ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ବଦଳିବ ପାଣିପାଗ ମିଜାଜ୍: ୨୪ରୁ ପୁଣି ବଢ଼ିବ ଗରମ, ୮ରୁ ୧୦ ଡିଗ୍ରୀ ବଢ଼ିଯିବ ତାତି

ଭୁବନେଶ୍ୱର,୨୧/୦୩: କାଳବୈଶାଖୀ ପ୍ରଭାବରୁ ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଯାଏ ତୁହାକୁ ତୁହା ବର୍ଷା ନାକେଦମ୍‌ କରିଛି । ମଙ୍ଗଳବାର ରାତିରୁ ବୁଧବାର ସକାଳ ଯାଏ ସବୁ ଜିଲ୍ଲାରେ ନିର୍ଧୁମ ବର୍ଷିଛି । ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ ଛାତି ଥରାଇଥିଲା । ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ କାଲୁଆ କରି ଦେଉଥିଲା । ଗୁରୁବାରଠାରୁ ପାଗ ବଦଳିବ । ଶୁଖିଲା ଓ ଖରାଟିଆ ପାଗ ହେବ । ୨୧ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢ଼ିଯିବ । ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସି ଯାଇଥିଲା । କାଲୁଆ ପାଗ ଯୋଗୁ ଦେହ ଥରି ଯାଉଥିଲା । ଲୋକେ ଶୀତରେ ଥରୁଥିଲେ । ଲଗାଣ ବର୍ଷା ସାଙ୍ଗକୁ ଶୀତୁଆ ପବନର ମାଡ଼ର ଶୀତଦିନ ଜାଡ଼ର ଭ୍ରମ ସୃଷ୍ଟି କରୁଥିଲା । ବର୍ଷା ଯୋଗୁ ରେନ୍‌କୋର୍ଟ ପିନ୍ଧି ଓ ଛତା ଧରି ବାହାରୁଥିବା ଲୋକେ କାଲୁଆ ପାଗ ଯୋଗୁ ନାକେଦମ୍‌ ହେଉଥିଲେ । ରାଜଧାନୀରେ ବୁଧବାର ଦିନ ତାପମାତ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ରାଜଧାନୀ ସମେତ ଅନେକ ସହରରେ ମାର୍ଚ୍ଚ ମାସର ଦିନ ତାପମାତ୍ରା ଖସିବାରେ ଏକାଧିକ ରେକର୍ଡ ଭାଙ୍ଗିଛି । ବୁଧବାର ସକାଳ ସାଢ଼େ ୫ଟାରୁ ସାଢ଼େ ୮ଟା ଭିତରେ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଭୟଙ୍କର ବଜ୍ରପାତ ହୋଇଛି ।  

ଭୁବନେଶ୍ୱରରେ ବୁଧବାର ଦିନବେଳା ତାପମାତ୍ରା ୧୯.୨ ଡିଗ୍ରୀ ଥିଲା । ସ୍ୱାଭାବିକ ତୁଳନାରେ ୧୭.୬ ଡିଗ୍ରୀ କମ୍‌ ତାପମାତ୍ରା ରେକର୍ଡ ହୋଇଥିଲା ।  ରାଜଧାନୀର ତାପମାତ୍ରା ରାଜ୍ୟ ପାଇଁ ମାର୍ଚ୍ଚ ମାସରେ ରେକର୍ଡ ହୋଇଥିବା ସର୍ବକାଳୀନ କମ୍‌ ଦିନ ତାପମାତ୍ରା । ମାର୍ଚ୍ଚ ମାସରେ ଦିନ ତାପମାତ୍ରା କେବେ ଏତେ ତଳକୁ ଖସିନଥିଲା । ୧୯୭୦ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱରରେ ଦିନ ତାପମାତ୍ରା ସବୁଠୁ କମ୍‌ ୨୪.୩ ଡିଗ୍ରୀ ରେକର୍ଡ ହୋଇଥିଲା ।  

୧୯୯୦ ମାର୍ଚ୍ଚ ୪ ତାରିଖରେ ୨୫.୨ ଡିଗ୍ରୀ ଥିଲା । ୨୦୦୮ ମାର୍ଚ୍ଚ ୨୪ରେ ୨୫.୭ ଡିଗ୍ରୀ ଥିଲା । ୧୯୯୦ ମାର୍ଚ୍ଚ ୫ରେ ୨୭.୧ ଡିଗ୍ରୀ ଥିଲା । ୧୯୯୮ ମାର୍ଚ୍ଚ ୩୦ରେ ଦିନ ତାପମାତ୍ରା ୨୭.୪ଡିଗ୍ରୀ ଥିଲା । ୨୦୧୭ ମାର୍ଚ୍ଚ ୯ରେ ୨୭.୭ ଡିଗ୍ରୀ ଥିଲା । ୨୦୧୬ ମାର୍ଚ୍ଚ ୧୧ରେ ୨୭.୮ ଡିଗ୍ରୀ ଥିଲା । ୨୦୦୫ ମାର୍ଚ୍ଚ ୧୨ରେ ୨୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୫୨ ପରଠାରୁ ରାଜଧାନୀର ମାର୍ଚ୍ଚ ମାସ ତାପମାତ୍ରା ହିସାବକୁ ନେଲେ ୭୧ ବର୍ଷର ରେକର୍ଡ ଭାଙ୍ଗିଛି ।

 ପୁରୀରେ ବି ମାର୍ଚ୍ଚ ମାସର ସର୍ବକାଳୀନ ତାପମାତ୍ରା ୧୩୪ ବର୍ଷର ରେକର୍ଡ ଭାଙ୍ଗିଛି । ଶେଷ ଥର ପାଇଁ ୧୯୮୯ ମାର୍ଚ୍ଚ ୧୨ ତାରିଖରେ ଦିନ ତାପମାତ୍ରା ୨୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ବୁଧବାର ଏଠାରେ ଦିନବେଳା ତାପମାତ୍ରା ୨୦.୪ ଡିଗ୍ରୀ ରହିଛି । ସ୍ୱାଭାବିକ ତୁଳନାରେ ୧୩.୫ ଡିଗ୍ରୀ କମ୍‌ ରହିଛି । କଟକରେ ୧୯୭୦ ମାର୍ଚ୍ଚ ୬ରେ ୨୩.୬ ଡିଗ୍ରୀ ଥିଲା । ୧୯୦୨ ପରଠାରୁ ହିସାବକୁ ନେଲେ ଏଠାରେ ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଦିନ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ ହୋଇଛି । ସ୍ୱାଭାବିକ ତୁଳନାରେ ୧୬.୬ ଡିଗ୍ରୀ ତାପମାତ୍ରା କମ୍‌ ରହିଛି ।

 ଚାନ୍ଦବାଲିରେ ୧୯୭୦ ମାର୍ଚ୍ଚ ୭ରେ ତାପମାତ୍ରା ୨୨.୯ ଡିଗ୍ରୀ ଥିଲା । ୧୯୫୧ ପରଠାରୁ ହିସାବକୁ ନେଲେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ ଦିନ ତାପମାତ୍ରା ୨୧ ଡିଗ୍ରୀ ରହିଛି । ଏହା ସ୍ୱାଭାବିକଠାରୁ ୧୫ ଡିଗ୍ରୀ କମ୍‌ । ବାରିପଦାରେ ୧୯୭୦ ମାର୍ଚ୍ଚ ୫ରେ ତାପମାତ୍ରା ୨୨.୩ ଡିଗ୍ରୀ ଥିଲା । ଆଜି ୨୦.୪ ଡିଗ୍ରୀକୁ ଖସିଛି । ଏଠାରେ ୬୮ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏଠାରେ ସ୍ୱାଭାବିକ ତୁଳନାରେ ୧୬.୩ ଡିଗ୍ରୀ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ବୁଧବାର ଦିନ ତାପମାତ୍ରା ୨୧ ଡିଗ୍ରୀ ରହିଛି । ଏଠାରେ ସ୍ୱାଭାବିକ ତୁଳନାରେ ୨୧ଡିଗ୍ରୀ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ବି ଦିନ ତାପମାତ୍ରା ସ୍ୱାଭାବିକଠାରୁ ୧୫.୫ ଡିଗ୍ରୀ କମ୍‌ ରହିଛି ।

ବୁଧବାର ସକାଳୁ ସନ୍ଧ୍ୟା ଭିତରେ ଛତ୍ରପୁରରେ ସର୍ବାଧିକ ୧୬ମିମି ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୧୪.୩ମିମି, ଚାନ୍ଦବାଲିରେ ୧୨.୬, ଜଗତ୍‌ସିଂହପୁରରେ ୧୨.୩, ଗୋପାଳପୁରରେ ୧୦.୪, ପାରଳାଖେମୁଣ୍ଡି, ଖୋର୍ଦ୍ଧା ଓ ପାରାଦୀପରେ ୭ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବାଧିକ ୬୬ମିମି ବର୍ଷା ହୋଇଛି । ତାଳଚେରରେ ୬୫ମିମି, ଭଦ୍ରକରେ ୪୬.୨ମିମି, ନୂଆପଡ଼ାରେ ୪୫, ଅନୁଗୁଳରେ ୪୩ମିମି, ଟିଟିଲାଗଡ଼ରେ ୪୨, ଫୁଲବାଣୀରେ ୪୧.୨, ବୌଦ୍ଧରେ ୪୦, ଖୋର୍ଦ୍ଧାରେ ୩୮ ଓ କଟକରେ ୩୨.୪ମିମି ବର୍ଷା ରେକର୍ଡ ହୋଇଛି ।

 ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୧୦ରୁ ୧୬ ଡିଗ୍ରୀ କମିଥିଲା । ଭୁବନେଶ୍ୱରରେ ମାର୍ଚ୍ଚ ମାସ ପାଇଁ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ତେବେ ୨୧ରୁ ପାଗ ଫିଟିବ । ୨୨ରୁ ପାଗ ଶୁଖିଲା ହେବ । ତାତି ପୁଣି ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ରହିପାରେ ।  ଆସନ୍ତା ୪ରୁ ୫ ଦିନ ଭିତରେ  ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

 ଅଦିନିଆ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଫସଲ ବରବାଦ୍‌ ହୋଇଛି । ବାଇଗଣ, କୋବି, କାକୁଡ଼ି, ତରଭୁଜ, ଟମାଟୋ ଭଳି ପରିବା ସହିତ ବାଦାମ, ବିରି, ମୁଗ, କୋଳଥ, ଚିନାବାଦାମ ଓ ଡାଲି ଚାଷ ନଷ୍ଟ ହୋଇଛି । କ୍ଷେତରେ ପାଣି ଜମି ରହିବା ଯୋଗୁ ଏସବୁ ଫସଲ ଉଜୁଡ଼ି ଯାଇଛି । ଅଦିନିଆ ବର୍ଷାରେ ଫସଲ ବରବାଦ୍‌ ହେବା ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅନେକ ରାଜନୈତିକ ଦଳ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • Weather Forecast
  • odisha
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.