ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି

ଭୁବନେଶ୍ୱର,୦୩/୦୬: ଅଂଶୁଘାତ ଆତଙ୍କ ଖେଳାଇ ସାରିଲାଣି । ହେଲେ ପଶ୍ଚିମ ଓଡ଼ିଶାରେ ତାତି ଖସୁନି । ଆଗକୁ ଆହୁରି ଅସମ୍ଭାଳ ହେବ। ଦୁଇ ଦିନ ପ୍ରଚଣ୍ଡ ତାତି ଓ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରହିବ । ଉପକୂଳ ଓଡ଼ିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଛଟପଟ କରିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେପଟେ ରାଜ୍ୟରେ ଏବେସୁଦ୍ଧା ୧୪୧ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

୩ ତାରିଖରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଭୟଙ୍କର ଗ୍ରୀଷ୍ମପ୍ରବାହ ବହିବ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ନାକେଦମ୍‌ କରିବ। ୪ରେ ବରଗଡ଼ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ଜ୍ୱାଳା ସମସ୍ତଙ୍କୁ ଛଟପଟ କରିବ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୩ ତାରିଖରୁ ୬ ତାରିଖ ଯାଏ ଉପକୂଳ ଓଡ଼ିଶାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେବ ।

ଜୁନ୍‌ ୧୫ ତାରିଖ ଯାଏ ରାଜ୍ୟରେ ମୌସୁମୀ ବର୍ଷା ହେବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ମେ ୩୦ରେ କେରଳରେ ମୌସୁମୀ ଛୁଇଁଛି । ସ୍ୱାଭାବିକ ଭାବେ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥାଏ । କିନ୍ତୁ ଏଥର ୧୫ ତାରିଖ ହୋଇଯିବ । ଆରବସାଗରୀୟ ଶାଖା ସକ୍ରିୟ ହେବା ଯୋଗୁ ମହାରାଷ୍ଟ୍ର, ତେଲଙ୍ଗାନା ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ସପ୍ତାହ ଭିତରେ ମୌସୁମୀ ବର୍ଷା ପହଞ୍ଚିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଜୁନ୍‌ ୮ ବା ୯ରୁ ତାତି ବଢ଼ିବ । ୮ରୁ ୧୦ ତାରିଖ ଭିତରେ ଭୁବନେଶ୍ୱର ସମେତ ଉପକୂଳରେ ତାତି ୪୨ ଡିଗ୍ରୀ ଟପିବ । ୧୦ରୁ ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୫ଡିଗ୍ରୀ ପାର୍‌ କରିବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଏବେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବହୁଛି । ବିଷୁବ ରେଖା ଅତିକ୍ରମ କରି ଥାଇଲାଣ୍ଡ ଓ ମିଆଁମାର ଆଡ଼କୁ ବହୁଛି । କିନ୍ତୁ ବଙ୍ଗୋପସାଗରର ପଶ୍ଚିମ ଉପକୂଳରେ ଉତ୍ତର ଆଡ଼କୁ ମୌସୁମୀ ବାୟୁ ଯାଉଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ପବନ ଆସୁଛି । ଏହି ପବନର ମାତ୍ରା ଆଗକୁ ଅଧିକ ହେବ । ତେବେ ଅଗଷ୍ଟରୁ ଅକ୍ଟୋବର ଯାଏ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ରାଜ୍ୟରେ ଆଉ ୨୦ ଅଂଶୁଘାତ ମୃତ୍ୟୁକୁ ମାନିଛନ୍ତି ସରକାର । ଶନିବାର ସୁଦ୍ଧା ରାଜ୍ୟରେ ମୋଟ ୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସରକାର ହିସାବ ଦେଇଥିଲେ । ଆଜି ଏହି ସଂଖ୍ୟା ୨୬ରେ ପହଞ୍ଚିଛି । ଗତ ତିନି ଦିନରେ ୯୦ଟି ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ୯୦ରୁ ୨୦ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି । ୨ଟି ମୃତ୍ୟୁ ମାମଲା ଅଂଶୁଘାତ ଜନିତ ନୁହେଁ ବୋଲି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି । ବାକି ୬୮ ମୃତ୍ୟୁ ଅଭିଯୋଗର ଅନୁସନ୍ଧାନ ଚାଲିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ସହିତ ରାଜସ୍ୱ ଅଧୀକ୍ଷକ ଓ ସ୍ଥାନୀୟ ମେଡିକାଲ ଅଫିସରଙ୍କ ମିଳିତ ଟିମ୍‌ର ଅନୁସନ୍ଧାନ ପରେ ଅଂଶୁଘାତ ମୃତ୍ୟୁ ନେଇ ରିପୋର୍ଟ ଦିଆଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ।

ଏବେସୁଦ୍ଧା ରାଜ୍ୟରେ ୧୪୧ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଜିଲ୍ଲାପାଳଙ୍କ ପାଖକୁ ଅଭିଯୋଗ ଆସିଛି । ଏଥିରୁ ମୋଟ ୨୬ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ୮ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି । ୧୦୭ଜଣଙ୍କର ମୃତ୍ୟୁର କାରଣ ଖୋଜା ଚାଲିଛି ବୋଲି ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି ।

ରାଉରକେଲା ଆଇଜିଏଚ୍‌କୁ ଆସିଥିବା ୩୪ଟି ଅସ୍ୱାଭାବିକ ମୃତ୍ୟୁ ମାମଲାରେ ୬ଜଣଙ୍କର ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସେପଟେ ଆଜି ରାଉରକେଲାରୁ ଆଉ ଜଣେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷିଛି । ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, ଭଦ୍ରକ ଓ ବାଲେଶ୍ୱରରେ ବିଜୁଳି ଓ ଘଡ଼ଘଡ଼ି ସହିତ ନିର୍ଧୁମ ବର୍ଷିଛି । ରବିବାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ୩, କନ୍ଧମାଳରୁ ୧, ରାୟଗଡ଼ାରେ ୧ ଓ ବଲାଙ୍ଗୀରରୁ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସୋନପୁର ଓ ବଲାଙ୍ଗୀରରେ ୪୨.୩, ବୌଦ୍ଧରେ ୪୨.୧, ନୂଆପଡ଼ାରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି ।

  • PrameyaOdia
  • prameya
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.