ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର,୩୧/୦୫: ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି  ଅନେକ ଜୀବନ ନେଇଛି । ରାଉରକେଲାରେ ୧୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୯ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଝାରସୁଗୁଡ଼ାରେ ୪, ସମ୍ବଲପୁରରେ ୩, ଅନୁଗୁଳ ଜିଲ୍ଲାରେ ୨, ଢେଙ୍କାନାଳରେ ୨,  କେନ୍ଦୁଝର ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଅଂଶୁଘାତରେ ଟଳି ପଡ଼ିଛନ୍ତି । ୨୪ ଘଣ୍ଟାରେ ୩୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । 

କିଏ ଚାଲିବା ବେଳେ ତଳେ ପଡ଼ି ଯାଇଥିଲା ତ’ ଆଉ କିଏ ପାଣି ପିଇବା ବେଳେ ଆଉ ବିଲରେ କାମ କଲାବେଳେ ଟଳି ପଡ଼ିଥିଲେ । ଝାରସୁଗୁଡ଼ା ଖଣି ଅଞ୍ଚଳରେ ୪ଜଣ ଡ୍ରାଇଭର ଗାଡ଼ି ଭିତରେ ଆଖି ବୁଜିଛନ୍ତି । ଭୀଷଣ ତାତି ପ୍ରଭାବରେ ମାତ୍ର କିଛି ସମୟରେ ଠକ୍‌ ଠକ୍‌ ହୋଇ ଅନେକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । 

ଗୁରୁବାର ଭୟଙ୍କର ତାତିରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଲୋକେ ଛଟପଟ ହୋଇଥିଲେ । ନିଆଁ ହୁଳା ମାଡ଼ ହେବା ଭଳି ଅନୁଭବ ହେଉଥିଲା । ଦେହ, ହାତ ପୋଡ଼ି ପକାଉଥିଲା । ତତଲା ହାୱାରେ ମୁଣ୍ଡ ବୁଲାଇ ଝାଙ୍କି ଦେଉଥିଲା । ଲାଗୁଥିଲା ଯେମିତି ଅଗ୍ନି ବର୍ଷା ହେଉଛି । ଝାରସୁଗୁଡ଼ାରେ ତାତି ୪୭ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଏହା ଦେଶର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା । ରାଉରକେଲାରେ ୪୪.୯ ଓ ସୁନ୍ଦରଗଡ଼ରେ ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳରେ ବି ନାକେଦମ୍‌ କରିଥିଲା ଭୀଷଣ ଗୁଳୁଗୁଳି ।

ଜୁନ୍‌ ୧୦ ତାରିଖ ଯାଏ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଏଭଳି ତାତିରୁ ନିସ୍ତାର ମିଳିବା ଆଶା କ୍ଷୀଣ । ହଁ, କାଳବୈଶାଖୀ ବର୍ଷା ପ୍ରଭାବରେ ଉପକୂଳରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ହେଲେ ଗୁଳୁଗୁଳି ନାକେଦମ୍‌ କରିବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଉପକୂଳ ଛୁଇଁଛି । ୧୦ ତାରିଖ ସୁଦ୍ଧା ଏହା ଓଡ଼ିଶା ଛୁଇଁପାରେ । ସେବେ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି ।

୩୧ ଓ ୧ ତାରିଖ ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବହିବ । ୩୧ରେ ଝାରସୁଗୁଡ଼ାରେ ତାତି ପୁଣି ୪୭ ଡିଗ୍ରୀ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୫ ଡିଗ୍ରୀ ଉପରେ ବା ଏହାର ପାଖାପାଖି ରହିବ । ଭୟଙ୍କର ତାତିରେ ସମସ୍ତେ କଲବଲ ହେବେ । ୧ ତାରିଖରେ ବି ସମାନ ସ୍ଥିତି । ତାତି ଖସିବନି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୩୧ ତାରିଖରେ ସୁନ୍ଦରଗଡ଼, କଳାହାଣ୍ଡି,ନବରଙ୍ଗପୁର, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବହିବ । କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ଝାରସୁଗୁଡ଼ା, ସମ୍ବଲପୁର ଓ କେନ୍ଦୁଝରରେ ରାତିରେ ପ୍ରବଳ ଗରମ ଅନୁଭୂତ ହେବ । ଦୁଇ ଦିନ ଯାଏ ଉଷ୍ମ ରାତି ସ୍ଥିତି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । 

୧ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି,ନବରଙ୍ଗପୁର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମପ୍ରବାହ କଲବଲ କରିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ । ତେବେ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଲେ ବି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି, ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟକୁ ଉତ୍ତପ୍ତ ବାୟୁ ବହୁଛି । ଆହୁରି  ସପ୍ତାହେ ବା ଅଧିକ ସମୟ ଯାଏ ଗରମ ବାୟୁ ପ୍ରବାହ ଜାରି ରହିବ । ଓଡ଼ିଶାରେ ଜୁନ୍‌ ୧୦ ପୂର୍ବରୁ ମୌସୁମୀ ପହଞ୍ଚିବା ସମ୍ଭାବନା କମ୍‌ । ଏଥିପାଇଁ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ମୌସୁମୀ କେରଳ, ଆଣ୍ଡାମାନ ଓ ନିକାବର ଦୀପପୁଞ୍ଜ ତଥା ଉତ୍ତର ପୂର୍ବ ରାଜ୍ୟକୁ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟବାଷ୍ପ ସୃଷ୍ଟି ହେବ। କାଳବୈଶାଖୀ ଯୋଗୁ ଉପକୂଳରେ ଆସନ୍ତା ଦୁଇରୁ ତିନି ଦିନରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି ।

ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ହୋଇଛି । ଗୁରୁବାର ରାଜ୍ୟର ୯ ସହରରେ ତାତି ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ା ତଳକୁ ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୬.୫ ଡିଗ୍ରୀ ରହିଛି । ବରଗଡ଼ରେ ୪୬.୩, ସମ୍ବଲପୁରରେ ୪୬.୨, ମାଲକାନଗିରି ଓ ସୋନପୁରରେ ୪୫.୬, ଭବାନୀପାଟଣାରେ ୪୫.୫, ବଲାଙ୍ଗୀରରେ ୪୫.୩ ଓ ହୀରାକୁଦରେ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.