ପ୍ରମୂଖ ଖବର

ଏଥର ଭଦ୍ରକରେ ଲଢ଼ିବେ ହେଭିୱେଟ୍, ଭଣ୍ଡାରିପୋଖରୀ ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ ପୁଣି ଅଣ୍ଟା ଭିଡ଼ିଲେଣି ନିରଞ୍ଜନ

ଭଦ୍ରକ, ୩୧।୧: ଏଥର ଲଢ଼ିବେ ହେଭିୱେଟ୍ । ସବୁ ଦଳରେ ରହିଛନ୍ତି ଭେଟେରାନ ନେତା । ଭଦ୍ରକ ଜିଲ୍ଲା ରାଜନୀତିରେ ଆସନ୍ତା ନିର୍ବାଚନରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା । ନିରଞ୍ଜନ ପୁଣି ଭଣ୍ଡାରିପୋଖରୀ ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଲେଣି । ୨୦୧୯ ନିର୍ବାଚନରେ ସେ ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ କଡ଼ା ଟକ୍କର ଦେଇଥିଲେ । ମାତ୍ର, ୮୮୫୯ ଖଣ୍ଡ ଭୋଟରେ ପଛୁଆ ରହିଥିଲେ ନିରଞ୍ଜନ । ନୂଆ କରି ଭଣ୍ଡାରିପୋଖରୀ ଆସନକୁ ଧସେଇ ପଶିଥିବା ନିରଞ୍ଜନ ବାବୁ ଯେ କଡ଼ା ଫାଇଟ୍ ଦେବେ କେହି ଆକଳନ କରି ନ ଥିଲେ । ଗଣତି ପରେ ଯେଉଁ ଫଳାଫଳ ଆସିଲା ତାହା ଅନେକଙ୍କୁ ତାଜୁବ କରିଥିଲା । ଏଥର ପାଇଁ ନିରଞ୍ଜନ ସମରସଜ୍ଜା ଆରମ୍ଭ କରିଛନ୍ତି । 

ବଡ଼ କଥା ହେଲା ତାଙ୍କ ନିଜ ଦଳରୁ ଅନ୍ୟ ଆଶାୟୀ କେହି ନାହାନ୍ତି । ଏଣୁ ସେ ହିଁ କଂଗ୍ରେସର ଏକମାତ୍ର ପ୍ରାର୍ଥୀ ବୋଲି ଏକରକମ ସ୍ପଷ୍ଟ ବୁଝାଯାଉଛି । ନିରଞ୍ଜନଙ୍କ ସାମ୍ନା କରୁଥିବା ବିଜେଡିର ପ୍ରଫୁଲ୍ଲ ସାମଲଙ୍କ ପାଇଁ ଯଦିଓ ଆଶାୟୀ ଅଧିକ ରହିଛନ୍ତି । ବୟସାଧିକ କାରଣରୁ ପ୍ରଫୁଲ୍ଲ ସାମଲ ରାଜନୀତି କରିବେନି ବୋଲି ବହୁ ପୂର୍ବରୁ ଗଣମାଧ୍ୟମରେ ବୟାନ ରଖିଥିଲେ । ନିଜ ପୁଅ ପ୍ରୟାସକାନ୍ତି ସାମଲଙ୍କ ପାଇଁ ସେ ଗାଦି ଛାଡ଼ୁଥିବା ଚର୍ଚ୍ଚା ହେଉଛି । ପ୍ରୟାସ ଓରଫ ଲୁଲୁ ବି ଚଳିତ ଥର ଲଢିବାକୁ ନିଜକୁ ତୟାର ରଖିଛନ୍ତି । ଚାନ୍ଦବାଲି ଆସନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ସର୍ବେସର୍ବା । ପଦ୍ମ ଚିହ୍ନରୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି । ତାଙ୍କ ସମ୍ମୁଖରେ ରହିଛନ୍ତି ବିଜେଡିର ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ । 

ବିଜେଡିରୁ ଅନ୍ୟତମ ଅଶାୟୀ ଭାବେ ଯୁବନେତା ଅମିତ ମଲ୍ଲିକ ରହିଛନ୍ତି । ତଥାପି ଏଠି ବ୍ୟୋମକେଶ ଓ ମନମୋହନ ମୁହାଁମୁହିଁ ହେବା ସମ୍ଭାବନା ଅଧିକ । ଗତ ନିର୍ବାଚନରେ ମାତ୍ର ୮୦୮୦ ଖଣ୍ଡ ଭୋଟରେ ପଦ୍ମ ପଛୁଆ ରହିଥିଲା । ଏଥର ଫଳ ଓଲଟାଇବାକୁ ମନମୋହନ ଗୋଟି ଚାଳନା କରୁଛନ୍ତି । ଏହି ଆସନରେ ଏବେ ମିଶ୍ରଣ ପର୍ବର ମିଶାଣ ଫେଡ଼ାଣ ପ୍ରତି ସପ୍ତାହରେ ଚାଲିଛି । ଧାମନଗର ଆସନରେ ବିଜେପିର ଯୁବ ବିଧାୟକ ସୂର୍ଯ୍ୟବଂଶୀ ଲଢ଼ିବେ । ସେ ବିଧାନସଭାରେ ସୀମିତ ରହିବେ କି ଲୋକସଭା ଦାୟିତ୍ୱ ଦଳ ଦେବ ତାହା ସ୍ପଷ୍ଟ ହୋଇନି । ଏବେକାର ସ୍ଥିତିରେ ସୂର୍ଯ୍ୟବଂଶୀ ଯେ ମଇଦାନରେ ବିଜେପି ପକ୍ଷରୁ ଶ୍ରେଷ୍ଠ ଖେଳାଳି ସେଥିରେ ସନ୍ଦେହ ନାହିଁ । 

୨୦୧୯ରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀ ମାତ୍ର ୪୬୨୫ ଖଣ୍ଡ ଭୋଟରେ ବିଜୟୀ ହୋଇ ବିଧାନସଭାର ବିରୋଧୀ ଦଳ ଉପନେତା ହୋଇଥିଲେ । ଅକସ୍ମାତ ବିୟୋଗ ପରେ ଯେଉଁ ଉପନିର୍ବାଚନ ହେଲା, ବାପାଙ୍କଠାରୁ ପୁଅ ଆହୁରି ଅଧିକ ଭୋଟ ବ୍ୟବଧାନ(୯୮୮୧)ରେ ବିଜୟୀ ହେଲେ । ସୂର୍ଯ୍ୟବଂଶୀଙ୍କ ସହ ବିଜେଡିର କଡ଼ା ମୁକାବିଲା ହେବ । ଏଠି ବିଜେଡିର ଗୋଷ୍ଠୀ କନ୍ଦଳ ସମେତ ମାଳମାଳ ଆଶାୟୀ ରହିଛନ୍ତି । ତଥାପି ବିଜେଡି ସୂର୍ଯ୍ୟବଂଶୀଙ୍କୁ ଅଟକାଇବାକୁ ଫାସ ବସାଇଛି । ଅନ୍ୟତମ ଚର୍ଚ୍ଚିତ ନେତା ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାମ ଆସୁଛି । ୨୦୨୨ ଉପନିର୍ବାଚନରେ ରାଜୁ ଦାସ ବିଜେଡିରୁ ବହିଷ୍କୃତ ହୋଇ ପ୍ରାର୍ଥୀ ହୋଇଥିଲେ । ୯ ହଜାର ଭୋଟ ପାଇ ବିଜେଡିକୁ ଚକମା ଦେଲେ । ରିବେଲ ରାଜୁ ଭାବେ ରାଜ୍ୟରେ ପରିଚିତ ହୋଇଥିବା ରାଜୁ ଦାସ ଚୁପ ବସିନାହାନ୍ତି । ସେ ପୁଣି ଚାନ୍ଦବାଲି ଓ ଧାମନଗରର ବିଦ୍ରୋହୀ ପ୍ରାର୍ଥୀ ହେବେ ଆଲୋଚନା ହେଉଛି । କିମ୍ବା ଏକ ଜାତୀୟ ଦଳରେ ମିଶି ବିଧାୟକ ପ୍ରାର୍ଥୀ ହେବା ପାଇଁ ବୁଝାମଣା ଚାଲିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.