ନୂଆଦିଲ୍ଲୀ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ୨୯ ଦେଶର ନେତାଙ୍କୁ ଏକାଠି କରିବା ପାଇଁ ୧୦ କୋଟି ଡଲାର ଅର୍ଥାତ ୪୧୦୦ କୋଟି ଟଙ୍କା ଖାର୍ଚ୍ଚ ହେଉଛି। ଏତେ ଆୟୋଜନ ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ଯେ, ଦିଲ୍ଲୀରେ ହେଉଥିବା ଜି-୨୦ ବୈଠକରୁ ଭାରତକୁ କ’ଣ ମିଳିବ ? ତାହା ପୁଣି ସେତେବେଳେ ଯେବେ ଚୀନ୍ ଓ ଋଷ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାନ୍ତି।
ଗତ ବର୍ଷ ଜି-୨୦ର ଆୟୋଜନ କରିବାର ଦାୟିତ୍ବ ମିଳିବା ପରେ ଭାରତ ସରକାର ଏହାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏକ ରିପୋର୍ଟ ଅନୁସାରେ, ଏହାର ପ୍ରସ୍ତୁତିକୁ ନୋଇ ଦେଶର ୫୦ ରୁ ଅଧିକ ସହରରେ ପ୍ରାୟ ୨୦୦ ବୈଠକ ଆୟୋଜନ କରାଯାଇଛି। ଜି-୨୦ ବିଶ୍ବର ୨୦ ସବୁଠାରୁ ଶକ୍ତିଶାଳୀ ଦେଶର ଏକ ଗୋଷ୍ଠୀ, ଯାହାକି ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ, କୁଟନୈତିକ ଓ ପରିବେଶର ପ୍ରସଙ୍ଗ ଉପରେ ବିଚାର-ବିମର୍ଷ କରିଥାଏ। ଏହା ସହିତ ତା’ର ସାମାଧାନର ଚେଷ୍ଟା କରିଥାଏ।
ଜି-୨୦ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ପ୍ରମୁଖ ପ୍ରସଙ୍ଗକୁ ଉଠାଇଛନ୍ତି। ସେ କହିଛନ୍ତି, ଜି-୨୦ର ଆକ୍ସନ ପ୍ଲାନ ଦ୍ବାରା ସତତ ବିକାଶ ଲକ୍ଷ୍ୟ(ଏସ୍ଡିଜି)ରେ ଦୃତ ଅଭିବୃଦ୍ଧି ହେବ, ଯାହାକି ଭବିଷ୍ୟତର ଦିଗକୁ ନିର୍ଦ୍ଧାରିତ କରିବ।
ଆସନ୍ତୁ ଜାଣିବା ଜି-୨୦ ବୈଠକରେ ଭାରତକୁ କ’ଣ ମିଳିବ ?
ଦୁନିଆରେ ଭାରତର ଛବି ହେବ ମଜବୁତ
ଏହି ବୈଠକ ଏଭଳି ସମୟରେ ହେଉଛି, ଯେତେବେଳେ ଦୁନିଆର ଅଧିକାଂଶ ଦେଶ ୟୁକ୍ରେନ୍-ଋଷ ଯୁଦ୍ଧ କାରଣରୁ ୨ ଗୋଷ୍ଠୀ ହୋଇ ବାଣ୍ଟି ହୋଇଯାଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଜି-୨୦ ବୈଠକରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଏକ ବଡ଼ ଚ୍ୟାଲେଞ୍ଜ। ବୈଠକରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେଉଛନ୍ତି, ଯେଉଁମାନେ କି ଋଷ ବିରୋଧରେ ଅଛନ୍ତି। ଭାରତର ଚେଷ୍ଟା ମଧ୍ୟ ୟୁକ୍ରେନ୍ ପ୍ରସଙ୍ଗରୁ ଧ୍ୟାନ ହଟାଇବା। ଏଥିପାଇଁ ଭାରତ ସତତ ବିକାଶ ଲକ୍ଷ୍ୟ(ଏସଡିଜି) ପ୍ରସଙ୍ଗକୁ ଆଗକୁ ନେଇଛି। ଭାରତର ଯଦି ଏହି ବୈଠରେ ଓ୍ବାନ୍ ଆର୍ଥ, ଓ୍ବାନ୍ ଫ୍ୟାମିଲି ଓ ଓ୍ବାନ ଫ୍ୟୁଚର ନେଇ କୌଣସି ସମାଧାନ ବାହାର କରେ ତେବେ ଦୁନିଆରେ ଭାରତର ଛବି ମଜୁବତ ହେବ।
ପୁଞ୍ଜି ନିବେଶ ହେବାର ସମ୍ଭାବନା
ଜି-୨୦ରେ ସାମିଲ ଦେଶର ବିଶ୍ବ ଅର୍ଥବ୍ୟବସ୍ଥାରେ ୭୫%ର ଅଂଶୀଦାର ହୋଇଥାନ୍ତି। ଏଥିରେ ସାମିଲ ଥିବା ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ଅଛନ୍ତି। ଜି-୨୦ ବୈଠକ ଦ୍ବାରା ଭାରତର ଚେଷ୍ଟା ନିବେଶକୁ ବଢାଇବାର ରହିବ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ମୋଦିଙ୍କ ଭିତରେ ଦ୍ବିପାକ୍ଷିକ ବାର୍ତ୍ତା ହେବ। ଏହା କୁହାଯାଉଛି ଯେ, ଏହି ମିଟିଂରେ ଛୋଟ ମଡ୍ୟୁଲର ପରମାଣୁ ରିଆକ୍ଟର ଉପରେ ଚୁକ୍ତି ହୋଇପାରେ। ଏହା ସହିତ ଦୁଇ ଦେଶ ଭିତରେ ଜିଇ ଜେଟ୍ ଇଞ୍ଜିନ ଉପରେ ଡିଲ୍ ହେବାର କଥା ମଧ୍ୟ ଆଗକୁ ବଢିପାରେ। ସେଭଳି ଫ୍ରାନ୍ସ ଓ ବ୍ରିଟେନ୍ ସହ ଭାରତ ସାମରିକ ଚୁପ୍ତି କରିପାରେ।
ଦୁନିଆର ବହୁ ଦେଶର ବଦଳିବ ଧାରଣା
ବର୍ତ୍ତମାନ ମୁଖ୍ୟ ଭାବରେ ଆମେରିକା, ଚୀନ୍ ଓ ଋଷ ନେତୃତ୍ବ କର୍ତ୍ତା ରୂପରେ ନିଜକୁ ସ୍ଥାପିତ କରିଥାନ୍ତି, କିନ୍ତୁ ଜି-୨୦ ବୈଠକ ଜରିଆରେ ଭାରତ ମଧ୍ୟ ଏହି ରେସ୍ରେ ସାମିଲ ହୋଇଛି। ଭାରତର ଜି-୨୦ ରେ ଆଫ୍ରିକୀୟ ଦେଶକୁ ସାମିଲ କରିବାର ପ୍ରସ୍ତାବ ଦେଇଥିଲା। ଚୀନ୍ ଓ ୟୁରୋପିଆନ୍ ୟୁନିଅନ୍ ଜି-୨୦ରେ ଆଫ୍ରିକାନ ୟୁନିୟନକୁ ସାମିଲ କରିବା ନେଇ ଭାରତର ପ୍ରସ୍ତାବକୁ ମଧ୍ୟ ସମର୍ଥନ ଦେଇଛନ୍ତି। କୁହାଯାଉଛି ଯେ, ଏହି ମିଟିଂ ପରେ ବହୁ ଦେଶକୁ ସ୍ଥାୟୀ ରୂପରେ ଜି-୨୦ର ସଦସ୍ୟତା ମିଳିପାରେ।