ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୧୦ ବର୍ଷରେ ଉଦ୍ଧାର ହେଲେଣି ୭୩୫ ଶିଶୁ ଶ୍ରମିକ, ନିୟମ ଚୁଲିରେ

ଭୁବନେଶ୍ୱର, ୧୨।୬: ମଙ୍ଗଳବାର ଅପରାହ୍ଣ ୪ଟା । ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବୁଲୁବୁଲୁ ଆଖି ପଡ଼ିଗଲା କେତେକ ଗୁପଚୁପ୍‌ ବିକାଳିଙ୍କ ଉପରେ । ସମସ୍ତଙ୍କ ବୟସ କମ୍‌ । ପଚାରିବାରୁ ଜଣେ କହିଲେ, ଆମ ଘର ଏଠି ନୁହେଁ । ବାହାରୁ ଆସିଛୁ । କ’ଣ କରିବୁ । ପାଠ ତ ପଢ଼ିପାରିଲୁନି । ଘରର ଆର୍ଥିକ ଚାପ କମାଇବା ସହ ପରିବାର ଚଳାଇବାକୁ ଗୁପ୍‌ଚୁପ୍‌ ବିକିବାକୁ ପଡ଼ୁଛି । ଅନ୍ୟଜଣେ କହିଲେ, ବାବୁ ! ଘରେ ବହୁ ଅସୁବିଧା । ମା’ଙ୍କ ଦେହ ଖରାପ । ତାଙ୍କ ପଛରେ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ବାପା କୁଲିମଜୁରି କରୁଛନ୍ତି, ମୁଁ ଗୁପ୍‌ଚୁପ ବିକୁଛି । ଉଭୟଙ୍କ କାହାଣୀ ମର୍ମସ୍ପର୍ଶୀ । ହେଲେ ଶିଶୁ ବୟସରୁ ଏମାନଙ୍କ ଭବିଷ୍ୟତ ଚାପିହୋଇ ଯାଇଛି । କେବଳ ଏହି ଗୁପ୍‌ଚୁପ୍‌ ବିକାଳି ନୁହନ୍ତି, ଏମାନଙ୍କ ପରି ଅନେକ ପିଲା କମ୍‌ ବୟସରୁ ଶ୍ରମିକ ଭାବେ କାମ କରି ପରିବାରକୁ ସାହାଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଖେଳିବା କୁଦିବା ଓ ପଢ଼ିବା ବୟସରେ ପରିବାର ଚଳାଇବା, ରୋଜଗାର ଚିନ୍ତା ଘାରିଛି । କିଏ ନିଜ ପରିବାର ଲୋକଙ୍କ ସହ ଇଟା ବୋହୁଛି ତ କିଏ ହୋଟେଲରେ ବାସନ ମାଜୁଛି । ଅନ୍ୟ କେହି ରାସ୍ତା ପାଶ୍ୱର୍ରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି । ଭୁବନେଶ୍ୱରର ୧ ଓ ୨ ନମ୍ବର ମାର୍କେଟ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ, କଟକ ରୋଡ୍‌, ବମିଖାଲ ଆଦି ଅଞ୍ଚଳରେ ମାଳମାଳ ଶିଶୁ ଶ୍ରମିକ ଆଜି ବି ରହିଛନ୍ତି । ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ସରକାରଙ୍କ ବିଭିନ୍ନ ନିୟମ ମଧ୍ୟ ଫିକା ପଡ଼ିଯାଇଛି । 

ଏ ଦିଗରେ ଆକ୍ସନ-ଏଡ୍‌, ୟୁନିସେଫ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ବି ଚୁପ୍‌ । ସରକାରଙ୍କ "ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ' ସ୍ଲୋଗାନ କେତେ ମୂଲ୍ୟହୀନ ତାହା ଏମାନଙ୍କୁ ଦେଖିଲେ ଜାଣି ହେଉଛି । ଏବେ ରାଜ୍ୟ ତଥା ରାଜଧାନୀରେ କେତେ ଶିଶୁ ଶ୍ରମିକ ଅଛନ୍ତି, ସେନେଇ କୌଣସି ତଥ୍ୟ ସରକାରଙ୍କ ପାଖେ ନାହିଁ । ବିଶେଷ କରି, ବିଭିନ୍ନ ବସ୍ତି ଅଞ୍ଚଳରେ ଅନେକ ଶିଶୁ ଶ୍ରମିକ ରହୁଛନ୍ତି । ଏହି ଶିଶୁମାନେ କିଭଳି ଅନ୍ୟ ପିଲାଙ୍କ ଭଳି ପାଠ ପଢ଼ିବେ, ସେଥିପାଇଁ ସରକାର ସେମାନଙ୍କୁ ମାଗଣା ଖାତା, ବହି, ଖାଦ୍ୟ ଓ ରହିବା ପାଇଁ ହଷ୍ଟେଲର ସୁବିଧା କରିଛନ୍ତି । ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷା ପ୍ରଦାନ କରିବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ମଧ୍ୟ କାର୍ଯ୍ୟ କରୁଛି । ହେଲେ ଏସବୁ କେବଳ କାଗଜପତ୍ରରେ ସୀମିତ ହେଲା ଭଳି ମନେ ହେଉଛି । ୨୦୧୧ ଜନଗଣନା ଅନୁଯାୟୀ, ପ୍ରାୟ ୪୦ କୋଟି ହେଉଛନ୍ତି ଶିଶୁ । ସେମାନଙ୍କ ଭିତରୁ ୧୨ ନିୟୁତ ଶିଶୁଶ୍ରମିକ ସାରା ଦେଶରେ ରହିଛନ୍ତି । ୧୯୯୭ରେ ସୁପ୍ରିମ୍‌କୋର୍ଟଙ୍କ ଶିଶୁ ଶ୍ରମିକ ସର୍ଭେରେ ଓଡ଼ିଶାରେ ୨.୧୦ ଲକ୍ଷରୁ ଅଧିକ ଶିଶୁ ଶ୍ରମିକ ଥିବା ଜଣାପଡ଼ିଥିଲା । ଏହାପରେ ୨୦୦୭ରେ ଶ୍ରମ ବିଭାଗ ୧୮ ଜିଲ୍ଲାରେ ୪ ଲକ୍ଷ ୩୯୯ ଶିଶୁ ଶ୍ରମିକ ଚିହ୍ନଟ କରିଥିଲା । ୨୦୦୭ରୁ ୨୦୧୩ ମଧ୍ୟରେ ରାଜ୍ୟରେ ମାତ୍ର ୮୩୫ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା । ୨୦୧୪ରେ ୧୫୭ ଓ ୨୦୧୫ରେ ୨୧୯ଜଣଙ୍କୁ ଉଦ୍ଧାର କରାଯାଇଛି । ୧୦ ବର୍ଷରେ ୭୩୫ ଶିଶୁ ଶ୍ରମିକ ଉଦ୍ଧାର ହେଲେଣି । 

୨୦୧୩ରେ ଏକ ଘରୋଇ ସଂସ୍ଥାର ସର୍ଭେ ଅନୁସାରେ, ରାଜ୍ୟରେ ୨ ଲକ୍ଷ ୧୫ ହଜାର ୨୨୩ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୯୩ ହଜାର ୬୯୬ ଝିଅ ଓ ୧ ଲକ୍ଷ ୨୧ ହଜାର ୫୨୭ ପୁଅ ରହିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଓ ଉପକଣ୍ଠର ହୋଟେଲ, ଘର, ଷ୍ଟେସନ୍‌ ସମେତ ବିଭିନ୍ନ ସ୍ଥାନରୁ ମାତ୍ର ୩ ଶହ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ରୁଚିକା ଚାଇଲ୍ଡ ଲାଇନ୍‌ । ଗତବର୍ଷ ଚାଇଡ୍‌ଲାଇନ୍‌ ମୋଟ ୩୧ଟି ମାମଲା ରୁଜୁ କରିଥିଲା । କରୋନା ପ୍ରଭାବ ଏବଂ ଲକଡାଉନ୍‌ ଯୋଗୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବିଭିନ୍ନ ସାମାଜିକ ସଙ୍ଗଠନ ଅଭିଯୋଗ କରିଛନ୍ତି । ରାଜଧାନୀକୁ ଶିଶୁ ଶ୍ରମିକ ମୁକ୍ତ ସହର କରାଯିବ । କରୋନା ଯିବା ପରେ ୨୦୨୨ରେ ଶିଶୁ ଶ୍ରମ ନିରୋଧ ଦିବସ ଦିନ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, କମିଶନରେଟ୍‌ ପୁଲିସ ଓ ଭୁବନେଶ୍ୱର ଚାଇଲ୍ଡଲାଇନ୍‌ ପକ୍ଷରୁ ଏଜି ଛକଠାରେ ନଗର ପରିକ୍ରମା ଅଭିଯାନ ହୋଇଥିଲା । ୧୦ ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଶିଶୁ ଶ୍ରମିକ ପ୍ରଥା ବିଲୋପ କରିବାକୁ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ହେଲେ ପ୍ରଶାସନର ଏଭଳି ପ୍ରୟାସ ବିଶେଷ ସଫଳ ହୋଇପାରିନି । 

ସେହିପରି ଚାଇଲ୍ଡଲାଇନ୍‌ ପକ୍ଷରୁ ସ୍କୁଲ୍‌ ଅନ୍‌ ହ୍ୱିଲ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହା ଦ୍ୱାରା ଶିଶୁ ଶ୍ରମିକ ତଥା ଅବହେଳିତ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସଚେତନ କରାଯିବାର ଲକ୍ଷ୍ୟ ଥିଲା । ଏ କାର୍ଯ୍ୟକ୍ରମ ମଧ୍ୟ ଆଖିଦୃଶିଆ ହୋଇପାରିନି । ଏନେଇ ଚାଇଲ୍ଡଲାଇନର ସିଇଓ ବେଣୁଧର ସେନାପତି କହନ୍ତି, ରାଜ୍ୟରେ କେତେ ଶିଶୁ ଶ୍ରମିକ ଅଛନ୍ତି, ତାହାର କୌଣସି ତଥ୍ୟ ନାହିଁ । ସରକାରୀ ସ୍ତରରେ ଏହାର ଗଣତି ହୋଇନି । ହେଲେ ଚାଇଲ୍ଡ ଲାଇନ ସର୍ବଦା ସଜାଗ ରହିଛି । କେଉଁଠୁ ଅଭିଯୋଗ ଆସିଲେ ଆମେ ପ୍ରଶାସନିକସ୍ତରରେ ସେଠାରେ ଚଢ଼ଉ କରୁଛୁ ।

କ’ଣ ରହିଛି ନିୟମ ?

କୌଣସି ସ୍ଥାନରୁ ଶିଶୁ ଶ୍ରମିକ ଉଦ୍ଧାର ହେଲେ ତୁରନ୍ତ ସିଡବ୍ଲୁସିରେ ହାଜର କରାଯାଏ । ସ୍ୱାସ୍ଥ୍ୟ ପରୀକ୍ଷା, କାଉନ୍‌ସେଲିଂ ପରେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ହସ୍ତାନ୍ତର କରାଯାଏ । ଏହାପରେ ପିଲା ସ୍କୁଲ ଯାଉଛି କି ପୁଣି କାମକୁ ଯାଉଛି ସେ ସମ୍ପର୍କରେ ଶିଶୁ ସୁରକ୍ଷା ବିଭାଗ, ଶିଶୁ ସୁରକ୍ଷା କମିଶନ ଓ ସାମାଜିକ ସଙ୍ଗଠନ ବୁଝିବା କଥା । 

ଅନ୍ୟପଟେ ଶିଶୁ ଶ୍ରମିକ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ସହ ଜରିମାନା ଆଦାୟ ନିୟମ ବି ଅଛି । ଜରିମାନା ଟଙ୍କା ଉକ୍ତ ଶିଶୁଙ୍କ ନାମରେ ଜମା କରାଯିବାର ବ୍ୟବସ୍ଥା ରହିଛି । ହେଲେ ଏସବୁ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହେଉଛି । ଅପରପକ୍ଷେ ଉଦ୍ଧାର ଶିଶୁଙ୍କ ସମ୍ପର୍କୀୟଙ୍କ ସୂଚନା ନ ମିଳିଲେ ବାଳାଶ୍ରମ କିମ୍ବା ଶିଶୁ ଯତ୍ନଗୃହରେ ଥଇଥାନ କରାଯିବା ବ୍ୟବସ୍ଥା ମଧ୍ୟ ରହିଛି । ତାହା ମଧ୍ୟ ଠିକ ରୂପେ କାର୍ଯ୍ୟକାରୀ କରାଯାଉନାହିଁ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.