ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମୁନି ସାଇବର ଠକେଇ, ଟ୍ରେଡିଂ ଜାଲରେ ଫସି ହରାଇଲେ ୩୮ ଲକ୍ଷ

ଅନୁଗୁଳ, ୨୧।୨: ଥମୁନି ସାଇବର ଠକେଇ । ଗୋଟିଏ ପଟେ ଅନୁଗୁଳରେ ଅନଲାଇନ୍‌ ଲୁଟେରାଙ୍କ ଉତ୍ପାତ ବଢ଼ି ଚାଲିଥିବା ବେଳେ ଟଙ୍କା ରୋଜଗାର ନିଶା ଏମିତି ଘାରୁଛି ଯେ ଲୋକ ଆପଣାଛାଏଁ ଲୁଟେରାଙ୍କ ଜାଲରେ ପଡ଼ି ଠକାମିର ଶିକାର ହେଉଛନ୍ତି । ସପ୍ତାହ ତଳେ ଟ୍ରେଡିଂ ଆପ୍‌ ଜରିଆରେ ପ୍ରାୟ ୬୨ ଲକ୍ଷ ଟଙ୍କାର ଠକେଇ ହୋଇଥିଲା । ପୁଲିସ୍‌ ଏହି ମାମଲାରେ ବିନ୍ଦୁ ବିସର୍ଗ ପାଇନଥିବା ବେଳେ ଆଉ ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି । ଟ୍ରେଡିଂ ଆପ୍‌ରେ ଟଙ୍କା ନିବେଶ କରି କୋଟିପତି ହେବା ନିଶାରେ ଜଣେ ବ୍ୟକ୍ତି ୩୮ ଲକ୍ଷ ଟଙ୍କା ହରାଇଛନ୍ତି । ସେ ନିଜ ନାଁ’ରେ ଆକାଉଣ୍ଟ ଖୋଲି ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରାଇଥିବା ବେଳେ ପତ୍ନୀଙ୍କ ନାଁରେ ଅନ୍ୟ ଏକ ଆକାଉଣ୍ଟ ଖୋଲି ହରାଇଛନ୍ତି ୨୫ ଲକ୍ଷ ଟଙ୍କା । 

ପୁଲିସ୍‌ ସୂଚନା ମୁତାବକ, ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଏସ୍‌ପି ମିଶ୍ର । ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେ ଅନୁଗୁଳ ସହର ଉପକଣ୍ଠରେ ରହୁଛନ୍ତି । ସେ ଦୁଇ ମାସ ତଳେ ଫେସବୁକ୍‌ର ଏକ ଲିଙ୍କ୍‌ରୁ ଟ୍ରେଡିଂ ଆପ୍‌ରେ ଟଙ୍କା ନିବେଶ ନେଇ ତାଲିମ୍‌ ନେବାକୁ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଯୋଡ଼ି ହୋଇଥିଲେ । ସେହି ଗ୍ରୁପ୍‌ରେ ସେ ଟଙ୍କା ରୋଜଗାରର ବିଶ୍ୱାସ ବଢ଼ାଇଥିଲେ । ପରେ ସେ ନିଜ ପତ୍ନୀଙ୍କ ନାମରେ ଏକ ଆକାଉଣ୍ଟ ଖୋଲି ଟ୍ରେଡିଂ ଆପ୍‌ରେ ପର୍ଯ୍ୟାୟ କ୍ରମେ ୨୫ ଲକ୍ଷ ୪୦ ହଜାର ଟଙ୍କା ବିନିଯୋଗ କରିଥିଲେ । ମାତ୍ର ଏହି ଟଙ୍କା ଫେରସ୍ତ ପାଇଁ ଉଦ୍ୟମ କରିଥିଲେ ହେଁ ଟଙ୍କା ଉଠାଇ ପାରିନଥିଲେ । 

ଅପରପକ୍ଷରେ, ଶ୍ରୀ ମିଶ୍ର ନିଜ ମୋବାଇଲ୍‌ ନଂ ଓ ଆଧାର କାର୍ଡ୍‌ ଦେଇ ଆଉ ଏକ ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟ ଜରିଆରେ ସେ ଟ୍ରେଡିଂ ଆପ୍‌ରେ ୧୨ ଲକ୍ଷ ୮୦ ହଜାର ଟଙ୍କା ନିବେଶ କରିଥିଲେ । ଏହି ଟଙ୍କାକୁ ସେ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରୁପ୍‌ରୁ ତାଙ୍କୁ ବାହାର କରାଯାଇଥିଲା । ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.