ମୁମ୍ବାଇ,୧୫।୯: ବର୍ତ୍ତମାନର ସମାଜରେ ଘର କାମ କରିବା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ସମାନ ଦାୟିତ୍ୱ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ଏଥିସହ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ଆବେଦନ କରିଥିବା ସ୍ୱାମୀଙ୍କର ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ନୀତିନ ସାମ୍ବରେ ଏବଂ ବିଚାରପତି ଶର୍ମିଳା ଦେଶମୁଖଙ୍କୁ ନେଇ ଗଠିତ ହାଇକୋର୍ଟର ଡିଭିଜନ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ସ୍ୱାମୀ ଅଭିଯୋଗ କରିଥିଲେ କି ସ୍ତ୍ରୀ କୌଣସି ଘର କାମ ନ କରି ସବୁବେଳେ ନିଜ ବାପାମା’ଙ୍କ ସହ ମୋବାଇଲରେ କଥା ହେଉଛନ୍ତି । ଏଭଳି କରି ସ୍ତ୍ରୀ ତାଙ୍କ ପ୍ରତି ନିଷ୍ଠୁର ଆଚରଣ କରୁଛନ୍ତି ବୋଲି ସ୍ୱାମୀ ଅଭିଯୋଗ ଆଣିଥିଲେ । ହେଲେ କୋର୍ଟରେ ତାହା ପ୍ରମାଣିତ କରିପାରି ନଥିଲେ ।
ସେପଟେ ସ୍ତ୍ରୀ ଅଭିଯୋଗ କରିଥିଲେ କି ସେ ଅଫିସରୁ କାମ ସାରି ଘରକୁ ଫେରିବା ପରେ ଘରର ଯାବତୀୟ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଏପରିକି ସେ ନିଜ ପିତାମାତାଙ୍କୁ ଫୋନ୍ କରିବାରୁ ତାଙ୍କୁ ମାଡଗାଳି ଖାଇବାକୁ ପଡିଛି । ଅନେକ ଥା ତାଙ୍କୁ ମାଡ଼ ମଧ୍ୟ ମରାଯାଇଛି । ହାଇକୋର୍ଟ କହିଛନ୍ତି ଉଭୟେ ସ୍ୱାମୀ ଓ ସ୍ତ୍ରୀ ଚାକିରି କରନ୍ତି । ତେଣୁ ଘର କାମ କେବଳ ସ୍ତ୍ରୀ ହିଁ କରିବ ବୋଲି କହିବା ପୁରୁଣାକାଳିଆ ମାନସିକତା । ବର୍ତ୍ତମାନ ସମୟରେ ଏଭଳି ମାନସିକତାରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ । ବୈବାହିକ ସମ୍ପର୍କର ପରିଣାମସ୍ୱରୂପ ପତ୍ନୀଙ୍କୁ ତାଙ୍କ ପିତାମାତାଙ୍କ ଠାରୁ ଅଲଗା କରାଯାଇପାରିବ ନାହିଁ । ବିବାହ ପରେ ବାପାମା’ଙ୍କ ଠାରୁ ସ୍ତ୍ରୀ ସବୁ ସମ୍ପର୍କ କାଟିଦେବ ବୋଲି ଆଶା ମଧ୍ୟ କରାଯାଇପାରିବ ନାହିଁ । ସ୍ତ୍ରୀ ଯଦି ତାଙ୍କ ପିତାମାତାଙ୍କ ସହ ସମ୍ପର୍କ ରଖନ୍ତି ତେବେ ଏହାକୁ ସ୍ୱାମୀ ନିଷ୍ଠୁରତା ବୋଲି କହିପାରିବେ ନାହିଁ । ବରଂ ସ୍ତ୍ରୀଙ୍କୁ ତାଙ୍କ ପିତାମାତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ନ ରଖିବାକୁ କହିବା ତାଙ୍କ ପ୍ରତି କେବଳ ନିଷ୍ଠୁରତା ନୁହେଁ, ବରଂ ମାନସିକ ନିର୍ଯାତନା ସହ ସମାନ । ସ୍ୱାମୀ ଓ ସ୍ତ୍ରୀ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି । ହେଲେ ପୁନର୍ବାର ସେମାନେ ମିଶିପାରିବେ ନାହିଁ ବୋଲି ଆଧାର କରି ସେମାନଙ୍କୁ ଛାଡପତ୍ର ଅନୁମତି ଦିଆଯାଇପାରିବ ନାହିଁ ।
ସୂଚନାଯୋଗ୍ୟ ଯେ, ଏହି ଦମ୍ପତି ୨୦୧୦ରେ ବିହାରରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ୨୦୧୧ରେ ପୁନେରେ କୋର୍ଟରେ ବିବାହ ପଞ୍ଜିକରଣ କରିଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ଏହା ପରେ ସେମାନଙ୍କ ଭିତରେ ମନୋମାଳିନ୍ୟ ଦେଖାଦେଇଥିଲା ଏବଂ ପରେ ଉଭୟେ ଅଲଗା ହୋଇଯାଇଥିଲେ । ଫଳରେ ସ୍ୱାମୀ ପରିବାର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ । କିନ୍ତୁ ୨୦୧୮ରେ ପରିବାର ଅଦାଲତ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଶେଷରେ ସ୍ୱାମୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।