ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ଜଳ ଦିବସ ଉପଲକ୍ଷେ: ଶାନ୍ତି ପ୍ରଦାନରେ ଜଳ

 ଭୁବନେଶ୍ୱର ୨୨/୦୩: ଭାରତର ସିଲିକନ୍‌ ଭ୍ୟାଲି ରୂପେ ପରିଚିତ  ବେଙ୍ଗାଲୁରୁ ସହର ସମ୍ପ୍ରତି ତୀବ୍ର ଜଳ ସଙ୍କଟର  ସମ୍ମୁଖୀନ ହେବା ପରିପ୍ରେକ୍ଷୀରେ ସହରବାସୀଙ୍କର  ଜୀବନଯାତ୍ରା ଅପ୍ରତ୍ୟାଶିତ ଭାବେ ପ୍ରଭାବିତ ହୋଇଛି ।  ଏପରି ଆହ୍ୱାନକାରୀ ଉତ୍କଟ ଜଳାଭାବ ସମସ୍ୟା କେବଳ ମଣିଷମାନଙ୍କୁ କ୍ଷତିଗ୍ରସ୍ତ କରୁନାହିଁ, ନଗରାଞ୍ଚଳର  ବୃକ୍ଷଲତା, ଜୀବଜନ୍ତୁମାନେ ମଧ୍ୟ ବିପଜ୍ଜନକ ପରିସ୍ଥିତିରେ  ଉପନୀତ ହୋଇଛନ୍ତି । ଉଡ଼ନ୍ତା ପକ୍ଷୀ ଜଳାଭାବରୁ ମୃତ୍ୟୁର  କବଳିତ ହୋଇ ଆକାଶରୁ ଖସି ପଡୁଛନ୍ତି ଏବଂ ବିଷାକ୍ତ  ସାପମାନେ ସୁରକ୍ଷିତ ସ୍ଥାନ ଅନ୍ୱେଷଣରେ ଗର୍ତ୍ତରୁ ବାହାରି  ଇତସ୍ତତ ବିଚରଣ କରୁଛନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀରେ  କାର୍ଯ୍ୟରତ ଅନେକ ଆଇଟି ଅଧିକାରୀମାନେ ନିଜସ୍ୱ  ସହରକୁ ପ୍ରତ୍ୟାବର୍ତ୍ତନ କରି ସ୍ୱଗୃହରେ ରହି କାର୍ଯ୍ୟ  ସମ୍ପାଦନ କରିବାକୁ ସୁରକ୍ଷିତ ମଣୁଛନ୍ତି । ଦୈନନ୍ଦିନ ଚାହିଦା  ମେଣ୍ଟାଇବା ନିମନ୍ତେ ବେଙ୍ଗାଲୁରୁ ପ୍ରତିଦିନ ପ୍ରାୟ ୧,୪୫୦  ନିୟୁତ ଲିଟର ଜଳ କାବେରୀ ନଦୀରୁ ଏବଂ ଅତିରିକ୍ତ  ୭୦୦ ନିୟୁତ ଲିଟର ଜଳ ଭୂତଳ ଉତ୍ସରୁ ଆବଶ୍ୟକ  କରେ । ମାତ୍ର ୨୦୨୩ରେ ମୌସୁମୀ ବର୍ଷାଜଳର ସ୍ୱଳ୍ପତା,  ନଳକୂପମାନଙ୍କରେ ଜଳ ଉପଲବ୍ଧିରେ ହ୍ରାସ ଏବଂ ତନ୍ମଧ୍ୟରୁ  ଅନେକ ଶୁଷ୍କ ହୋଇଯିବା କାରଣରୁ ହିଁ ଗ୍ରୀଷ୍ମଋତୁର  ପ୍ରାରମ୍ଭରୁ ଏପରି ଜଳ ସଙ୍କଟର ଭୟାନକ ଚିତ୍ର ଦୃଶ୍ୟମାନ  ହେଉଛି । 

ସମ୍ପ୍ରତି ଉତ୍ତରପ୍ରଦେଶର ଗାଜିଆବାଦ ସହରରେ  ଭୂତଳ ଜଳ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିବା ପରେ  ଜଳସଙ୍କଟ ତୀବ୍ର ହୋଇଛି ଏବଂ ସମଗ୍ର ସହରକୁ "ରେଡ୍‌  ଜୋନ୍‌' ରୂପେ ଘୋଷିତ କରାଯାଇଛି । ଏହାଠାରୁ ଅଧିକ  ଗମ୍ଭୀର ପରିସ୍ଥିତି ଉପୁଜିଥିଲା ୨୦୧୮ ମସିହାରେ ଦକ୍ଷିଣ  ଆଫ୍ରିକାର ରାଜଧାନୀ କେପ୍‌ ଟାଉନ ସହରରେ, ଯାହା  ଏପରି ‘ଶୂନ୍ୟଜଳ' ଅବସ୍ଥାରେ ଉପନୀତ ହୋଇଥିଲା  ଯେ, ଜଳ ଯୋଗାଣ ଟ୍ୟାପରୁ ବୁନ୍ଦାଏ ବି ପାନୀୟ ଜଳ  ଉପଲବ୍ଧ ହେଉନଥିଲା । ଏପରି ଜଳ ସଙ୍କଟକୁ ସ୍ଥାନୀୟ  ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତିର ମାନ୍ୟତା  ପ୍ରଦାନ କରିଥିଲେ । ଏହି ବିପର୍ଯ୍ୟୟରୁ କେପ୍‌ ଟାଉନ  ଅଧିବାସୀ ଶିକ୍ଷାଲାଭ କରି ଜଳ ସଂରକ୍ଷଣର ନୂତନ  ଅଭ୍ୟାସ ଅବଲମ୍ବନ ଏବଂ ଜଳର ଉତ୍ସ ସନ୍ଧାନ କରିବାରେ  ଉତ୍ସାହିତ ହେଲେ । ଅଧୁନା ବିଳାସମୟ ଜୀବନଯାପନ,  ପୃଥିବୀର ତାପମାତ୍ରାରେ ବୃଦ୍ଧି, ଜଳବାୟୁର ପରିବର୍ତ୍ତନ,  ଜଳ ଉତ୍ସ ସବୁର ପ୍ରଦୂଷଣ ଏବଂ ମରୁଡ଼ି ପରିସ୍ଥିତିର  ସମ୍ମୁଖୀନ ହେବା ବିଶ୍ୱସ୍ତରରେ ଜଳ ସଙ୍କଟକୁ ଅଧିକ  ଘନୀଭୂତ କରିବା ସହ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକ  ଜଳ ଉପଲବ୍ଧତାକୁ ଏକ ଅପ୍ରାପ୍ତ ମରୀଚିକାରେ ପରିଣତ  କରିଛି । 

ନିଦାଘ ଗ୍ରୀଷ୍ମର ବିଷମ ପ୍ରଭାବକୁ ଲାଘବ କରି ତ୍ୱରିତ୍‌  ଶାନ୍ତି ଓ ଆରାମ ପ୍ରଦାନରେ ଥଣ୍ଡାଜଳ ପାନର ଭୂମିକା ଯେ,  କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପ୍ରତ୍ୟେକ ବ୍ୟକ୍ତି ହୃଦୟଙ୍ଗମ  କରିଥାନ୍ତି । ସମୁଦ୍ରର ଜଳରାଶିରେ ଜୀବନର ଉତ୍ପତ୍ତି  ସଂଘଟିତ ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ସମୟକ୍ରମେ ବିଭିନ୍ନ  ଜୀବଜାତିଙ୍କର ଅଭ୍ୟୁଦୟ ଘଟିବା ଏବଂ ପୃଥିବୀରେ ପ୍ରକୃତି  ଓ ଜୀବଜଗତର ସର୍ଜନା ସମ୍ଭବ ହେବା ଜୀବନ ସହ ଜଳର  ନିବିଡ଼ ସମ୍ପର୍କକୁ ବ୍ୟାଖ୍ୟା କରେ । ଅନ୍ୟ ଗ୍ରହମାନଙ୍କରେ  ଜଳର ଅନୁପସ୍ଥିତି ଏପରି ଜୀବସତ୍ତା ସୃଷ୍ଟିରେ ପ୍ରତିବନ୍ଧ  ସାଜିଛି । ତେବେ ଜଳ ପ୍ରସଙ୍ଗକୁ ନେଇ ବିଶ୍ୱବାସୀ  ସମ୍ପ୍ରତି ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ବିଶ୍ୱର ବହୁ ସ୍ଥାନରେ ଜଳ ଏକ ଦୁଷ୍ପ୍ରାପ୍ୟ ଦ୍ରବ୍ୟରେ  ପରିଣତ ହୋଇଛି ତ କେତେବେଳେ ବନ୍ୟା ରୂପରେ  ଜଳର ପ୍ଳାବନ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି କରୁଛି ।  ବର୍ଦ୍ଧିତ ଜଳ ଆବଶ୍ୟକତାର ପୂରଣ ନିମନ୍ତେ ନଦୀ, ହ୍ରଦ  ପରି ମଧୁରଜଳର ଉତ୍ସସବୁ ଚାପଗ୍ରସ୍ତ ହେଉଛନ୍ତି ଏବଂ  ନକାରାତ୍ମକ ମାନବୀୟ କାର୍ଯ୍ୟକଳାପରେ ସୃଷ୍ଟ ପ୍ରଦୂଷିତ  ପଦାର୍ଥ ଏଥି ମଧ୍ୟରେ ପ୍ରବେଶ କରି ଜଳର ଗୁଣାତ୍ମକ  ମାନରେ ଅବନତି ଘଟାଉଛନ୍ତି । ଏସବୁ ପ୍ରସଙ୍ଗକୁ ଦୃଷ୍ଟିରେ  ରଖି ୨୦୨୪ ମସିହାର ‘ବିଶ୍ୱ ଜଳ ଦିବସ'ର ଜାତିସଂଘ  ନିର୍ଦ୍ଧାରିତ ବିଷୟବସ୍ତୁ ରହିଛି ‘ଶାନ୍ତି ନିମନ୍ତେ ଜଳ', ଯାହା  ବିଶ୍ୱର ସ୍ଥିରତା ଏବଂ ସମୃଦ୍ଧତାରେ ଜଳର ଗୁରୁତ୍ୱପୂର୍ଣ୍ଣ  ଭୂମିକା ଉପରେ ଆଲୋକପାତ କରେ । ଯେତେବେଳେ  ଜଳର ଅଭାବ କିମ୍ବା ପ୍ରଦୂଷଣ ଗମ୍ଭୀର ରୂପ ଧାରଣ  କରେ, ଅଥବା ଜଳ ଉପଲବ୍ଧତାକୁ ନେଇ ଲୋକମାନଙ୍କ  ମଧ୍ୟରେ ଅସମତା ଥାଏ ବା ଜଳଉତ୍ସର ସୁବିଧା, ସୁଯୋଗ  ହିଁ ନଥାଏ, ସେତେବେଳେ ସମ୍ପ୍ରଦାୟ ଏବଂ ରାଷ୍ଟ୍ରମାନଙ୍କ  ମଧ୍ୟରେ ତିକ୍ତତାର ବୃଦ୍ଧି ଘଟେ ଏବଂ ଶାନ୍ତି ଭଗ୍ନ ହୁଏ ।  ସମ୍ପ୍ରତି ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଦୃଶ୍ୟପଟ୍ଟ ରେ ଜଳ ସମ୍ବନ୍ଧୀୟ ଏପରି ଚିତ୍ର କ୍ରମେ ଅଧିକ ଗୁରୁତର  ରୂପ ଧାରଣ କରୁଛି । 

ପୃଥିବୀରେ ଯଦିଓ ଜଳର ପ୍ରାଚୁର୍ଯ୍ୟ ଭରିରହିଛି,  କିନ୍ତୁ ମଧୁର ଜଳ ଚାହିଦାରେ ଦ୍ରୁତ ବୃଦ୍ଧି, ସୀମିତ ଉତ୍ସ  ଏବଂ ସେସବୁର ପ୍ରଦୂଷଣ ଓ ଗୁଣବତ୍ତାର ଅବନତି  ଜଳ ଉପଲବ୍ଧିରେ ହ୍ରାସ ଘଟାଉଛି । ଜଳ କ୍ଳିଷ୍ଟତା ସହିତ  ସୁଶାସନ ଏବଂ ସୁପରିଚାଳନାର ଅଭାବ ହିଁ ଜଳକୁ  ନେଇ ବିବାଦର ସୂତ୍ରପାତ କରେ ଏବଂ ସ୍ଥଳ ବିଶେଷରେ  ହିଂସାତ୍ମକ ଘଟଣା ଘଟାଇଥାଏ । ଆଫ୍ରିକାର ଦକ୍ଷିଣରୁ  ଉତ୍ତରକୁ ପ୍ରବାହିତ ନୀଳ ନଦୀର ଜଳ ସମ୍ପଦ ଉପରେ  ଅଧିକାର ଏବଂ ଜଳ ବ୍ୟବହାରକୁ ନେଇ ଉପକୂଳବର୍ତ୍ତୀ  ୧୧ଟି ରାଷ୍ଟ୍ର ମଧ୍ୟରେ ଗମ୍ଭୀର ବିବାଦ ଲାଗିରହିଛି ।  ୟୁଫ୍ରେଟିଜ୍‌-ଟାଇଗ୍ରିସ୍‌ ନଦୀ ଦ୍ୱୟକୁ ନେଇ ଉପତ୍ୟକା  ଦେଶ ତୁର୍କୀ, ସିରିଆ ଏବଂ ଇରାକ ମଧ୍ୟରେ ବିବାଦର  ବୃଦ୍ଧି ଓ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ସେହିପରି  ସୀମାନ୍ତବର୍ତ୍ତୀ ଆଫଗାନିସ୍ତାନ ଏବଂ ଇରାନ ମଧ୍ୟରେ  ହେଲ୍‌ମାଣ୍ଡ ଏବଂ ହରିରୁଦ୍‌ ନଦୀଜଳ ବଣ୍ଟନକୁ ନେଇ  ହୋଇଥିବା ଚୁକ୍ତି ବିବାଦ ଘେରରେ ରହି କାର୍ଯ୍ୟକ୍ଷମ  ହୋଇପାରୁ ନାହିଁ । ବିଶ୍ୱର ଅନ୍ୟତମ ବୃହତ୍‌ ନଦୀ ମେକଙ୍ଗ୍‌  ଉପରେ ବନ୍ଧ ନିର୍ମାଣ ଏବଂ ଜଳ ବ୍ୟବହାରରୁ ବିଦ୍ୟୁତ୍‌  ଶକ୍ତି ଉତ୍ପାଦନକୁ ନେଇ ଚୀନ୍‌, ମିଆଁମାର, ଥାଇଲ୍ୟାଣ୍ଡ,  ଲାଓସ୍‌, କାମ୍ବୋଡିଆ ଏବଂ ଭିଏତନାମ ମଧ୍ୟରେ ବିବାଦ  ଘନୀଭୂତ ହେଉଛି । ତୁର୍କୀ-ଆର୍ମେନିଆ ମଧ୍ୟରେ  ଦ୍ୱିପାକ୍ଷିକ ସମ୍ପର୍କରେ ଦ୍ୱନ୍ଦ୍ୱତା ସତ୍ତେ୍ୱ ଯଦିଓ ସମ ଭାବରେ  ଆର୍ପାକେ ନଦୀ ଜଳର ବଣ୍ଟନ ହେଉଛି, କିନ୍ତୁ ତିକ୍ତତା  ବଦଳରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ।  ବୋଲିଭିଆର କୋଚାବମ୍ବା ସହରରେ ୨୦୦୦ ମସିହାରେ  ପାନୀୟ ଜଳର ଘରୋଇକରଣକୁ ନେଇ ହିଂସାତ୍ମକ  ବିରୋଧ ପ୍ରଦର୍ଶନ ତଥା ତଥାକଥିତ "କୋଚାବମ୍ବା  ଜଳଯୁଦ୍ଧ'ର ସୂତ୍ରପାତ ହୋଇଥିଲା, ଯାହାର ପରିଣାମରେ  ପୁଣି ଥରେ ଜଳ ଯୋଗାଣକୁ ଜାତୀୟକରଣ କରାଗଲା ।  ଜଳ ଉପଲବ୍ଧତା ଦୃଷ୍ଟିରୁ ଚାପରେ ଥିବା ଇଜିପ୍‌ଟରେ  ଜନସଂଖ୍ୟା, ତାପମାତ୍ରା ଏବଂ ଜଳ ବ୍ୟବହାରରେ ବୃଦ୍ଧି  ହେତୁ ଏହି ଚାପ ଭବିଷ୍ୟତରେ ଆହୁରି ବୃଦ୍ଧି ପାଇବ  ବୋଲି ପୂର୍ବାକଳିତ ହୋଇଛି । ଗୁରୁତର ଅବ୍ୟବସ୍ଥା  କାରଣରୁ ୟେମେନର ଜଳ ଉପଲବ୍ଧତା ଆଶ୍ଚର୍ଯ୍ୟଜନକ  ଭାବେ ହ୍ରାସ ପାଉଛି । ସୋମାଲିଆ ବାରମ୍ବାର ମରୁଡ଼ିରେ  ପ୍ରପୀଡ଼ିତ ହେବାଦ୍ୱାରା ଜଳଜନିତ ଚାପ ବୃଦ୍ଧିପାଇ ଜୀବନ  ଜୀବିକା ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି । 

ଭାରତବର୍ଷରେ ଜଳ ବଣ୍ଟନକୁ ନେଇ ରାଜ୍ୟମାନଙ୍କ  ମଧ୍ୟରେ ବହୁ ଗୁରୁତର ସମସ୍ୟା ଦୀର୍ଘ ସମୟ ଧରି  ଲାଗି ରହିଛି, ଯେପରିକି କାବେରୀ ନଦୀଜଳକୁ ନେଇ  କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ବହୁବର୍ଷ ଧରି  ବିବାଦର ସୂତ୍ରପାତ ହୋଇ ଆଇନଗତ ଯୁଦ୍ଧ ଏବଂ  ହିଂସାତ୍ମକ ବିରୋଧ ଜାରି ରହିଛି । ସେହିପରି ରବି  ଓ ବ୍ୟାସ୍‌ ନଦୀଜଳକୁ ନେଇ ପଞ୍ଜାବ, ହରିୟାଣା ଏବଂ  ରାଜସ୍ଥାନ ମଧ୍ୟରେ, କ୍ରିଷ୍ଣା ନଦୀଜଳକୁ ନେଇ ମହାରାଷ୍ଟ୍ର,  ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ମଧ୍ୟରେ,  ବଂଶଧାରା ଜଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ  ମଧ୍ୟରେ, ମହାଦେବୀ/ମାଣ୍ଡୋଭି ଜଳକୁ ନେଇ ମହାରାଷ୍ଟ୍ର,  ଗୋଆ ଏବଂ କର୍ଣ୍ଣାଟକ ମଧ୍ୟରେ ଏବଂ ମହାନଦୀ ଜଳ  ବଣ୍ଟନକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଥିବା  ଜଳବିବାଦ ଆନ୍ତଃରାଜ୍ୟ ଜଳବିବାଦ ଟ୍ରିବ୍ୟୁନାଲ୍‌ମାନଙ୍କରେ  ବିଚାରାଧୀନ ରହିଛି । ଏପରିକି ଗୋଟିଏ ରାଜ୍ୟର ବିଭିନ୍ନ  ଅଞ୍ଚଳରେ ଜଳ ଆବଣ୍ଟନକୁ ନେଇ ବିବାଦ ମଧ୍ୟ ଦୃଶ୍ୟମାନ  ହେଉଛି । ଅନ୍ତଃରାଷ୍ଟ୍ରୀୟ ଅଥବା ଆନ୍ତଃରାଜ୍ୟ ସ୍ତରର ଏ  ସମସ୍ତ ଜଳବିବାଦ ବିଶ୍ୱ ଶାନ୍ତିରେ ବାଧକ ସାଜିବା ସହ  ସମଗ୍ର ଜୀବଜଗତର ଭବିଷ୍ୟତ ନିରନ୍ତରତା ନିମନ୍ତେ  ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । 

ସାମ୍ପ୍ରତିକ ସମୟରେ ଉଭୟ ଜଳାଭାବ ଏବଂ ବନ୍ୟା  ଓ ମରୁଡ଼ି ପରି ଜଳ ସମ୍ବନ୍ଧୀୟ ବିପର୍ଯ୍ୟୟରେ ବୃଦ୍ଧି  ଘଟୁଛି, କାରଣ ତାପମାତ୍ରାର ବୃଦ୍ଧି ବୃଷ୍ଟିପାତର ଢାଞ୍ଚା  ଏବଂ ସମଗ୍ର ଜଳଚକ୍ରରେ ବାଧା ଉପୁଜାଏ । ସମ୍ପ୍ରଦାୟ,  ରାଜ୍ୟ ଏବଂ ଦେଶମାନଙ୍କ ମଧ୍ୟରେ ତିକ୍ତତାର ବୃଦ୍ଧି ଘଟିବ  ନା ଶାନ୍ତିର ମାର୍ଗରେ ସହାବସ୍ଥାନ ସମ୍ଭବ ହେବ, ତାହା  ନିର୍ଭର କରେ ଜଳର ବିଜ୍ଞ ବ୍ୟବହାର ଓ ସୁପରିଚାଳନା  ଉପରେ । ସମ୍ପ୍ରତି ବିଶ୍ୱବ୍ୟାପୀ ୩୦୦ କୋଟିରୁ ଅଧିକ  ଲୋକ ଅନ୍ତଃରାଷ୍ଟ୍ରୀୟ ସୀମା ଅତିକ୍ରମ କରୁଥିବା ଜଳଉତ୍ସ  ଉପରେ ନିର୍ଭରଶୀଳ ଅଟନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ  କେବଳ ୨୪ଟି ରାଷ୍ଟ୍ରଙ୍କ ମଧ୍ୟରେ ଜଳ ଅଂଶୀଦାର ରୂପେ  ସହଯୋଗର ଚୁକ୍ତି କାର୍ଯ୍ୟକାରୀ ହେଉଛି । ଏପରି  ଦୃଶ୍ୟପଟ୍ଟରେ ଆମର ବହୁମୂଲ୍ୟ ଜଳଉତ୍ସ ସବୁର  ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ଏକଜୁଟ ହେବା  ହେଉଛି ଆଜିର ଜରୁରି ଆବଶ୍ୟକତା । ଏହା କହିବା  ବାହୁଲ୍ୟ ଯେ, ଜନସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା, ଖାଦ୍ୟ ଏବଂ  ଶକ୍ତି ଉତ୍ପାଦନ ପ୍ରଣାଳୀ, ଅର୍ଥନୈତିକ ଉତ୍ପାଦକତା ଏବଂ  ପରିବେଶର ଅଖଣ୍ଡତା ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ  କରୁଥିବା ଏବଂ ସାମ୍ୟ ଭାବରେ ପରିଚାଳିତ ହେଉଥିବା  ଏକ ଜଳଚକ୍ର ଉପରେ ନିର୍ଭର କରେ । 

ଯେତେବେଳେ  ଆମେ ଜଳ ପ୍ରସଙ୍ଗ ଉପରେ ପରସ୍ପରକୁ ସହଯୋଗର  ହସ୍ତ ପ୍ରସାରିତ କରୁ, ଆମେ ଏକ ସକାରାତ୍ମକ  ତରଙ୍ଗାୟିତ ପ୍ରଭାବ ସୃଷ୍ଟି କରୁ, ଯାହା ସମନ୍ୱୟ ରକ୍ଷା  କରିବା, ସମୃଦ୍ଧତା ବୃଦ୍ଧି କରିବା ଏବଂ ସାର୍ବଜନୀକ  ଆହ୍ୱାନଗୁଡ଼ିକ ସମ୍ମୁଖୀନ ହେବା ନିମନ୍ତେ ସ୍ଥିରତା ସ୍ଥାପନ  କରେ । ଆମେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ଜଳ  କେବଳ ଏକ ମାନବିକ ଅଧିକାର ନୁହେଁ, ଏହା ଜୀବନର  ପ୍ରତ୍ୟେକ କ୍ଷେତ୍ର ସହିତ ଅନ୍ତର୍ନିହିତ ଭାବେ ଜଡ଼ିତ ।  ଜଳଉତ୍ସମାନଙ୍କୁ ମଇଳା ଜଳ ନିଷ୍କାସନ କିମ୍ବା ଆବର୍ଜନା  ପରିତ୍ୟାଗର ସ୍ଥଳୀ ରୂପେ ବିବେଚନା ନକରି ସେମାନଙ୍କୁ  ଆଇନଗତ ସୁରକ୍ଷା ପ୍ରଦାନ କରିବା ଆମର ନୈତିକ  କର୍ତ୍ତବ୍ୟ । ଏହି ବିଶ୍ୱ ଜଳ ଦିବସ ପାଳନ ଅବସରରେ  ବିଶ୍ୱବାସୀ ସମ୍ମିଳିତ ଭାବେ ଜଳ ନିମନ୍ତେ ଏକଜୁଟ  ହେବା, ଏହାର ଶୁଦ୍ଧତା ଓ ପବିତ୍ରତା ବଜାୟ ରଖିବା  ଏବଂ ଶାନ୍ତି ସ୍ଥାପନ ନିମନ୍ତେ ଜଳର ବିଜ୍ଞ ବ୍ୟବହାର  ପ୍ରଦର୍ଶନ କରିବା ଏକାନ୍ତ ବିଧେୟ, ଯାହା ଆସନ୍ତାକାଲିର  ସୁସ୍ଥ ଜୀବନ ନିମନ୍ତେ ଏକ ସ୍ଥିର ଏବଂ ସମୃଦ୍ଧ ମୂଳଦୁଆ  ସ୍ଥାପନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.