ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଅର୍ଦ୍ଧାଙ୍ଗିନୀର ଯଥାର୍ଥତାକୁ କଲେ ସାକାର, ଅଙ୍ଗଦାନ କରି ସ୍ୱାମୀଙ୍କ ଜୀବନ ରକ୍ଷାକଲେ ରଶ୍ମିତା

ତିଗିରିଆ,୧୪/୦୬: ବିବାହର ପବିତ୍ର  ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମକୁ ସାଥୀ ହୋଇ  ରହିବାକୁ କଥା ଦେଇଥିଲେ । ଯେତେ ଝଡ଼ ଝଞ୍ଜା ଆସୁ ପଛେ ଅର୍ଦ୍ଧାଙ୍ଗିନୀ ଭାବେ କର୍ତ୍ତବ୍ୟ ପାଳନ  କରିବେ ବୋଲି ଦଶ ଦିଗପାଳଙ୍କୁ ସାକ୍ଷୀ ରଖି  କଥା ଦେଇଥିଲେ । ଏବେ ଅଙ୍ଗଦାନ କରି ସ୍ୱାମୀଙ୍କ  ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ମାନପୁର ଗ୍ରାମର  ମାନସ ବାରିକଙ୍କ ପତ୍ନୀ ରଶ୍ମିତା ବାରିକ । ନିଜ  ଯକୃତ (ଲିଭର) ଦାନ କରି ସ୍ୱାମୀଙ୍କୁ ମୃତ୍ୟୁ  ମୁଖରୁ ଛଡ଼ାଇ ଆଣିଛନ୍ତି । 

ମାନପୁର ଗ୍ରାମର ମାନସଙ୍କୁ ୨୦୦୮ରେ  ବୈଦିକ ରୀତିନୀତିରେ ବିବାହ କରିଥିଲେ  ରଶ୍ମିତା । ଗୋଟିଏ ପୁଅ ଓ ଝିଅକୁ ନେଇ ତାଙ୍କ ଛୋଟ ପରିବାର ସୁଖରେ ଚାଲିଥିଲା । ବିବାହର  କିଛି ବର୍ଷ ପରେ ମାନସ ମଦ ପିଇବା ଆରମ୍ଭ  କରିଥିଲେ । ଯେତେ ବୁଝାଇଲେ ମଧ୍ୟ ଏହି କୁଅଭ୍ୟାସ ଛାଡ଼ି ପାରି ନଥିଲେ । ଅତ୍ୟଧିକ  ମଦ୍ୟପାନ ଯୋଗୁଁ ତାଙ୍କର ଯକୃତ(ଲିଭର)  ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା । ଲିଭର ପ୍ରତିରୋପଣ କଲେ ହିଁ ସେ ବଞ୍ଚି ପାରିବେ  ବୋଲି ଡାକ୍ତର ରୋକ୍‌ଠୋକ କହି ଦେିଥିଲେ ।  ଏକଥା ଶୁଣି ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଥିଲା । ଗଦାଧରପୁର ପଞ୍ଚାୟତର  ପୂର୍ବତନ ସମିତି ସଭ୍ୟ ମାନସ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ । ଯାହା ସମ୍ବଳ ଥିଲା ତାଙ୍କ ଚିକିତ୍ସାରେ ଖର୍ଚ୍ଚ  ହୋଇଗଲା । 

ଗତବର୍ଷ ହଠାତ୍‌ ମାନସଙ୍କ  ସ୍ୱାସ୍ଥାବସ୍ଥା ବିଗିଡ଼ିବାରେ ଲାଗିଥିଲା । ତାଙ୍କୁ ଗତ  ଫେବ୍ରୁଆରୀ ୧୦ରେ କଟକ ବଡ଼ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ପରେ  ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା  ଜଣାପଡ଼ିଥିଲା । ଏପରି ସ୍ଥିତିରେ ବଞ୍ଚିବାର ଏକମାତ୍ର ସାହାରା ଥିଲା ଲିଭର ପ୍ରତିରୋପଣ ।  ଏଥିପାଇଁ ପ୍ରଥମେ ପତ୍ନୀ ରଶ୍ମିତାଙ୍କ ଲିଭର  ମ୍ୟାଚ୍‌ କରାଯାଇଥିଲା । ସ୍ୱାମୀଙ୍କ ଲିଭର ସହ ମ୍ୟାଚ୍‌ କରିଥିଲା ତାଙ୍କ ଲିଭର । ସ୍ୱାମୀଙ୍କ ଜୀବନ  ବଞ୍ଚାଇବାକୁ ଯାଇ ସେ ନିଜ ଲିଭର ଦାନ  କରିବାକୁ ତିଳେ ହେଲେ କୁଣ୍ଠା କରି ନଥିଲେ । ମାର୍ଚ୍ଚ ୩ରେ କଟକ ବଡ଼ ଡାକ୍ତରଖାନାରେ  ସଫଳତାର ସହ ସ୍ୱାମୀ ମାନସଙ୍କ ଲିଭର  ଟ୍ରାନ୍ସପ୍ଲାଣ୍ଟ (ପ୍ରତିରୋପଣ) କରାଯାଇଥିଲା ।  ସେ ନୂଆ ଜୀବନ ପାଇଥିଲେ । ଏସ୍‌ସିବି ଲିଭର  ଟ୍ରାନ୍ସପ୍ଲାଣ୍ଟ ୟୁନିଟର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ  ପ୍ରାୟ ୩ ମାସରୁ ଅଧିକ ଦିନ ରହିବା ପରେ ମାନସ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର ଘୋଷଣା  କରିଥିଲେ । ତେଣୁ ତାଙ୍କୁ ଜୁନ୍‌ ୧୩ରେ  ଡାକ୍ତରଖାନା ପକ୍ଷରୁ ଡିସ୍‌ଚାର୍ଜ କରାଯାଇଥିଲା ।  

ଏସ୍‌ସିବିରୁ ନୂଆ ଜୀବନ ନେଇ ଘରକୁ  ଫେରିଛନ୍ତି ମାନସ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ  ନିଜ ଲିଭରରୁ ୭୦ ଭାଗ ଦାନ କରିଥିବା  ପତ୍ନୀ ରଶ୍ମିତା ଖୁସିରେ ଆତ୍ମହରା । ସୁସ୍ଥ  ହୋଇ ମାନସ ଘରକୁ ଫେରିଥିବା ଦେଖି  ଗାଁ ଲୋକେ ବି ଆନନ୍ଦ ପ୍ରକାଶ କରିଛନ୍ତି ।  ଏଥିପାଇଁ ଏଆଇଜି ଟିମ୍‌ ଏବଂ କଟକ ବଡ଼  ଡାକ୍ତରଖାନାର ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ  ପ୍ରଶଂସା କରିଛନ୍ତି ରଶ୍ମିତା । ଏସ୍‌ସିବିରେ ପ୍ରଥମ  ଥର ଏହି ଲିଭର ପ୍ରତିରୋପଣ ସଫଳତାର  ସହ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ  କୁହାଯାଇଛି । ଏହି ଅବସରରେ ଡାକ୍ତରଖାନା  ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର  ମିଶ୍ର ଏବଂ ପ୍ରାଶାସନିକ ବିଭାଗର ଅଧିକାରୀ ଅବିନାଶ ରାଉତ ମଧ୍ୟ ଗୁରୁବାର ତିଗିରିଆରେ  ପହଞ୍ଚି ମାନସଙ୍କ ଘରର ପାରିପାଶ୍ୱିର୍କ ସ୍ଥିତି  ଅନୁଧ୍ୟାନ କରିବା ସହ ତାଙ୍କ ଖାଦ୍ୟ, ପାନୀୟ  ସମ୍ପର୍କରେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।  ମାନସଙ୍କ ଠାରେ ଏହି ଲିଭର ପ୍ରତିରୋପଣ  ଓଡ଼ିଶାରେ ପ୍ରଥମ ବୋଲି କହିଛନ୍ତି । ଲିଭର  ପ୍ରତିରୋପଣ ଯଦିଓ ଅତି ଜଟିଳ ପ୍ରକ୍ରିୟା ତଥାପି  ବଡ଼ ଡାକ୍ତରଖାନାର ସବୁ ବିଭାଗର ଡାକ୍ତରଙ୍କ  ସହଯୋଗ ଯୋଗୁଁ ଏହା ସଫଳ ହୋଇଛି ବୋଲି  ଅଧୀକ୍ଷକ ପ୍ରଫେସର ଶ୍ରୀ ମିଶ୍ର କହିଛନ୍ତି । ଏବେ ଉଭୟ ପତିପତ୍ନୀ ସୁସ୍ଥ ଅଛନ୍ତି । ନିଶା ସେବନ  କରି ଲିଭର ଏବଂ କିଡ୍‌ନୀ ନଷ୍ଟ ନକରିବାକୁ  ସେ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.