ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ବିଟେକ୍‌ ଛାତ୍ରଙ୍କ ପରିବେଶ ଚିନ୍ତା: କାଠ, ବାଉଁଶ ସାମଗ୍ରୀ ବିକୁଛନ୍ତି, ପ୍ଲାଷ୍ଟିକ ପ୍ରତି ସଚେତନ କରୁଛନ୍ତି

ଭୁବନେଶ୍ୱର ୦୯/୦୨: ପାଖରେ ରହିଛି ବି-ଟେକ୍‌ ଡିଗ୍ରୀ ।  ଭଲ ଚାକିରି ମଧ୍ୟ କରିଥିଲେ । ହେଲେ ଚାକିରିରେ ଆତ୍ମସନ୍ତୋଷ  ମିଳିନଥିଲା । ପାଠପଢା ଓ ରୋଜଗାର ଗୋଟିଏ ଦିଗରେ ଥିଲା  ବେଳେ ମନ ଟାଣିନେଲା ଅଉ ଗୋଟେ ଦିଗକୁ । ଯେଉଁଠି କେବଳ  ଗୋଟିଏ ଚିନ୍ତା ଥିଲା ପରିବେଶ । ବିଶେଷକରି ପ୍ଲାଷ୍ଟିକର ବହୁଳ  ବ୍ୟବହାରକୁ ନେଇ ସେ ଚିନ୍ତାରେ ଥିଲେ । ପ୍ଲାଷ୍ଟିକ କିପରି  ମଣିଷକୁ ଧ୍ୱଂସ ମୁହଁକୁ ଟାଣିନେଇଛି ତାକୁ ନେଇ ବିବ୍ରତ ହୋଇପଡ଼ିଥିଲେ । ତେଣୁ ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ  ସେ ପରିବେଶ ଉପଯୋଗୀ ନାନା ସାମଗ୍ରୀ ତିଆରି କରିବାକୁ  ଲାଗିଲେ । ଯାହା ତାଙ୍କ ପାଇଁ ଏବେ ପେସାରେ ପରିଣତ ହୋଇଛି । ବାଉଁଶ ଏବଂ ନିମ୍ବ କାଠରୁ ସେ ପାନିଆଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ତିଆରି କରୁଛନ୍ତି । କେମିତି ପରିବେଶକୁ  ସୁଧାରିବେ ଓ ସଜାଡ଼ିବେ । ସେଥିପାଇଁ ସେ ବାଛିନେଲେ କାଠ  ଓ ବାଉଁଶକୁ । ଏଭଳି ଜଣେ ନିଆରା ଚିନ୍ତାଧାରା ରଖୁଥିବା ଯୁବକ  ହେଲେ ଅଜିତ୍‌ କୁମାର ପଲାଇ ।  

ଏକାମ୍ର ଉତ୍ସବରେ ଇକୋ ସାଥୀ ପକ୍ଷରୁ ଖୋଲା ଯାଇଥିବା  ଷ୍ଟଲରେ ଅଜିତ୍‌ ବିକ୍ରି କରୁଛନ୍ତି ପରିବେଶ ଅନୁକୂଳ ସାମଗ୍ରୀ ।  ଯେଉଁଗୁଡ଼ିକ ମୁଖ୍ୟତଃ ବାଉଁଶ ଏବଂ ନିମ୍ବ କାଠରୁ ତିଆରି ହୋଇଛି ।  ଏହା ୩୦ ଟଙ୍କାରୁ ଆରମ୍ଭ ହୋଇ ୧ହଜାର ଟଙ୍କାରେ ବିକ୍ରି ହେଉଛି ।  ବିଭିନ୍ନ ସାମଗ୍ରୀ ମଧ୍ୟରେ ପାନିଆ, ବୋତଲ, ପେନ୍‌ ଷ୍ଟାଣ୍ଡ, ଦାନ୍ତସଫା  ବ୍ରସ, ଜିଭ ପାତିଆ, ରେଜର ଭଳି ସାମଗ୍ରୀ ରହିଛି । ଶ୍ରୀ ପଲାଇ  କୁହନ୍ତି, ସେ କଲେଜରେ ପଢୁଥିବା ସମୟରୁ ହିଁ ପରିବେଶ ପ୍ରତି  ଆଗ୍ରହୀ ଥିଲେ । ଦାନ୍ତସଫା ବ୍ରସ୍‌ ଠାରୁ ଆରମ୍ଭକରି ପାଣି ବୋତଲ  ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକ୍‌ରେ । ଫଳରେ ପରିବେଶ ପ୍ରଦୂଷିତ  ହେଉଛି । 

ସେଥିପାଇଁ ସେ ୩ ବର୍ଷ ହେବ କାଠ ଓ ବାଉଁଶରେ  ତିଆରି ପରିବେଶ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରୁଛି । ଆଗକୁ  ସେ ଏହାକୁ ଷ୍ଟାର୍ଟଅପ୍‌ରେ ପରିଣତ କରି ଲୋକଙ୍କୁ ରୋଜଗାର  ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଷ୍ଟଲରେ ଥିବା ସମସ୍ତ ସାମଗ୍ରୀ ମୁଖ୍ୟତଃ  ପରିବେଶ ଅନୁକୂଳ ହୋଇଥିବାରୁ ଷ୍ଟଲ ସମ୍ମୁଖରେ ବେଶ୍‌ ଭିଡ଼  ଜମୁଛି । ବିଶେଷକରି ଝିଅମାନେ ନିମ୍ବ କାଠରେ ପ୍ରସ୍ତୁତ ପାନିଆକୁ  ଅଧିକ ମାତ୍ରାରେ କିଣୁଛନ୍ତି । ଏହା ଚୁଟି ଉପରେ କିଛି କୁପ୍ରଭାବ  ପକାଉନଥିବାରୁ ଏହାର ଅଧିକ ଚାହିଦା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.