ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଜିଠୁ ଜି-୨୦ ମହାକୁମ୍ଭ: ଫୋକସରେ ଏକ-ବିଶ୍ୱ, ଏକ-ପରିବାର, ଏକ-ଭବିଷ୍ୟ

ନୂଆଦିଲ୍ଲୀ,୦୯/୦୯: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଶନିବାର ଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକର ମୁଖ୍ୟ ଫୋକସ୍‌ ଏକ-ବିଶ୍ୱ, ଏକ-ପରିବାର ଓ ଏକ-ଭବିଷ୍ୟ । ଏହି ମହାକୁମ୍ଭରେ ଯୋଗଦେବା ଲାଗି ବିଶ୍ୱର ୧୯ ଦେଶର ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ । ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ସେଠାରୁ ସେମାନଙ୍କୁ ନିଜ ନିଜ ହୋଟେଲକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ସନ୍ଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ତାଙ୍କୁ ସ୍ୱଗାତ ଜଣାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ । ଭାରତ ଆସିବାରେ ବାଇଡେନ ହେଉଛନ୍ତି ଅଷ୍ଟମ ରାଷ୍ଟ୍ରପତି । ବିମାନବନ୍ଦରରୁ ବାଇଡେନ ସିଧାସଳଖ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଯାଇଥିଲେ । ସେଠାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଦୁଇନେତା ସହମତ ହୋଇଥିଲେ । ଆଲୋଚନା ସକରାତ୍ମକ ହୋଇଥିବା ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି । କହିଛନ୍ତି ଦୁଇଦେଶ ମଧ୍ୟରେ ଆର୍ଥିକ ସହଯୋଗ ଆଗକୁ ବଢ଼ିବ । ଲୋକଙ୍କ ଭିତରେ ସମ୍ପର୍କ ବଢ଼ିବ । ବେସାମରିକ ଆଣବିକ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗ ବଢ଼ାଇବା, ଦୁଇଦେଶ ମିଳିତ ଭାବେ ଜିଇ ଜେଟ୍‌ ଇଞ୍ଜିନ ନିର୍ମାଣ କରିବା, ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବିଶ୍ୱବ୍ୟାଙ୍କ ସମେତ ବହୁପକ୍ଷୀୟ ଉନ୍ନୟନ ବ୍ୟାଙ୍କର କ୍ଷମତା ପରିସର ବଢ଼ାଇବା, ରଣନୀତିକ ସହଯୋଗ ବୃଦ୍ଧି, କ୍ୱାଡକୁ ଆହୁରି ସୁଦୃଢ଼ କରିବା ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନା କାଳରେ ବାଇଡେନ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ।

ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପୂର୍ବରୁ ମୋଦି ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜୁଗନ୍ନାଥ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଆନ୍ୟାନ୍ୟ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା । କୁହାଯାଉଛି କି ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ବୈଠକରେ ସାମିଲ ହୋଇଥିବା ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିବେ । ଶନିବାର ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ, ଜର୍ମାନୀ, ଜାପାନ ଓ ଇଟାଲୀ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । 

ଆସନ୍ତା ୧୦ ତାରିଖରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଲଞ୍ଚ ମିଟିଂରେ ସାମିଲ ହେବେ । ଏଥିସହ ସେ କୋମୋରୋସ, ତୁର୍କୀ, ୟୁଏଇ, ଦକ୍ଷିଣ କୋରିଆ, ଇୟୁ, ବ୍ରାଜିଲ ଓ ନାଇଜେରିଆ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ସାକ୍ଷାତ ଆଲୋଚନା ରହିଛି ।

ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ଆଗମନ ଓ ଜି-୨୦ ବୈଠକକୁ ଦୃଷ୍ଟିରେ ରଖି ସମଗ୍ର ରାଜଧାନୀ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ନଜରର ସମଗ୍ର ସହର ରହିଛି । ଜି-୨୦ ସମ୍ମିଳନୀର ମୁଖ୍ୟ ଫୋକସ୍‌ ହେବ ଏକ ବିଶ୍ୱ-ଏକ ପରିବାର ଓ ଏକ-ଭବିଷ୍ୟ । ଏହି ସମ୍ମିଳନୀ ମାନବ କେନ୍ଦ୍ରୀତ ଓ ସମାବେଶୀ ବିକାଶରେ ଏକ ନୂଆ ରାସ୍ତା ସ୍ଥିର କରିବ ।    

ଶନିବାର ସକାଳ ୯ଟା ୩୦ରୁ ଭାରତ ମଣ୍ଡପମକୁ ଅତିଥିଙ୍କ ଆଗମନ ହେବ । ଟ୍ରି ଅଫ୍‌ ଫାୟାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସ୍ୱାଗତ ଫଟୋଗ୍ରାଫି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପରେ ଲିଡର୍ସ ଲାଉଞ୍ଜରେ ଅତିଥିମାନେ ଏକତ୍ରିତ ହେବେ । ୧୦ଟା ୩୦ରୁ ପ୍ରଥମ ଅଧିବେଶନରେ ଏକ ବିଶ୍ୱ ଉପରେ ଆଲୋଚନ ଆରମ୍ଭ ହେବ । ଲଞ୍ଚ ପରେ ଦ୍ୱିତୀୟ ଅଧିବେଶନ ହେବ ଏବଂ ସେଥିରେ ଏକ ପରିବାର ଉପରେ ଚର୍ଚ୍ଚା କରାଯିବ। ଅପରାହ୍ନ ୩ଟାରେ ଅଧିବେଶନ ଶେଷ ହେବା ପରେ ଅତିଥି ଭାବେ ନିଜ ନିଜ ହୋଟେଲକୁ ଫେରିବେ । ସନ୍ଧ୍ୟା ୭ଟାରେ ଡିନର ଆୟୋଜିତ ହେବ । ସେଠାରେ ମଧ୍ୟ ଚର୍ଚ୍ଚା କରାଯିବ ଏବଂ ପରେ ଅତିଥିମାନେ ନିଜ ନିଜ ହୋଟେଲକୁ ଫେରିବେ । 

ସେହିଭଳି ୧୦ ତାରିଖ ସକାଳେ ଅତିଥିମାନେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହା ପରେ ଭାରତ ମଣ୍ଡପମରେ ତୃତୀୟ ଅଧିବେଶନ ଅନୁଷ୍ଠିତ ହେବ। ସେଥିରେ ଏକ ଭବିଷ୍ୟ ଉପରେ ଆଲୋଚନା କରାଯିବ। ଆଲୋଚନା ଶେଷରେ ଦିଲ୍ଲୀ ଘୋଷଣାପତ୍ର ଜାରି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.