ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ ଲଢ଼େଇରେ ଭେଟେରାନ ଯୋଦ୍ଧା, ହାରିଲେ କ୍ୟାରିୟର ଶେଷ: ନିର୍ବାଚନୀ ପରୀକ୍ଷା ଦେବେ ୧୫ରୁ ଅଧିକ ନେତା

ଭୁବନେଶ୍ୱର, ୦୯/୦୪: କ’ଣ ହେବ ଭେଟେରାନଙ୍କ ଭାଗ୍ୟ? ଏ ବୟସ୍କ ଯୋଦ୍ଧାମାନେ ସାଧାରଣ ନିର୍ବାଚନ ବୈତରଣୀ ଡେଇଁଯିବେ ନା ଝୁଣ୍ଟି ପଡ଼ି ଅଟକିଯିବେ? ୨୦୨୪ ମହାସମର ପାର୍‌ କରିପାରିବେ ତ!  ମନରେ ହଜାରେ ପ୍ରଶ୍ନ । କ’ଣ ହେବ? ବିଜୟ ନା ପରାଜୟ? ଅଧିକାଂଶ ଧରି ନେଇଛନ୍ତି, ଏହା ହୁଏତ ଶେଷ ସୁଯୋଗ । ଏଥର ନ ହେଲେ ଆଉ ନୁହେଁ । ସରିଯିବ ଲଢ଼େଇ । ପଡ଼ିଯିବ ପୂର୍ଣ୍ଣଛେଦ । ତେଣୁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି ସମସ୍ତେ । ଯେମିତି ହେଉ ଏ ନିର୍ଣ୍ଣାୟକ ଲଢ଼େଇରେ ବିଜୟ ପତାକା ଉଡ଼ାଇବାକୁ ହେବ । ଅଧିକାଂଶ ଭେଟେରାନଙ୍କୁ ପୁଣି ଥରେ ସୁଯୋଗ ଦେଇଛି ବିଜେଡି । ଏମିତିକି ନିଜ ଆଡ଼ୁ ଓହରି ପରିବାରର ଦାୟାଦଙ୍କ ପାଇଁ ଟିକଟ ଲବି ଚଳାଇବା ଦଳର ବହୁ ବୟସ୍କ ନେତାଙ୍କୁ ରିପିଟ କରିଛି ବିଜେଡି । 

ଭେଟେରାନ ଯୋଦ୍ଧା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ବଳ ଉପରେ ଭରସା କରିଛି ବିଜେଡି । ୫ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ପୁଣି ଥରେ ବ୍ରହ୍ମପୁର ବିଧାନସଭା ମଇଦାନକୁ ଓହ୍ଲାଇଛନ୍ତି ଚ୍ୟାଉପଟ୍ଟନାୟକ । ୮୧ ବର୍ଷୀୟ ଏହି ଭେଟେରାନ ନେତାଙ୍କୁ ଟିକଟ ଦେଇ ବିଜେଡି ବ୍ରହ୍ମପୁର ଗଡ଼ ଜିତିବାକୁ ଲକ୍ଷ୍ୟ ରଖିଛି । ୧୯୯୫ରୁ ୨୦୧୪ ଯାଏଁ ସେ ଲଗାତାର ୫ ଥର ଏ ଆସନରୁ ବିଧାୟକ ହୋଇଛନ୍ତି । ୨୦୧୯ରେ ଟିକଟ କଟିଥିଲା । ହେଲେ ଏବେ ପୁଣି ସେ ମଇଦାନ କମ୍ପାଇବାକୁ ପ୍ରସ୍ତୁତ ।

ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବୟସ ୭୩ ଡେଇଁଲାଣି । ବିଜେଡି ଟିକଟରେ ସେ ପୁଣି ଥରେ ଜଳେଶ୍ୱରରୁ ପ୍ରାର୍ଥୀ ହୋଇଛନ୍ତି । ଏ ଆସନରୁ ୫ ଥର ଜିତିଥିବା ଅଶ୍ୱିନୀ ଏବେ ଜିଲ୍ଲା ସଭାପତି ଦାୟିତ୍ୱ ବି ତୁଲାଉଛନ୍ତି । ଅଶ୍ୱିନୀଙ୍କ ବିରୋଧରେ ବିଜେପି ବ୍ରଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରେ ଟିକଟ ଅଙ୍କ ଛିଣ୍ଡିନି ।

ଆଉ ଦୁଇ ଭେଟେରାନ ଯୋଦ୍ଧା ହେଲେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଉଭୟ ପ୍ରଫୁଲ୍ଲଙ୍କୁ ୭୭ ଛୁଇଁଲାଣି । ଏଥର ପ୍ରଫୁଲ୍ଲ ସାମଲ  ନିଜ ପୁଅ ପାଇଁ ଟିକଟ ଚାହୁଁଥିଲେ । ହେଲେ ବରପଦା ଇଞ୍ଜିନିୟରିଂ  କଲେଜ ବିବାଦ ଉଠିବା ପରେ ତାଙ୍କ ପୁଅର ପତ୍ତା କଟିଲା । ଦଳ ପ୍ରଫୁଲ୍ଲଙ୍କୁ ଭଣ୍ଡାରିପୋଖରୀରୁ ନେଇ ଭଦ୍ରକରେ ପ୍ରାର୍ଥୀ କରାଇଛନ୍ତି । 

ବିଜେପି ଭଦ୍ରକରେ ନବାଗତ ସୀତାଂଶୁ ଶେଖର ମହାପାତ୍ରଙ୍କୁ  ଟିକଟ ଦେଇଛି । ଏଥର ଭଦ୍ରକ ଆସନରେ ଲଢ଼େଇ ରୋମାଞ୍ଚକ ହୋଇପାରେ । କାମାକ୍ଷାନଗରରୁ ୪ ଥର ଜିତିଥିବା ପ୍ରଫୁଲ୍ଲ ମଲ୍ଲିକ ପୁଣି ଲଢ଼େଇ ପାଇଁ ଓହ୍ଲାଇଛନ୍ତି । ସାମ୍ନା କରିବେ ବିଜେପିର ଶତ୍ରୁୂଘ୍ନ ଜେନାଙ୍କୁ । କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି ପ୍ରଫୁଲ୍ଲଙ୍କ  ବିରୋଧରେ । ୫ ଥରିଆ ବିଧାୟକ ଡାକ୍ତର ନୃସିଂହ ସାହୁ ୨୦୧୯ରେ  ବହୁ କଷ୍ଟରେ ଜିତିଥିଲେ । ବୟସ ୭୫ ଡେଇଁଥିବାବେଳେ ଏଥର  ନିର୍ବାଚନ ଲଢ଼ିବା ନେଇ ସନ୍ଦେହ ଉପୁଜୁଥିଲା । ହେଲେ ନୃସିଂହଙ୍କ  ଭଳି ଭେଟେରାନ ଯୋଦ୍ଧାଙ୍କୁ ପୁଣି ପରଜଙ୍ଗ ମଇଦାନରେ ଓହ୍ଲାଇଛି  ବିଜେଡି । 

ପୁଣି ଥରେ ପର୍ଜଙ୍ଗରେ ନୃସିଂହଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବିଭୂତି ଭୁଷଣ ପ୍ରଧାନ । ୨୦୧୯ରେ ମାତ୍ର ୭୪୦ ଖଣ୍ଡ  ଭୋଟ ବ୍ୟବଧାନରେ ନୃସିଂହ ହରାଇଥିଲେ ବିଭୂତିଙ୍କୁ । ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବାଟ ଛାଡ଼ିବାକୁ ପ୍ରସ୍ତୁତ ଥିବା ବରିଷ୍ଠ  ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପୁଣି ବିଜେଡି ନୂଆପଡ଼ାରୁ ପ୍ରାର୍ଥୀ  କରିଛି ।ଏ ଆସନରୁ ସେ ୩ ଥର ଜିତିଥିବାବେଳେ ଏଥର କଡ଼ା  ଲଢ଼େଇ ସାମ୍ନା କରିବାକୁ ପଡ଼ିପାରେ । ସାମ୍ନାରେ ଅଛନ୍ତି ପିସିସି  ସଭାପତି ଶରତ ପଟ୍ଟନାୟକ ଓ ବିଜେପିରୁ ବସନ୍ତ ପଣ୍ଡାଙ୍କ  ପୁଅ ଅଭିନନ୍ଦନ ପଣ୍ଡା । ସେହିପରି ପ୍ରଥମ ଥର ବିଧାନସଭା  ମଇଦାନକୁ ଓହ୍ଲାଇଥିବା ପିସିସି ସଭାପତି ଶରତଙ୍କ ପାଇଁ ଏହା  କୌଣସି ଅଗ୍ନି ପରୀକ୍ଷାଠାରୁ କମ୍‌ ନୁହେଁ । ପୂର୍ବରୁ ସେ ଲୋକସଭା  ସାଂସଦ ଥିଲେ ମଧ୍ୟ କେବେ ବିଧାନସଭା ପାଇଁ ଲଢ଼ିନଥିଲେ ।  

ଭେଟେରାନ ପଦ୍ମନାଭ ବେହେରା ବି ନିଜ ଦାୟାଦଙ୍କ ଟିକଟ  ଚାହୁଁଥିଲେ । ଦଳ ପୁଣି ତାଙ୍କୁ ଟିକଟ ଦେଲା ବୀରମହରାଜପୁରରୁ ।  ପଦ୍ମନାଭ ଫୁଲବାଣୀରୁ ୨ ଥର ଓ ବୀରମହରାଜପୁରରୁ ୩ଥର  ବିଧାୟକ ହୋଇଛନ୍ତି । ଏ ଆସନରେ ବିଜେପି ପୁଣି ରଘୁନାଥ  ଜଗଦଲାଙ୍କୁ ଟିକଟ ଦେଇଛି । ଏଥର ଟିକଟକୁ ନେଇ ପଦ୍ମନାଭ  ଦଳ ଭିତରେ ଅସନ୍ତୋଷର ସାମ୍ନା କରିଥିବାବେଳେ ଲଢ଼େଇ  ସଂଘର୍ଷପୂର୍ଣ୍ଣ ହୋଇପାରେ ।  

ବିଜେଡିର ଭେଟେରାନ ଯୋଦ୍ଧା ମଧ୍ୟରେ ମନ୍ତ୍ରୀ ପ୍ରଦୀପ  ଅମାତ (୭୨) ପୁଣି ବୌଦ୍ଧ ମଇଦାନରେ ଓହ୍ଲାଇଛନ୍ତି । ୫ ଥର  ଜିତି ସାରିଛନ୍ତି । ଏଥର ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ  ଅଛନ୍ତି ସରୋଜ ପ୍ରଧାନ । 

ବିଜେପିରୁ ତିନି ଭେଟେରାନ ଲୋକସଭା ମଇଦାନକୁ  ଓହ୍ଲାଇଛନ୍ତି । ଢେଙ୍କାନାଳରୁ ରୁଦ୍ର ପାଣି (୬୪) ଓ ବାଲେଶ୍ୱରରୁ  ପ୍ରତାପ ଷଡ଼ଙ୍ଗୀ (୬୯) ଓ କଟକରୁ ଭର୍ତ୍ତୃହରି ମହତାବ (୬୬)  । ୬ ଥରିଆ ସାଂସଦ ଭର୍ତ୍ତୃହରି ବିଜେଡି ଛାଡ଼ି ପ୍ରଥମ ଥର  ପାଇଁ ବିଜେପି ଟିକଟରେ କଟକରୁ ଲଢ଼ୁଛନ୍ତି । ତାଙ୍କ ସାମ୍ନାରେ  ଏଥର ବିଜେଡିର ନବାଗତ ସଂତୃପ୍ତ ମିଶ୍ର ଅଛନ୍ତି । ସେହିପରି ଢେଙ୍କାନାଳରେ ବିଜେଡିର ନବାଗତ ଡା.ଅବିନାଶ ସାମଲଙ୍କ ସହ  ଲଢ଼ୁଛନ୍ତି ରୁଦ୍ର । ସେପଟେ ପ୍ରତାପଙ୍କ ବିରୋଧରେ ବିଜେଡି କିମ୍ବା କଂଗ୍ରେସ କାହାକୁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସରୁ  ବାଲେଶ୍ୱରରେ ଭେଟେରାନ ଶ୍ରୀକାନ୍ତ ଜେନା (୭୩) ସାଂସଦ ପ୍ରାର୍ଥୀ  ହେବା ସମ୍ଭାବନା ଅଛି । ବିଜେଡି ସରପ୍ରାଇଜ୍‌ କାର୍ଡ ଖେଳିପାରେ । ଆଠମଲ୍ଲିକ ବିଧାନସଭା ଆସନରେ ଭେଟେରାନ ସଞ୍ଜୀବ  ସାହୁ (୬୪)ଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏକଦା ବିଜେଡିର ଟାଣୁଆ  ନେତା ଥିବା ସଞ୍ଜୀବଙ୍କ ପାଇଁ ଏଥର କର ବା ମର ଲଢ଼େଇ ସ୍ଥିତି ।  

କଂଗ୍ରେସର ଭେଟେରାନ ଯୋଦ୍ଧା ତାଲିକାରେ ୩  ଥରିଆ ବିଧାୟକ କିଶୋର ପଟେଲ (୭୮)ଙ୍କ ନାଁ ଅଛି ।  ବଜ୍ରରାଜନଗରରୁ ଏଥର ଦଳ ତାଙ୍କୁ ପ୍ରାର୍ଥୀ କରିଛି ।  ୧୯୯୫ରେ ସେ ଶେଷ ଥର ପାଇଁ ବିଧାୟକ ହୋଇଥିଲେ  ସୁନ୍ଦରଗଡ଼ରୁ । ସୁନ୍ଦରଗଡ଼ କଂଗ୍ରେସ ଲୋକସଭା ପ୍ରାର୍ଥୀ  ଜନାର୍ଦ୍ଦନ ଦେହୁରୀ (୬୪) ବି ୧୯୯୫ରେ ବଣାଇରୁ ବିଧାୟକ  ହୋଇଥିଲେ । ଉଭୟଙ୍କ ପାଇଁ ଏଥର ଲଢ଼େଇ ବହୁ କଠିନ ।  

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ବି ଏଥର ୩୯  ବର୍ଷ ପରେ ବିଧାନସଭା ପରୀକ୍ଷା ଦେବେ । ଏଥର ସେ ନର୍ଲାରୁ  ହୋଇଛନ୍ତି ପ୍ରାର୍ଥୀ। ଏ ଆସନରେ ବିଜେପି ଅନିରୁଦ୍ଧ ପଧାନଙ୍କୁ  ଟିକଟ ଦେଇଥିବାବେଳେ ବିଜେଡିର ଟିକଟ ଅଙ୍କ ଛିଣ୍ଡିପାରିନି ।  ବିଜେଡି ନର୍ଲାରେ ସରପ୍ରାଇଜ୍‌ କାର୍ଡ ବି ଖେଳିପାରେ ।  

ଯଦି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ତେବେ ତାଙ୍କ  ଉପରେ ସଭିଙ୍କ ନଜର ରହିବ । ପାଖାପାଖି ୮୨ ବର୍ଷ ତାଙ୍କୁ  ହେଲାଣି । ଏଥର ଭଣ୍ଡାରିପୋଖରୀକୁ ନେଇ ତାଙ୍କ ନାଁ ବେଶ୍‌  ଚର୍ଚ୍ଚାରେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବି  ଆନନ୍ଦପୁରରୁ ଲଢ଼ିପାରନ୍ତି । ତାଙ୍କ ବୟସ ବି ୭୩ ପାଖାପାଖି । ଉଭୟ ନିରଞ୍ଜନ ଓ ଜୟଦେବ ଶେଷ ଥର ପାଇଁ ୨୦୦୪ରେ  ଜିତିଥିଲେ । ୨୦ ବର୍ଷ ପରେ ଉଭୟ ଭେଟେରାନ ପୁଣି ଥରେ  ବିଜୟ ବାନା ଉଡ଼ାଇ ପାରିବେ କି ନାହିଁ, ତାହା ସବୁଠୁ ବଡ଼ ପ୍ରଶ୍ନ ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.