ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲା କଟକର ତାରକସି, ଗୋଟିଏ ହାତରେ ସୁନ୍ଦର କାରିଗରୀ କରୁଛନ୍ତି ପଙ୍କଜ କୁମାର

Published By : Prameya | February 22, 2024 11:02 AM

କଟକ,୨୨/୦୨: ଗୋଟିଏ ହାତର ପାପୁଲି  ହରାଇଛନ୍ତି । ଅନ୍ୟ ହାତଟିରେ ସୁନାରୁପା ଅଳଙ୍କାର ହେଉ କି ଘରକରଣା ସାମଗ୍ରୀ, ସବୁକିଛି ଅତି ନିଖୁଣତାର ସହ ତିଆରି କରୁଛନ୍ତି । ଏକ କାରିଗର ପରିବାରରୁ ଆସି ନିଜର ଦକ୍ଷତା ମାଧ୍ୟମରେ କଟକର ତାରକସିକୁ ଅନ୍ତର୍ଜାତୀୟ ସ୍ତରରେ ଚମକାଇଛନ୍ତି କଟକର ପଙ୍କଜ କୁମାର  ସାହୁ(୫୩) । ପୂର୍ବରୁ ନିଜ କଳା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ପଙ୍କଜ ଫରିଦାବାଦର ସୁରଜକୁଣ୍ଡରେ ଆୟୋଜିତ  ୩୭ ତମ ଅନ୍ତର୍ଜାତୀୟ କ୍ରାଫ୍ଟ ମେଳାରେ  ‘କଳା ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯାହା ଏବେ  କଟକ ସମେତ ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି ।  

କଟକ ଷ୍ଟୋନୀ ରୋଡ୍‌ର ବାସିନ୍ଦା ପଙ୍କଜ । ତାଙ୍କ ପରିବାର  ପିଢି ପରେ ପିଢି ଏହି ତାରକସି କାମ କରିଆସୁଛନ୍ତି । ଏବେ  ସେ ନିଜେ ମାଷ୍ଟର୍‌ କ୍ରାଫ୍ଟ ମ୍ୟାନ୍‌ ଭାବେ ପରିଚିତ । ସେ ତାଙ୍କ  ବାପା ସ୍ୱର୍ଗତଃ ଶ୍ୟାମସୁନ୍ଦର ସାହୁଙ୍କ ଠାରୁ କାମ ଶିଖି ଏବେ  ନିଜେ ପିଲାଙ୍କୁ କାମ ଶିଖାଉଛନ୍ତି । ସେ ଏହି କାରିଗରୀ  ପାଇଁ ୧୯୯୪ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ  ହୋଇଥିଲେ । ତେବେ ୨୦୦୦ ମସିହାରେ ଏକ ଦୁର୍ଘଟଣାରେ  ସେ ବାମ ହାତର ପାପୁଲି ହରାଇଥିଲେ । ଏହାସତ୍ତେ୍ୱ ସେ  ତାରକସିରୁ ନିଜକୁ ଦୂରେଇ ଦେଇ ନ ଥିଲେ । ଗୋଟିଏ ହାତରେ ସୁନ୍ଦର ତାରକସି ଅଳଙ୍କାର ତିଆରି କରିଥିଲେ ।  

ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ  ତତ୍ତ୍ୱାବଧାନରେ ହରିୟାନା ଫରିଦାବାଦର ସୁରଜକୁଣ୍ଡଠାରେ  ଆୟୋଜିତ ଆର୍ନ୍ତଜାତୀକ କ୍ରାଫ୍ଟ ମେଳାରେ ପଙ୍କଜ ଅଂଶଗ୍ରହଣ  କରିଥିଲେ । ସେଠାକୁ ସେ ରୂପା ତାରକସିର ଛତା ଆକୃତିର  ପୂଜା ସାମଗ୍ରୀ କରି ନେଇଥିଲେ ଯାହା ମେଳାରେ ବେଶ  ଆଦୃତ ହୋଇଥିଲା । ଯାହାଫଳରେ ହରିୟାନା ସରକାରଙ୍କ  ପକ୍ଷରୁ ତାଙ୍କୁ କଳା ସମ୍ମାନରେ ସମ୍ମାନିତ କରାଯାଇଛି ।  ପଙ୍କଜ କହନ୍ତି, ‘ମୋତେ କାମରେ ମୋ ପୁଅ ମୋତି  ରଞ୍ଜନ ସାହୁଙ୍କ ସମେତ କେତେକ କର୍ମଚାରୀ ସାହାଯ୍ୟ  କରନ୍ତି । ସେମାନଙ୍କ ସହଯୋଗ ମୋର ଗୌରବ ବଢାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.