ପାଟନା,୦୫/୦୨: ବିହାର ମୁଖମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏକୁ ଫେରି ପୁନଃ ସରକାର ଗଢ଼ିବା ପରେ ରାଜ୍ୟ ରାଜନୀତିରେ ଛକାପଞ୍ଝା ଜାରି ରହିଛି । ବିଶେଷକରି ଆସନ୍ତା ୧୨ ତାରିଖରେ ବିଧାନସଭାରେ ସରକାର ଆସ୍ଥା ଭୋଟ୍ର ସମ୍ମୁଖୀନ ହେବାକୁ ଥିବାରୁ ରାଜନୀତି ସରଗରମ ପାଲଟିଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସକୁ ‘ଅପରେସନ ଲୋଟସ୍’ ଭୟ ଘାରିଛି । କଂଗ୍ରେସ ରବିବାର ନିଜ ୧୬ ବିଧାୟକଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରିଛି । କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ମଦନମୋହନ ଝା’ଙ୍କ ଦାୟିତ୍ୱରେ ବିଧାୟକଙ୍କୁ ରଖାଯାଇଛି । ସେ ହିଁ ସମସ୍ତ ବିଧାୟକଙ୍କୁ ଚାର୍ଟର୍ଡ ବିମାନରେ ହାଇଦ୍ରାବାଦ ନେଇଛନ୍ତି । ତେବେ ସିଦ୍ଧାର୍ଥ ସୌରଭ, ମନୋହର ପ୍ରସାଦ ସିଂହ ଏବଂ ଜଣେ ମୁସ୍ଲିମ୍ ବିଧାୟକ ଏହି ଟିମ୍ରେ ନ ଥିବା କୁହାଯାଉଛି ।
ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କଂଗ୍ରେସ ବିଧାୟକମାନଙ୍କୁ ଡକାଯିବ । ଫେବ୍ରୁଆରୀ ୧୨ରୁ ଗୃହକାର୍ଯ୍ୟ ଚାଲିବ । ଏହି ଦିନ ନବଗଠିତ ଏନ୍ଡିଏ ସରକାର ନିଜ ବହୁମତ ପ୍ରମାଣ କରିବ । ତେବେ ତା’ ପୂର୍ବରୁ ଘୋଡ଼ା ବେପାର ଆଶଙ୍କା ଉପୁଜିଛି । ବିଶେଷକରି କଂଗ୍ରେସ ବିଧାୟକଙ୍କୁ ନେଇ ସନ୍ଦେହ ରହିଛି । ଏ ପ୍ରସଙ୍ଗରେ ଶନିବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ଦଳର ବୈଠକ ବସିଥିଲା । ଏଥିରେ ବିହାର କଂଗ୍ରେସର ବିଧାୟକମାନେ ଯୋଗଦେଇଥିଲେ ।
ମୋଟ ୧୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଶାସକ ମେଣ୍ଟକୁ ଡେଇଁବା ଆଶଙ୍କା ରହିଛି । ମନ୍ତ୍ରୀ ପଦ ପାଇବା ଲୋଭରେ ସେମାନେ ଏହି ପଦକ୍ଷେପ ନେଇପାରନ୍ତି । ଏ ପ୍ରସଙ୍ଗରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ ସିହ୍ନା କହିଛନ୍ତି, କଂଗ୍ରେସ ନିଜ ବିଧାୟକମାନଙ୍କୁ ବିଶ୍ୱାସ କରୁନାହିଁ । ସେମାନଙ୍କୁ ଦିଲ୍ଲୀ ପଠାଇ ଦଳ ସେମାନଙ୍କୁ ଅସମ୍ମାନ କରିଛି । ଏମିତି କି ସେମାନଙ୍କୁ ଧମକ ବି ଦିଆଯାଉଛି । ବିଧାୟକମାନଙ୍କୁ କଂଗ୍ରେସ ବନ୍ଧକ ଶ୍ରମିକ ଭାବେ ବ୍ୟବହାର କରୁଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ଦିଲ୍ଲୀ ହେଉ କିମ୍ବା ହାଇଦ୍ରାବାଦ, କଂଗ୍ରେସ ଯେଉଁଠାକୁ ଚାହିଁବ ନିଜ ବିଧାୟକଙ୍କୁ ବୁଲିବାକୁ ପଠାଇ ପାରିବ । କିନ୍ତୁ ଲୋକଙ୍କ ଆଶୀର୍ବାଦ ଦ୍ୱାରା ଗଣତନ୍ତ୍ର ଚାଲିଥାଏ ବୋଲି ବିଜେପି ବିଶ୍ୱାସ କରେ ।
ରିପୋର୍ଟ ଅନୁସାରେ କଂଗ୍ରେସର ସମସ୍ତ ୧୯ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ଦିଲ୍ଲୀ ଯାଇଛନ୍ତି । ଆଉ ୩ ଜଣ ଯାଇନାହାନ୍ତି । ବିଧାୟକଙ୍କୁ ଫେବ୍ରୁଆରୀ ୧୨ରେ ପାଟନା ଫେରିବାକୁ ପଡ଼ିବ । କୁହାଯାଉଛି ଯେ ଏବେ ୧୬ ବିଧାୟକ ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ବାହାରିଛନ୍ତି ଏବଂ ଅନ୍ୟମାନେ ଖୁବଶୀଘ୍ର ଯାଇ ହାଇଦ୍ରାବାଦରେ ପହଞ୍ଚିବେ ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାନୁଆରୀ ୨୮ରେ ମହାମେଣ୍ଟରୁ ଓହରି ବିଜେପି ସହ ମିଶି ସରକାର ଗଢ଼ିଥିଲେ । ନୂଆ ସରକାରକୁ ୧୨ରେ ବହୁମତ ପ୍ରମାଣ କରିବାକୁ ହେବ । ଜେଡିୟୁ, ବିଜେପି, ହାମ୍କୁ ନେଇ ଗଠିତ ଏନ୍ଡିଏ ସରକାରଙ୍କୁ ୧୨୭ ବିଧାୟକଙ୍କ ସମର୍ଥନ ରହିଛି । ବହୁମତ ସଂଖ୍ୟା ୧୨୨ ରହିଛି ।