ନୂଆଦିଲ୍ଲୀ ୦୩/୦୯: ଚନ୍ଦ୍ରରେ ଦିନ ଶେଷ ହେବା ପରେ ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ କ’ଣ କରିବେ, ତାକୁ ନେଇ ପ୍ରଶ୍ନ ରହିଛି । ଲ୍ୟାଣ୍ଡର୍ ବିକ୍ରମ ସହିତ ଚନ୍ଦ୍ରପୃଷ୍ଠକୁ ଯାଇଥିବା ୪ର୍ଥ ପେଲୋଡ୍ ଲେଜର୍ ରେଟ୍ରୋରିଫ୍ଲେକ୍ଟର ଆରେ (ଏଲ୍ଆର୍ଏ) ଚନ୍ଦ୍ର ଦିବସ ଶେଷହେବା ପରେ ବାକି ଉପକରଣ ଓ ପ୍ରଜ୍ଞାନର ଦୁଇଟି ଉପକରଣ ନିଷ୍କ୍ରିୟ ହେବା ପରେ ନିଜର କାମ ଆରମ୍ଭ କରିବ । ବିକ୍ରମରେ ୩ ଅନ୍ୟ ପେଲୋଡ୍ ରେଡିଓ ଆନାଟୋମି ଅଫ୍ ମୁନ୍ ବାଉଣ୍ଡ ହାଇପରସେନ୍ସିଟିଭ୍ ଆୟନୋସ୍ଫିୟର ଆଣ୍ଡ ଆଟ୍ମୋସ୍ଫିୟର(ଆର୍ଏମ୍ବିଏଚ୍ଏ), ଚନ୍ଦ୍ରା ସର୍ଫେସ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ (ଚାଏସ୍ଟିଇ) ଓ ଇନ୍ଷ୍ଟ୍ରୁମେଣ୍ଟ୍ ଫର୍ ଲୁନାର ସେସ୍ମିକ ଆକ୍ଟିଭିଟି (ଆଇଏଲ୍ଏସ୍ଏ)କୁ ଇସ୍ରୋ ଦ୍ୱାରା ଚାଲୁ କରାଯାଇଛି ।
ଏଲ୍ଆର୍ଏ ହେଉଛି ନାସା ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର୍ ଦ୍ୱାରା ନିର୍ମିତ ଏକ ଉପକରଣ । ପରିକ୍ରମା କରୁଥିବା ମହାକାଶଯାନର ଲେଜର୍ରୁ ପ୍ରତିବିମ୍ବିତ ହୋଇ ଆସୁଥିବା ଲେଜର୍ ଲାଇଟ୍ର ଉପଯୋଗ ଲାଗି ଏଲ୍ଆର୍ଏକୁ ଡିଜାଇନ୍ କରାଯାଇଛି । ସାଧାରଣତଃ ଏକ ଲେଜର୍ ଅଲ୍ଟିମିଟର ବା ଲାଇଟ୍ ଡିଟେକ୍ସନ୍ ଆଣ୍ଡ ରେଞ୍ଜିଂ (ଲିଡାର) ଲ୍ୟାଣ୍ଡର୍ର ସ୍ଥାନକୁ ଏକ ଫିଡୁସିଆଲ (ତୁଳନା ଆଧାରରେ ନିର୍ଦ୍ଧାରିତ ମନେକରିବା) ସୂଚକ ରୂପେ ସଠିକ୍ ନିର୍ଦ୍ଧାରିତ କରିଥାଏ । ରେଟ୍ରୋରିଫ୍ଲେକ୍ଟର୍ ସେମାନଙ୍କ ଉପରେ ପଡୁଥିବା ଯେକୌଣସି ଆଲୋକକୁ ସିଧାସଳଖ ସ୍ରୋତକୁ ପ୍ରତିବିମ୍ବିତ କରନ୍ତି । ସେଗୁଡ଼ିକ କିଛି ଶହ କିଲୋମିଟରରୁ ପରିକ୍ରମା କରୁଥିବା ଲେଜର୍ ଅଲ୍ଟିମିଟର ବା ଲିଡାର ଦ୍ୱାରା ଚିହ୍ନଟ ହୋଇପାରେ ।
ନାସା ଅନୁସାରେ, ବିକ୍ରମରେ ସଂଲଗ୍ନ ଏଲ୍ଆର୍ଏରେ ୮ ଗୋଲାକାର ୧.୨୭ ସେମି ବ୍ୟାସବିଶିଷ୍ଟ କର୍ନର୍-କ୍ୟୁବ୍ ରେଟ୍ରୋରିଫ୍ଲେକ୍ଟର ରହିଛି, ଯାହାକୁ ୫.୧୧ ସେମି ବ୍ୟାସ, ୧.୬୫ ସେମି ଉଚ୍ଚ ଅର୍ଦ୍ଧଗୋଲାକାର ଗୋଲ୍ଡ ପେଣ୍ଟେଡ୍ ପ୍ଲାଟ୍ଫର୍ମରେ ଲଗାଯାଇଛି । ପ୍ରତ୍ୟେକ ରେଟ୍ରୋରିଫ୍ଲେକ୍ଟର ଟିକିଏ ଅଲଗା ଦିଗକୁ ଇଙ୍ଗିତ କରନ୍ତି ଏବଂ ପ୍ରତ୍ୟେକଙ୍କର ସର୍ବାଧିକ ଉପଯୋଗୀ ଆଲୋକ ଆପତନ କୋଣ ପ୍ରାୟ ଯୁକ୍ତ ବିଯୁକ୍ତ ୨୦ ଡିଗ୍ରୀ ରହିଛି । ଏଲ୍ଆର୍ଏର ମୋଟ୍ ଓଜନ ୨୦ ଗ୍ରାମ । ଏହାର କୌଣସି ଶକ୍ତି ଆବଶ୍ୟକ ନାହିଁ । ନାସା ସ୍ପେସ୍ ସାଇନ୍ସ ଡାଟା କୋଅର୍ଡିନେଟେଡ୍ ଆର୍କାଇଭ୍ର କାର୍ଯ୍ୟନିର୍ବାହୀ ପ୍ରମୁଖ ଡେଭିଡ୍ ଆର୍ ୱିଲିୟମ୍ସଙ୍କ ଅନୁସାରେ, ଚନ୍ଦ୍ରଯାନ ମିଶନ୍ ଶେଷ ହେବା ପର୍ଯ୍ୟନ୍ତ ଏଲ୍ଆର୍ଏର ଉପଯୋଗ କରିବାର ଯୋଜନା ନାହିଁ ।
ଚନ୍ଦ୍ରଯାନ-୩ ମିଶନ୍ ଶେଷ ହେବା ପର୍ଯ୍ୟନ୍ତ ଏଲ୍ଆର୍ଏ କାହିଁକି କାମ କରିବ ନାହିଁ? ସେ ବିଷୟରେ ୱିଲିୟମ୍ସ କହିଥିଲେ, ଲ୍ୟାଣ୍ଡର୍ରେ ଅପ୍ଟିକାଲ୍ ଉପକରଣ (କ୍ୟାମେରା ଓ ସ୍ପେକ୍ଟ୍ରୋମିଟର)ର ସଂଚାଳନରେ ଏହା ଯେମିତି ହସ୍ତକ୍ଷେପ ନ କରୁ, ତାହା ସୁନିଶ୍ଚିତ କରିବାକୁ ହେବ। ଏଲ୍ଆର୍ଏ ପରିକ୍ରମା କରୁଥିବା ଏକ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ନିଜ ସ୍ଥିତିର ଅତ୍ୟନ୍ତ ସଠିକ୍ ନିର୍ଦ୍ଧାରଣ ଲାଗି ଅନୁମତି ପ୍ରଦାନ କରିବ । ଏଲ୍ଆର୍ଏରୁ ପୃଥିବୀର ଦୂରତାର ସଠିକ୍ ମାପ ପ୍ରଦାନ କରିବା ଲାଗି ଏହାକୁ ପରେ ପରିକ୍ରମାରତ ମହାକାଶଯାନର ସ୍ଥିତି ସହିତ ଯୋଡ଼ାଯାଇ ପାରେ, ଯାହା ଚନ୍ଦ୍ରର ଗତି ବିଷୟରେ ବୁଝିବାରେ ସାହାଯ୍ୟ କରିପାରେ । ଯେତେବେଳେ ଥରକେ ଅନେକ ଏଲ୍ଆର୍ଏକୁ ଚନ୍ଦ୍ର ପୃଷ୍ଠରେ ରଖାଯାଏ, ସେଗୁଡ଼ିକ ଫିଡୁସିଆଲ ମାର୍କର୍ ରୂପେ କାମ କରନ୍ତି ଏବଂ ପୃଷ୍ଠରେ ଜିଓଡେଟିକ୍ (ସର୍ଭେ ନିମନ୍ତେ ଜିଓଡେସି) ନେଟ୍ୱର୍କ ସୃଷ୍ଟି କରିପାରନ୍ତି । ଏହା ଭବିଷ୍ୟତ ମିଶନ୍ଗୁଡ଼ିକର ସଠିକ୍ ଅବତରଣର ଯୋଜନା ନିର୍ମାଣରେ ସହାୟକ ହୋଇପାରିବ ।
ୱିଲିୟମ୍ସ କହିଛନ୍ତି ‘ଏଲ୍ଆର୍ଏ ରେଞ୍ଜିଂ କେବଳ ଲେଜର୍ ଅଲ୍ଟିମିଟରଯୁକ୍ତ ଅର୍ବିଟର ମାଧ୍ୟମରେ କରାଯାଇପାରେ । ବର୍ତ୍ତମାନ ଲେଜର୍ ରେଞ୍ଜିଂ କରୁଥିବା ଏକମାତ୍ର ଅର୍ବିଟର୍ ହେଉଛି ନାସାର ଲୁନାର ରିକୋନାଇସେନ୍ସ ଅର୍ବିଟର୍ (ଏଲ୍ଆର୍ଓ) । ଏହା ନିଜର ଲେଜର ଅଲ୍ଟିମିଟର ‘ଲୋଲା’ର ଉପଯୋଗ କରି ଲେଜର୍ ରେଞ୍ଜିଂ କରିପାରେ । ଏଲ୍ଆର୍ଓ ବିକ୍ରମ ଉପରେ ଅତିକ୍ରମ କରିଛି କି ନାହିଁ, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଏଲ୍ଆର୍ଏ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଉଚିତ୍, ଫଳରେ ଭବିଷ୍ୟତ ମିଶନ୍ ଏଗୁଡ଼ିକର ଉପଯୋଗ କରିବାରେ ସକ୍ଷମ ହେବେ । ଯାହା ପାଖରେ ଯେତେ ଅଧିକ ଏଲ୍ଆର୍ଏ ରହିବ, ତା’ର ଜିଓଡେଟିକ୍ ନେଟ୍ୱର୍କ ସେତେ ଭଲ ହେବ । ଭବିଷ୍ୟତ ମିଶନ୍ ଲାଗି ଏଲ୍ଆର୍ଏର ଯୋଜନା ହୋଇଛି । କିନ୍ତୁ ବାସ୍ତବରେ ଏଗୁଡ଼ିକର ସର୍ବନିମ୍ନ ସଂଖ୍ୟା କେତେ ହେବା ଉଚିତ୍, ସେ ବିଷୟରେ କିଛି କୁହାଯାଇ ପାରିବ ନାହିଁ ।’