କେନ୍ଦୁଝର, ୨୨/୦୮ : ଅଣ୍ଟାରେ ଚୁନରି ବାନ୍ଧି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ। ରେଳ ଧାରଣରୁ ଦୁହିଁଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। କେନ୍ଦୁଝର ସଦର ଧନୁର୍ଜୟପୁର ନିକଟ ଟ୍ରେନ୍ ଲାଇନ୍ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ଧନୁର୍ଜୟପୁର ଗ୍ରାମର ବୁଲେଟ ନାଏକ ଓ ପ୍ରେମିକା ମୟୁରଭଞ୍ଜ ଜିଲ୍ଲା ଘାଗରପଡା ଗ୍ରାମର ସ୍ୱପ୍ନା ନାଏକ ବୋଲି ସୂଚନା ମିଳିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ବୁଲେଟ ଏବଂ ସ୍ୱପ୍ନାଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା। ସ୍ଵପ୍ନା ସ୍ଵାମୀ ପରିତ୍ୟକ୍ତା ଥିବା ବେଳେ ବୁଲେଟଙ୍କ ଠାରୁ ବୟସରେ ବଡ଼ ଥିଲେ। ମଙ୍ଗଳବାର ଦିନ ଦୁହେଁ କେନ୍ଦୁଝର ଆସି ବୁଲାବୁଲି କରିଥିଲେ। କୌଣସି କାରଣରୁ ଉଭୟ ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ। ମୃତ୍ୟୁ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଚୁନରୀରେ ବାନ୍ଧି ହୋଇ ଏକା ସାଙ୍ଗରେ ଟ୍ରେନ୍ ଆଗକୁ ଡେଇଁଥିଲେ। ରେଳ ଧାରଣାରୁ ଦୁହିଁଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଭଦ୍ରକ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି।