ଭୁବନେଶ୍ୱର, ୨୧।୮: ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଏସ୍ସି,ଏସ୍ଟି ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରି ଦେବ । ବିଭିନ୍ନ ଦଳିତ ସଂଗଠନ ଏଭଳି ଅଭିଯୋଗ କରି ଅଗଷ୍ଟ ୨୧ରେ ଭାରତବନ୍ଦ ଡାକରା ଦେଇଛନ୍ତି । ଏହାକୁ ସମର୍ଥନ ଜଣାଇଛି ମିଳିତ ଦଳିତ ସଂଘ । ତେଣୁ ଆସନ୍ତାକାଲି ଓଡ଼ିଶାରେ ଅଖଚକ ବନ୍ଦ କରିବାକୁ ଚେତାବନୀ ଦେଇଛି । ମୂଳନିବାସୀ ୟୁନାଇଟେଡ୍ ଫୋରମ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା କହିଛନ୍ତି, ଆସନ୍ତାକାଲି ରାଜଧାନୀ ସମେତ ଅନ୍ୟ ଜିଲ୍ଲାରେ ଚକଅଖ ସବୁ ବନ୍ଦ ରଖିବ । ସମସ୍ତ ଜାତୀୟ ରାଜପଥରେ ରାସ୍ତାରୋକ କରାଯିବ । ପୂରା ରାଜଧାନୀକୁ ଠପ୍ କରିବାକୁ ଲକ୍ଷ୍ୟ ରଖିଛୁ । ସମସ୍ତ ସରକାରୀ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ । ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ କରିବୁ । ୧୬ନଂ ଜାତୀୟ ରାଜପଥ ସହ ଅନ୍ୟାନ୍ୟ ରାସ୍ତାରେ ପିକେଟିଂ କରାଯିବ ।
ଭୁବନେଶ୍ୱର ରେଳଷ୍ଟେସନ ରେଳଧାରଣାରେ ଧାରଣା ଦେବୁ ଓ ମାଷ୍ଟରକ୍ୟାଣ୍ଟିନ୍ରେ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି । ମିଳିତ ଅନୁସୂଚିତ ଜାତି, ଜନଜାତି ସଂଖ୍ୟାଲଘୁ ସମନ୍ୱୟ କମିଟି ସଂଯୋଜକ ଅଭିରାମ ମଲ୍ଲିକ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାତଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ସଂରକ୍ଷଣ କୋଟା ଉପରେ କୋଟା, କ୍ରିମ୍ଲେୟାର ବା ଜାତିଭିତ୍ତିକ ଉପଜାତି ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ । ଏହି ରାୟରୁ ଅଧିକ ଉପକୃତ ହେବେ ସାଧାରଣବର୍ଗ । ଏହି ରାୟ ପୂର୍ବରୁ ଜାତୀୟ ଅନୁସୂଚିତ ଜାତି ଆୟୁକ୍ତ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତର ମହାପଞ୍ଜିକରଣ ଓ ଜନଗଣନା ଆୟୁକ୍ତଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସହ ବିଚାରବିମର୍ଶ କରାଯାଇନି । ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ଆଉ ଏକ ବୃହତ୍ତର ସାମ୍ବିଧାନିକ ବେଞ୍ଚ ଗଢ଼ି ଉପରୋକ୍ତ ରାୟର ପୁନବିର୍ଚାର କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଉଛି ।