କଟକ, ୧୦/୧୧: ଦୀପାବଳିରେ ବାଣ ଫୁଟାଇବା ସମୟରେ ଅଗ୍ନିକାଣ୍ଡ ଆଶଙ୍କାକୁ ଏଡ଼ାଇବା ପାଇଁ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ସତର୍କତାମୂଳକ ପରାମର୍ଶ ଜାରି କରିଛି । କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ବାଣ ବ୍ୟବସାୟୀଙ୍କଠାରୁ ହିଁ ବାଣ କିଣିବା ପାଇଁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ସେହିପରି ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ସେମାନଙ୍କ ପାଖରେ ଅଭିଭାବକମାନେ ଉପସ୍ଥିତ ରହିବା ଓ ନଜର ରଖିବା ପାଇଁ ବିଭାଗ ପରାମର୍ଶ ଦେଇଛି । ଗୃହପାଳିତ ପଶୁମାନଙ୍କଠୁ ଦୂରରେ ବାଣ ଫୁଟାଇବା, ଅଗ୍ନିକାଣ୍ଡଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ବାଣ ଫୁଟାଉଥିବା ସ୍ଥାନରେ ପାଣି ବାଲ୍ଟି ଓ ବାଲି ମହଜୁଦ୍ ରଖିବା, ଖୋଲା ଜାଗାରେ ବାଣ ଫୁଟାଇବା ଓ ସୂତା ପୋଷାକ ପିନ୍ଧିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।
ଦୀପାବଳୀ 2023 : ବିଏମ୍ସି ଜାରି କଲା ଗାଇଡ୍ଲାଇନ୍
ଅଗ୍ନିଶମ ବିଭାଗ କହିଛି, ହାତରେ ଧରି ବାଣ ଫୁଟାଇବା ବିପଦ ଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବା ଉଚିତ୍ । କୌଣସି ଡବାରେ କିମ୍ବା ଟିଣ ଇତ୍ୟାଦିରେ ବାଣକୁ ରଖି ଫୁଟାନ୍ତୁ ନାହିଁ । ସେହିପରି ଫୁଟିନଥିବା ବାଣ, ତ୍ରୁଟିପୂର୍ଣ୍ଣ ବାଣକୁ ଆଦୌ ଫୁଟାନ୍ତୁ ନାହିଁ । ଯେଉଁ ବାଣଗୁଡ଼ିକ ନଫୁଟି ରହିଯାଉଛି ତାହା ଉପରେ ପାଣି ପକାଇ ଭିଜାଇ ଦେବା ଉଚିତ୍ । ଜନଗହଳି ସ୍ଥାନରେ ଏବଂ କୌଣସି ଗାଡ଼ିମୋଟର ପାଖରେ ବାଣ ଫୁଟାଇବା ବହୁ ଘାତକ ସୃଷ୍ଟି କରିପାରେ । କାହାର ଘରର କବାଟ ଏବଂ ଝରକାକୁ ନିକ୍ଷେପ କରି ବାଣ ଫିଙ୍ଗିବାକୁ ଅଗ୍ନିଶମ ବିଭାଗ ବାରଣ କରିଛି । ଦୀପାବଳି କିମ୍ବା ବାଣ ଫୁଟାଇବା ସମୟରେ ଯଦି କୌଣସିଠାରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ସୃଷ୍ଟି ହୁଏ, ତୁରନ୍ତ ଜରୁରୀକାଳୀନ ସେବା ୧୧୨ ନମ୍ୱରକୁ କଲ୍ କରିବାକୁ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।