ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମି ଦୁର୍ନୀତିରେ ପଶିବ କି ଇଡି ? ନେତା, ଅଫିସର୍‌ଙ୍କ ଛାତି ଧଡ୍‌ଧଡ୍

ଭୁବନେଶ୍ୱର,୦୮/୦୬ : ବଦଳିଲା ସରକାର । ଏବେ ରାଜ୍ୟରେ ବିଜେପି ରାଜ୍‌ ଆରମ୍ଭ ହେବ । ଏହାକୁ ନେଇ ଅନେକଙ୍କ ଛାତି ଧଡ଼ଧଡ଼ । ମନ ଭିତରେ ଘାଣ୍ଟି ହେଉଛି ଗୁଡ଼ାଏ ପ୍ରଶ୍ନ । ବିଜେପି ଶାସନ ଆରମ୍ଭ ହେଲେ ଜମି ଦୁର୍ନୀତିର ହେବ କି ଖୋଳତାଡ଼? ପଶିବ କି ଇଡି? ପ୍ରଭାବଶାଳୀ ନେତା ଓ ଅଫିସରଙ୍କ ଆଖିରୁ ନିଦ ହଜିଗଲାଣି । ସମ୍ପତ୍ତି କେମିତି ଲୁଚାଇବେ, ବୁଦ୍ଧିବାଟ ମିଳୁନି । ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ପିପିଲି ସମେତ କଟକ, ଚୌଦ୍ୱାର ସମେତ ବିଭିନ୍ନ ସହର ଓ ଉପକଣ୍ଠ ଇଲାକାରେ ଜମି ଦର ଆକାଶଛୁଆଁ । ଏହି ଆକାଶଛୁଆଁ ଜମି ଦର ଭିତରେ ଧସେଇ ପଶି ସହରର ପ୍ରମୁଖ ଅଞ୍ଚଳରେ ଜମି ହାତେଇ ନେଇଛନ୍ତି ବହୁ ପ୍ରଭାବଶାଳୀ । ଏତେ ସହଜରେ ଗଳିପଶି ଜମି ନେଇଛନ୍ତି ଯେ କେହି ଟେର ପାଇନାହାନ୍ତି ।

 ଭୁବନେଶ୍ୱରରେ ଜମି ଦୁର୍ନୀତି ନେଇ ବିଜେପି ପୂର୍ବରୁ ବହୁଥର ସ୍ୱର ଉଠାଇଛି । କେତେକ ପ୍ରଭାବଶାଳୀ ଖଣି ମାଫିଆ ଭୁବନେଶ୍ୱରରେ ଜମି ମାଡ଼ି ହାତେଇ ନେଉଥିବା ନେଇ ବିଜେପି ଅଭିଯୋଗ ଆଣିଛି । କିଛି ନିର୍ଦ୍ଦିଷ୍ଟ ଖଣି ମାଫିଆଙ୍କ ଜମି କାରସାଦି ବିରୋଧରେ ବିଜେପି ସାଂସଦ ବି ଅଭିଯୋଗ ଉଠାଇବା ସହ ଆନ୍ଦୋଳନ ଆରମ୍ଭ କରିଥିଲେ । ଜମି କାରବାର ଏମିତି ହୋଇଛି ଯେ ଅନେକ ସ୍ଥାନରେ ରାତାରାତି କିସମ ବଦଳିଯାଇଛି । ପ୍ରାକୃତିକ ନାଳ, ନଦୀ ପଠା, ଜଳାଶୟ, ଗୋଚରକୁ ବି ଛାଡ଼ି ନାହାନ୍ତି ମାଫିଆ । ଆଖିରେ ଆଙ୍ଗୁଠି ଗେଞ୍ଜି ସବୁ ନିୟମକୁ ଜଳାଞ୍ଜଳି ଦେଇ ସହରର ପ୍ରାଇମ ଛକ ବଜାର ଅଞ୍ଚଳରେ ବି ବହୁ ବଡ଼ବଡ଼ିଆ ନିଜ ବ୍ୟବସାୟ ସାମ୍ରାଜ୍ୟ ମେଲାଇବାକୁ ସରକାରଙ୍କ ଠାରୁ ଜମି ନେଇଛନ୍ତି । ଖାଲି ଜମି ନେଇନାହାନ୍ତି, ଉଚ୍ଚ ଅଟ୍ଟାଳିକା ଛିଡ଼ା କରିବାକୁ ସବୁ ନିୟମକୁ ବି କବର ଦେଇଛନ୍ତି । କିଛି ସରକାରୀ ଅଫିସର ଚଞ୍ଚକତା କରି ନିୟମକୁ ସାମୟିକ କୋହଳ କରି ଗଳା ବାଟ ଫିଟାଇ ଦେଇଛନ୍ତି । ହୋଟେଲ, ଆପାର୍ଟମେଣ୍ଟ, ସପିଂ କମ୍ପେ୍ଲକ୍ସ ପାଇଁ ଅତୀତରେ ବହୁ ନାମୀଦାମୀ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ସଂସ୍ଥା ଶସ୍ତାରେ ଜମି ନେଇଯାଇଛନ୍ତି । 

ସହରକୁ ବିପଦକୁ ଠେଲି ବି ବହୁ ବିଲ୍ଡର ଏମିତି କୋଠାବାଡ଼ି ନିର୍ମାଣ କରିଛନ୍ତି, ଯାହା ସାମାନ୍ୟ ବର୍ଷାରେ ବନ୍ୟାରେ ବୁଡ଼ୁଛି । ଏସବୁ ପଛରେ ରହିଛନ୍ତି କିଛି ପ୍ରଭାବଶାଳୀ ରାଜନେତା ଓ ବହୁ ଆଇଏଏସ୍‌, ଆଇପିଏସ୍‌, ଓପିଏସ୍‌, ଓଏଏସ୍‌, ଓଆର୍‌ଏସ୍‌ ଅଫିସର । ସୂତ୍ରରୁ ଖବର ମିଳୁଛି, ବିଜେପି ଏଭଳି ଅଫିସର ଓ ରାଜନେତାଙ୍କ ତାଲିକା ଧରି ବସିଛି । ଖୁବ୍‌ଶୀଘ୍ର ସେମାନଙ୍କ ହିସାବ ନିକାଶ ଆରମ୍ଭ ହେବ । ଗୋଡ଼େଇ ଗୋଡ଼େଇ ଧରିବ ଭିଜିଲାନ୍ସ । ଦରକାର ପଡ଼ିଲେ ପଶିବ ଇଡି । ଅଫିସରମାନେ ଯାହା ନାଁରେ ନିଜ ସମ୍ପତ୍ତିର ସାମ୍ରାଜ୍ୟ ଛିଡ଼ା କରିଥିବେ, ତା’କୁ ଖୋଳି ତାଡ଼ି ବାହାର କରାଯିବ । ଏହି ଡର ଏବେ ବଡ଼ବଡ଼ିଆଙ୍କୁ ଚିନ୍ତାରେ ପକାଇଲାଣି । କେମିତି ସମ୍ପତ୍ତି ଲୁଚାଇବେ, ବାଟ ପାଉନାହାନ୍ତି । ରକ୍ତଚାପ ବଢ଼ିଗଲାଣି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.