କଟକ, ୧୬।୧୧ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର (ଏଏଚ୍ଆର୍ସିସି) ନିର୍ଦ୍ଦେଶକ ପଦବୀ ପୂରଣ ମାମଲାରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ନିର୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ଶୁବଶୀଘ୍ର ନିର୍ଦେଶ କାର୍ଯ୍ୟକାରୀ କରାଯିବାର ପ୍ରତିଶ୍ରୁତି ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପରେ ହାଇକୋର୍ଟ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରିଛନ୍ତି।
କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର (ଏଏଚ୍ଆର୍ସିସି) ନିର୍ଦ୍ଦେଶକ ପଦରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଗତ ଅଗଷ୍ଟରେ ନିଯୁକ୍ତି ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇ ନଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଏ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ସ୍ୱାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦେଇଥିଲେ।
ଗୁରୁବାର ସକାଳ ସାଢ଼େ ୧୦ଟାରେ ଅଦାଲତରେ ଉପସ୍ଥିତ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ କୁହାଯାଇଥିଲା। ସମାଜସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢନ୍ତୁ : କର୍କଟ ଚିକିତ୍ସା କେନ୍ଦ୍ରରେ ନିର୍ଦ୍ଦେଶକ ନିଯୁକ୍ତି ମାମଲା: ଆଜି ହାଜର ହେବେ ସ୍ୱାସ୍ଥ୍ୟ ସଚିବ