ଝାରସୁଗୁଡ଼ା,୦୧/୦୯: ହୀରାକୁଦ ଜଳଭଣ୍ଡାରର ୬୩୨ରୁ ୬୩୫ ଆର୍ଏଲ୍ (ରିଜର୍ଭର ଲେଭେଲ) ମଧ୍ୟରେ ଥିବା ହୀରାକୁଦ ବନ୍ଧ ବିସ୍ଥାପିତ ଅଧ୍ୟୁଷିତ ୧୯ଟି ଗାଁର ସର୍ଭେ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ଡେଡ୍ଲାଇନ୍ ରହିଥିଲା । ଯାହାକି ଶେଷ ହୋଇଛି । ଏ ସମସ୍ତ ଗ୍ରାମର ବନ୍ଦୋବସ୍ତ କାର୍ଯ୍ୟ ଶେଷ ହେବା ସହ ଆଗକୁ ଖାନାପୁରି କରାଯାଇ ପ୍ରଜାଙ୍କୁ ଡିସେମ୍ବର ଶେଷ ସୁଦ୍ଧା ଜମି ପଟ୍ଟା ପ୍ରଦାନ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ କହିଛନ୍ତି ।
ଗତ ୨୦ ତାରିଖ ଦିନ ୫ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ଘୋଷିତ ରାଜସ୍ୱ ଗ୍ରାମ ଗୁଡ଼ିକର ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟର ସମୀକ୍ଷା କରି ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଘୋଷିତ ରାଜସ୍ୱ ଗ୍ରାମ ଗୁଡ଼ିକର ସର୍ଭେ ଏବଂ ବନ୍ଦୋବସ୍ତ ପାଇଁ ଗତ ମେ' ୧୭ ତାରିଖ ଆଦେଶନାମା ତଥା ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିଲା । ରାଜସ୍ୱ ଗ୍ରାମ ଘୋଷଣା ସତ୍ତେ୍ୱ ଲଖନପୁର ତହସିଲର ୧୮ଟି ବୁଡ଼ି ଅଞ୍ଚଳ ଗାଁ ଏବଂ ଝାରସୁଗୁଡ଼ା ତହସିଲର ଗୋଟିଏ ଗାଁ ସଂପୂର୍ଣ୍ଣ ରାଜସ୍ୱ ଗ୍ରାମ ଭାବେ ରୂପାନ୍ତରିତ ହୋଇ ପାରିନାହିଁ । ଏ ଦିଗରେ ମାର୍ଗଦର୍ଶିକା ଜାରି ପରେ ରାଜସ୍ୱ ଗ୍ରାମ ଗଠନ ପ୍ରକ୍ରିୟା ଆଗେଇ ପାରିଛି । ଅଣରାଜସ୍ୱ ଗ୍ରାମରେ ବସବାସ କରୁଥିବା ପ୍ରଜାଙ୍କୁ ଜମିର ରୟତ ସ୍ୱତ୍ତ୍ୱ ମିଳି ପାରିନାହିଁ । ସେମାନେ ଭୋଗ ଦଖଲରେ ଥିଲେ ବି ଜମିର ରୟତ ସ୍ୱତ୍ତ୍ୱ ନ ମିଳିବା କାରଣରୁ ବିଭିନ୍ନ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ହେବା ସହ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।
ପୂର୍ବରୁ ଏହି ୧୯ଟି ଗ୍ରାମରେ ସମୁଦାୟ ୧୮୧୭୯.୯୧ ଏକର ଜମି ରହିଥିଲା । ଜଳଭଣ୍ଡାର ମଧ୍ୟରେ ଏହି ସବୁ ଗ୍ରାମର ଜମି ଜଳମଗ୍ନ ହେବା ପରେ ଏବେ କେବଳ ୩୨୨୧.୬୮ ଏକର ଜମିରେ ଜଳଭଣ୍ଡାର ଜଳ ମାଡ଼ୁନାହିଁ । ହୀରାକୁଦ ବନ୍ଧ ନିର୍ମାଣ ପାଇଁ ଅଧିଗୃହୀତ ଜମିରେ ଏହି ୧୯ଟି ଗାଁରେ ବସବାସ କରି ଆସୁଛନ୍ତି । ଯାହାକି ଜଳଭଣ୍ଡାରର ୬୩୨ରୁ ୬୩୫ ଆର୍ଏଲ୍ ମଧ୍ୟରେ ଅବସ୍ଥିତ । ଅଧିଗୃହୀତ ଜମି ଜଳସଂପଦ ବିଭାଗ ହାତରେ ଥିବାରୁ ରାଜସ୍ୱ ବିଭାଗର କତ୍ତୃତ୍ୱ ଉକ୍ତ ଜମି ଉପରେ ନ ଥିଲା । ମାତ୍ର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ସମୟରେ ଏହି ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସରକାରଙ୍କ ପଦକ୍ଷେପକ୍ରମେ ସେସବୁ ଜମି ଜଳ ସଂପଦ ବିଭାଗ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରି ସାରିଛି ।
୧୯ଟି ଗାଁର ସମୁଦାୟ ୩୬୪୧ ଏକର ଜମି ଏଯାଏଁ ରାଜସ୍ୱ ବିଭାଗକୁ ହସ୍ତାନ୍ତରିତ ହୋଇଛି । ହାଇଟେକ୍ ସର୍ଭେ ଏବଂ ପ୍ଲଟ ୱାରି ସର୍ଭେ ଶେଷ ହେବା ସହ ଗ୍ରାମର ନକ୍ସା ପ୍ରସ୍ତୁତ ପରେ ତାହା ଓରସାକ୍ ଦ୍ୱାରା ତଦାରଖ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ରାଜସ୍ୱ ଗ୍ରାମ ନକ୍ସା ପ୍ରସ୍ତୁତି ପାଇଁ ପ୍ରଚଳିତ ହାଇଟେକ ସର୍ଭେ ଅପରେସନ ଏବଂ ଡିଜିଟାଲ କାଡାଷ୍ଟ୍ରାଲ ମ୍ୟାପ ବ୍ୟବସ୍ଥାର ଅନୁପାଳନ ହେବ । ସର୍ଭେ ଶେଷ ହୋଇଥିବା ବେଳେ ଆଗକୁ ଖାନାପୁରି କରାଯିବ ।
ପ୍ରକାଶଯୋଗ୍ୟ ପୂର୍ବରୁ ୧୯ଟି ଗାଁ ମଧ୍ୟରୁ ଯେଉଁ ୬ଟି ଗାଁର ଲୋକେ ଡିସି ପାରମିଶନ ଜମି ପାଇଥିଲେ ସେସବୁର ପଟ୍ଟା ପ୍ରଦାନ ଲାଗି ପ୍ରଥମ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେହି ୬ଟି ଗ୍ରାମ ପତ୍ରାପାଲି, ବଲଣ୍ଡା, କୁସମେଲ୍, ପଦ୍ମପୁର, ଘୁନଘୁଟପାଲି ଏବଂ ଭୁର୍ଷୁଣ ଗ୍ରାମର ଜମିକୁ ରାଜସ୍ୱ ବିଭାଗକୁ ଜଳ ସଂପଦ ବିଭାଗ ହସ୍ତାନ୍ତର କରିଥିଲା । ପରେ ବାକି ଥିବା ୧୩ଟି ଗ୍ରାମକୁ ରାଜସ୍ୱ ବିଭାଗକୁ ଜଳ ସଂପଦ ବିଭାଗ ଗତ ୨୦୧୭ ମସିହାରେ ହସ୍ତାନ୍ତର କରିଥିଲା ।