ମାଲକାନଗିରି,୧୨/୯,(ଆପ୍ର ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ମାଓବାଦୀ ମୃତ୍ୟୁଦଣ୍ତ ଦେଇଛନ୍ତି। ଏଥିସହ ଅପହରଣ କରିନେଇଥିବା ଜଣେ ଛାତ୍ରଙ୍କୁ ମୁକ୍ତ କରିଛନ୍ତି।
ଦୁଇ ଦିନ ପୂର୍ବେ ନକ୍ସଲମାନେ ଭୈରମଗଡ ଥାନା ଅନ୍ତର୍ଗତ ଜାପେମାର୍କା ଅଞ୍ଚଳରେ ଜଣେ ଛାତ୍ରଙ୍କ ସମେତ ତିନି ଜଣଙ୍କୁ ନେଇ ଏକ ପ୍ରଜାକୋର୍ଟ ଡ଼କାଇଥିଲେ।ଏହି ପ୍ରଜାକୋର୍ଟରେ ଜାପମେର୍କା ଗ୍ରାମର ମାଡଭି ଏବଂ ପୋଡିୟମ କୋସାଙ୍କୁ ପୁଲିସ ସୂଚନାଦାତା ବୋଲି ଅଭିଯୋଗ ଲଗାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହାପରେ ଦୁଇ ଜଣଙ୍କୁ ଗଛରେ ଝୁଲାଇ ହତ୍ୟା କରାଯାଇଥିଲା। ତେବେ ସନ୍ଦେହରେ ନେଇଥିବା ହଷ୍ଟେଲରେ ରହି ପଢୁଥିବା ଜଣେ ଛାତ୍ରକୁ ମୁକ୍ତ କରିଛନ୍ତି ମାଓବାଦୀ । ମାଓ ସଂଗଠନର ଭୈରମଗଡ ଏରିଆ କମିଟି ଏହି ଜଘନ୍ୟ ହତ୍ୟାକାଣ୍ଡର ଦାୟୀ ବୋଲି ଏକ ପୋଷ୍ଟରରେ ଉଲ୍ଲେଖ ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି।