ନୂଆଦିଲ୍ଲୀ,୨୯/୧୧ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଏବେ ପ୍ରାୟ ୪ଦିନ ବାକି ରହିଛି । ୩ଡିସେମ୍ବରରେ ମଧ୍ୟପ୍ରଦେଶର ସବୁ ୨୩୦ବିଧାନସଭା ସିଟ୍ର ଫଳାଫଳ ଆସିବ ଏବଂ ଏହା ବି ସ୍ପଷ୍ଟ ହୋଇଯିବ କି ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ସତ୍ତା କାହା ପାଖରେ ରହିବ । ମାତ୍ର ଫଳାଫଳ ପ୍ରକାଶ ପାଇବାର ୪ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର କ୍ୟାବିନେଟ ବୈଠକ ଡାକିଛନ୍ତି ।
ବୁଧବାର ରାଜଧାନୀ ଭୋପାଳସ୍ଥିତ ମନ୍ତ୍ରାଳୟରେ ହେବାକୁ ଯାଉଥିବା ବୈଠକକୁ ନେଇ କୌଣସି ଏଜେଣ୍ଡା ଜାରି କରାଯାଇନାହିଁ । ଅନୁମାନ ଲଗାଯଉଛି କି ଏଥିରେ ମୁଖ୍ୟ ସଚିବ ଇକବାଲ ସିଂହ ବ୍ୟାସଙ୍କୁ ବିଦାୟ ଦିଆଯାଇପାରେ । ମୁଖ୍ୟ ସଚିବ ଇକବାଲ ସିଂହ ବ୍ୟାସଙ୍କ ବୁଧବାର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଛି । ବୈଠକରେ ସାମିଲ ହେବା ଲାଗି କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମାନଙ୍କୁ ଅଫିସିଆଲ ସୂଚନା ଦିଆଯାଇଛି । ସବୁ ବିଭାଗର ଅପର ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ ସଚିବଙ୍କୁ ବି ସାମିଲ ରହିବାକୁ କୁହାଯାଇଛି ।
ଅନ୍ୟପଟେ ମଧ୍ୟ ପ୍ରଦେଶର ଆଗାମୀ ନୂଆ ମୁଖ୍ୟ ସଚିବ କିଏ ହେବେ ଏହାର ପ୍ରସ୍ତାବ ଏବେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇନାହିଁ । ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ମୁଖ୍ୟ ସଚିବଙ୍କୁ ନେଇ ରାଜ୍ୟ ଶାସନ ଦ୍ବାରା ମଙ୍ଗଳବାର ୨୮ନଭେମ୍ବର ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ ।
ମଧ୍ୟପ୍ରଦେଶ ବିଧାନସଭାର ଏହା ଶେଷ କ୍ୟାବିନେଟ ବୈଠକ ବୋଲି କୁହାଯାଉଛି । କାରଣ ୧୭ନଭେମ୍ବରରେ ମଧ୍ୟପ୍ରଦେଶର ସବୁ ୨୩୦ବିଧାନସଭା ଲାଗି ନିର୍ବାଚନ ହୋଇସାରିଛି, ଯାହାର ଫଳାଫଳ ୪ଦିନ ପରେ ୩ଡିସେମ୍ବରରେ ଆସିବାରେ ଅଛି ।