ବେତନଟୀ,୩/୧୧ : ଭୁବନେଶ୍ୱରରୁ ବସ୍ ଯୋଗେ ଘରକୁ ଫେରୁଥିବା ସମୟରେ ଅସୁସ୍ଥ ୪ବର୍ଷର ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବାରୁ ଅସହାୟ ମା' ଗୁରୁତର ଶିଶୁପୁତ୍ରକୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି l ମୃତ ଶିଶୁପୁତ୍ର ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଧୀନ ବାଟଦୁମା ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ମୁର୍ମୁଙ୍କ ଶିଶୁପୁତ୍ର ଭୀମ l
ସୂଚନା ଅନୁଯାୟୀ, ରବୀନ୍ଦ୍ରଙ୍କ ସ୍ତ୍ରୀ ଜସ୍ମି ନିଜର ଶିଶୁପୁତ୍ରକୁ ନେଇ ଭୁବନେଶ୍ୱରସ୍ଥିତ ପଟିଆ ଅଞ୍ଚଳରେ ପକ୍କାକାମ କରି ଗୁଜୁରାଣ ମେଣ୍ଟାଉଥିଲେ l ତେବେ ଗତ ମେ ମାସରେ ରବୀନ୍ଦ୍ରଙ୍କର ଜ୍ଵରରେ ଭୁବନେଶ୍ୱରଠାରେ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଜସ୍ମି ସେଠାରେ ଶିଶୁପୁତ୍ର ସହ ରହି ପକ୍କାକାମ କରି ଗୁଜୁରାଣ ମେଣ୍ଟାଉଥିଲେ l ତେବେ ପୁଅ ଭୀମର ଥଣ୍ଡା ଏବଂ କାଶ ହେଉଥିବାରୁ ଶୁକ୍ରବାର ପାଣିକୋଚ ନାମକ ଘରୋଇ ବସଯୋଗେ ଜସ୍ମି ଅସୁସ୍ଥ ଶିଶୁପୁତ୍ରକୁ ନେଇ ଘରକୁ ଫେରୁଥିଲେ l ତେବେ ରାସ୍ତାରେ ଭୀମର ଭୀଷଣ ପେଟ ବଥା ହେବାରୁ ଜସ୍ମି ବସ୍ କଣ୍ଡକ୍ଟରଙ୍କୁ ଜଣାଇଥିଲା l ଏହାପରେ ଜସ୍ମିଙ୍କୁ ବୈଶିଙ୍ଗାରେ ଓଲ୍ହାଇ ଦେଇ ବସ୍ ପଳାଇ ଯାଇଥିଲା l ଗୁରୁତର ଭୀମଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିବାପରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିବାସହିତ ପୁଲିସକୁ ଖବର ଦେଇଛନ୍ତି l ଏପଟେ ଖବରପାଇ ଜସ୍ମିଙ୍କ ସମ୍ପର୍କୀୟ ମଧ୍ୟ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି l ତେବେ 6ମାସର ବ୍ୟବଧାନରେ ସ୍ୱାମୀ ଏବଂ ପୁଅର ମୃତ୍ୟୁରେ ସର୍ବସ୍ୱ ହରାଇଥିବା ଜସ୍ମି ଅସହାୟ ହୋଇପଡିଛନ୍ତି l