢେଇ । ତଥାପି ଗଙ୍ଗାନଦୀ ଉପରେ ଥିବା ଭୟ ଦୂରୀକରଣ ଉଦ୍ଦେଶ୍ୟରେ ବ୍ରହ୍ମପୁତ୍ର-ଗଙ୍ଗା ବେସିନ ମଧ୍ୟରେ ସଂଯୋଗ ବି ଅଛି ରିଭର ଲିଙ୍କିଙ୍ଗ ପ୍ରଜେକ୍ଟରେ । ଯମୁନା ଜଳ ନେଇ ପ୍ରବେଶ କରାଇବ ଗଙ୍ଗାରେ । ପୁଣି ତିସ୍ତା ନଦୀ ଅଛି ଆମରି ନିଜସ୍ୱ ଅଧିକାରରେ । ତେଣୁ ଏବେ ସବୁ ଠିକ୍‌ଠାକ୍‌ ଅଛି । ଜଳବାୟୁ ପରିବର୍ତ୍ତନର ରୂପରେଖ ସ୍ପଷ୍ଟ ହେବାପରେ ଜଣାପଡ଼ିବ ଆଉ ଅଧିକ କ’ଣ କରାଯାଇପାରିବ । ଆମ ଦେଶ ଏପରି ଏକ ବିଶାଳ ଭୂଖଣ୍ଡ ଯେଉଁଥିରେ ଉତ୍ତର ପଟରୁ ନଦୀସବୁ ଚିରସ୍ରୋତା ହିମାଳୟରୁ ବାହାରି ଥିବାରୁ ଆଉ ଦାକ୍ଷିଣାତ୍ୟର ନଦୀ ସବୁ ବର୍ଷା ଉପରେ ନିର୍ଭରଶୀଳ । ଏହି ରିଭର ଲିଙ୍କ୍‌ରେ ୩୭ଟି ନଦୀ ୩୦ଟି ସ୍ଥାନରେ ଯୋଡ଼ି ହୋଇଯିବେ । ଫଳରେ ଉତ୍ତର ଓ ଦକ୍ଷିଣ ଭାରତର ନଦୀ ସଂଯୋଗ ଜଳସଂକଟକୁ ଦୂର କରିବା ସହିତ ୩୪ହଜାର ମେଗାୱାଟ ଜଳବିଦ୍ୟୁତ ଉତ୍ପାଦିତ ହେବ । ନଦୀପଥରେ ପଣ୍ୟ ପରିବହନ ସୁବିଧା ହେବ । ଯେଉଁ କୋଟି କୋଟି କ୍ୟୁବିକ ବର୍ଷାଜଳ ସମୁଦ୍ରକୁ ଚାଲିଯାଉଛି ତାହାକୁ ରୋକାଯାଇପାରିବ ଓ ଚୀନ ଭଳି ଶତ୍ରୁ ପଡ଼ୋଶୀ ରାଷ୍ଟ୍ରର ଧମକକୁ ପ୍ରତିହତ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.