ଭୁବନେଶ୍ୱର,୦୨/୦୮: ଆଜି ବିଶ୍ୱ ନଡ଼ିଆ ଦିବସ । ଜାକର୍ତ୍ତାରେ ଅବସ୍ଥିତ ଏସିଆନ୍ ପାସିଫିକ୍ ନଡ଼ିଆ କମ୍ୟୁନିଟି ଦ୍ୱାରା ନଡ଼ିଆ ଚାଷ ସହିତ ଏହାର ଉତ୍ପାଦନ ଉଦ୍ଦେଶ୍ୟରେ ଲୋକମାନଙ୍କୁ ପ୍ରେରଣା ଦେବାପାଇଁ ୨୦୦୯ରୁ ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ନଡ଼ିଆ ଉତ୍ପାଦନ କରି ଆସୁଥିବା ଭାରତ, ମାଲେସିଆ, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ୍, କେନିଆ ଓ ଭିଏତ୍ନାମ୍ ଏହାର ସଦସ୍ୟ ଅଛନ୍ତି । ଏହି ଦେଶ ଗୁଡ଼ିକରେ ନଡ଼ିଆ ଉତ୍ପାଦନ କରି ଆସୁଥିବା ଚାଷୀ ଓ ବ୍ୟବସାୟୀମାନେ ଏହାର ବିଶେଷତ୍ୱ ଉପରେ ସଚେତନ କରାଇବା ପାଇଁ ସେପ୍ଟେମ୍ବର ୨କୁ ନଡ଼ିଆ ଦିବସ ରୂପେ ପାଳନ କରୁଛନ୍ତି ।
ତେବେ ନଡ଼ିଆ ଉତ୍ପାଦନରେ ଭାରତ ପୃଥିବୀରେ ତୃତୀୟ ସ୍ଥାନରେ ରହି ଆସୁଥିବା ବେଳେ ଓଡ଼ିଶା ଏଥିରୁ ବାଦ୍ ପଡ଼ିନି । ଭାରତରେ ନଡ଼ିଆ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଆସିଛି । ୨୦୧୯ ମହାବାତ୍ୟାରେ ଉତ୍ପାଦନରେ ହ୍ରାସ ଦେଖା ଦେଇଥିଲେ ମଧ୍ୟ ଉନ୍ନତ ଚାଷ ଗବେଷଣା ଦ୍ୱାରା ଏହା ପୂର୍ବ ସ୍ଥାନକୁ ଫେରିବାରେ ସଫଳ ହୋଇଛି । ଫନି ମହାବାତ୍ୟା ପ୍ରଭାବରେ ଓଡ଼ିଶାରେ ନଡ଼ିଆ ଉତ୍ପାଦନରେ ବ୍ୟତିକ୍ରମ ଦେଖା ଦେଇଥିଲା ।
ଏହାପରେ ଓଡ଼ିଶାରେ ଗବେଷଣା କେନ୍ଦ୍ରଗୁଡ଼ିକ ନଡ଼ିଆ ଗଛର କିସମର ବିକାଶ ପାଇଁ କାର୍ଯ୍ୟ କରି ଆସୁଥିଲେ । ଫଳରେ ଓଡ଼ିଶା ନଡ଼ିଆ ଉତ୍ପାଦନରେ ନିଜ ସ୍ଥାନକୁ ଫେରି ଆସିବାରେ ସଫଳ ହୋଇଥିଲା । କେନ୍ଦ୍ର ନଡ଼ିଆ ବିକାଶ ବୋର୍ଡ ତଥ୍ୟ ଅନୁଯାୟୀ ୨୦୧୩ ରୁ ୨୦୧୯ ମଧ୍ୟରେ ଓଡ଼ିଶା ୩୨୪୦ରୁ ୩୫୪୦ ଲକ୍ଷ ନଡ଼ିଆ ଉତ୍ପାଦନ କରି ଦେଶରେ ପଞ୍ଚମ ସ୍ଥାନ ଅଧିକାର କରି ଆସିଥିଲା । ୨୦୧୯ରେ ମହାବାତ୍ୟା ଫନି ପାଇଁ ଏହା ୨୮୬ ଲକ୍ଷକୁ ଖସିଥିଲା । ସୂଚନା ମୁତାବକ ଫନି ମହାବାତ୍ୟାରେ ଓଡ଼ିଶାରେ ୧୪ ଲକ୍ଷ ନଡ଼ିଆ ଗଛ ପ୍ରଭାବିତ ହୋଇଥିଲା । ବିଶେଷ କରି ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ଅଧିକ ନଡ଼ିଆ ଗଛ କ୍ଷତି ହୋଇଥିଲା । ପୁରୀରେ ୧୧.୫୯ ଲକ୍ଷ, ଖୋର୍ଦ୍ଧାରେ ୧.୯୬ ଲକ୍ଷ ଓ ଯାଜପୁରରେ ୧୪,୯୧୦ ଗଛ ନଷ୍ଟ ହୋଇଯାଇଥିଲା । ୫୦ ହଜାରରୁ ଅଧିକ ଚାଷୀ କ୍ଷତି ସହିଥିଲେ । ଏବେ ୨୦୨୦ରୁ ୨୦୨୨ ମଧ୍ୟରେ ଓଡ଼ିଶା ୩୯୬ ଲକ୍ଷ ନଡ଼ିଆ ଉତ୍ପାଦନ କରି ପଞ୍ଚମ ସ୍ଥାନକୁ ଫେରି ପାଇଛି ।
ଫଳ ଉଦ୍ୟାନ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଫନି ପ୍ରଭାବରେ ୩ ବର୍ଷ ପାଇଁ ଉତ୍ପାଦନ କମିଗଲା । ଯାହାକି ଏବେ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିଛି । ହେଲେ ପୂର୍ଣ୍ଣ ଭରଣା ହୋଇପାରି ନାହିଁ । ଉତ୍ପାଦନ କମିଥିଲେ ମଧ୍ୟ ଆଗ ଅପେକ୍ଷା ଉତ୍ପାଦନ କ୍ଷେତ୍ର ବଢ଼ିଛି । ଅଧିକାଂଶ ଲୋକ ନଡ଼ିଆ ଚାଷ ପ୍ରତି ମନ ବଳାଉଛନ୍ତି । ଏବେ ଓଡ଼ିଶା ଉତ୍ପାଦନ କ୍ଷେତ୍ର ହିସାବରେ ପଞ୍ଚମ ସ୍ଥାନ ବଜାୟ ରଖିଛି । ହେଲେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାର ଉତ୍ପାଦନ ବହୁତ କମ୍ । ତେଣୁ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେବା ଉଚିତ୍ । ଏଥିପାଇଁ ପ୍ଲାଣ୍ଟ ଗୁଡ଼ିକର ପରିଚାଳନା ଓ ସୁରକ୍ଷାର ଆବଶ୍ୟକତା ଅଛି । ଭଲ କିସମ ଚାରାର ଆବଶ୍ୟକତା ଅଛି । ଓଡ଼ିଶାରେ ସରକାରୀ ତଥା ଘରୋଇସ୍ତରରେ ହାଇବ୍ରିଡ୍ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉନାହିଁ । ଉନ୍ନତ ଚାଷ ପ୍ରଣାଳୀରେ ଧ୍ୟାନ ଦେବା କଥା । ଭଲ କିସମର ହାଇବ୍ରିଡ୍ ଯାଞ୍ଚ କରିବାର ବ୍ୟବସ୍ଥା ନାହିଁ । ୪ଟି ହାଇବ୍ରିଡ୍ କିସମ ତଥା ଗୋଦାବରୀ-ଗଙ୍ଗା, ଚନ୍ଦ୍ର-ଶଙ୍କର, କେରା-ଗଙ୍ଗା, କେରା-ଶଙ୍କରର ଓଡ଼ିଶା ଜଳବାୟୁରେ ଅଧିକ ଫଳ ଦେଇଥାଏ । ତେଣୁ ଏହା ଉପରେ ଦୃଷ୍ଟି ଦେବା କଥା ।
ନଡ଼ିଆ ବ୍ୟବସାୟକୁ ନେଇ ଡମଣା ଛକସ୍ଥିତ ବ୍ୟବସାୟୀ ଭରତ ସାହୁ କହନ୍ତି, ୨୫ ବର୍ଷ ବ୍ୟବସାୟ ମଧ୍ୟରେ ୧୦ ବର୍ଷ ହେବ ପୁରୀ, ଗଞ୍ଜାମ, କଟକ, ନୟାଗଡ଼ ଓ ଖୋର୍ଦ୍ଧାରୁ ପଇଡ଼ ମଗାଉଛୁ । ୩୦ରେ କିଣି ୩୫ରେ ବିକିଲେ ୫ଟଙ୍କା ଲାଭ ହୁଏ । ସେଥିରୁ କଛି ଖରାପ ପଡ଼ିଗଲେ ୩୫ ଟଙ୍କା କ୍ଷତି । ସେହି କ୍ଷତିକୁ ଭଲ ନଡ଼ିଆକୁ ଅଧିକ ଦରରେ ବିକି ଭରଣା କରିବାକୁ ପଡ଼ିଥାଏ । ହେଲେ ଫନି ପରେ ବାତ୍ୟାରେ ପ୍ରଭାବିତ ଗଛରୁ ଅଧିକାଂଶ ଖରାପ ପଇଡ଼ ବାହାରିଲା । ତେଣୁ ଆନ୍ଧ୍ରରୁ ପଇଡ଼ ମଗାଇବାକୁ ପଡ଼ିଲା । ବର୍ଷକ ୧୨ ମାସ ଯାକ ଖରା ବର୍ଷା ଶୀତରେ ବ୍ୟବସାୟ ହୋଇଥାଏ । ୪ ବର୍ଷ ଭିତରେ ଲୋକଙ୍କ ଚାହିଦା ସାଙ୍ଗକୁ ବ୍ୟବସାୟ ବଢ଼ିଛି ।