ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ସମାଜପାଇଁ ଉଦାହରଣ କଳାହାଣ୍ଡିର କାମିନୀ କିନ୍ନର: ପେଟ ପାଇଁ ଶ୍ରମ, ଭିକ୍ଷା ଟଙ୍କାରେ ସମାଜସେବା

ଭବାନୀପାଟଣା ୦୮/୦୨: କଳାହାଣ୍ଡି ଜିଲ୍ଲାର ନିହାତି ସାଧାରଣ ତଥା  ଅପରିଚିତ ନାଁଟିଏ ହେଉଛି କେଦାରନାଥ ବନ୍‌ଛୋର। କେଦାରନାଥକୁ କେହି ଗ୍ରହଣକଲେନି କି ସାମାଜିକ ସ୍ୱୀକୃତି  ଦେଲେନି । ସମୟକ୍ରମେ କେଦାରନାଥ ନାମକ ମଣିଷଟି ନିଜ ନାମକୁ ନିଶ୍ଚିହ୍ନ କରିଦେଲା । ସମସ୍ତଙ୍କ ଅଲକ୍ଷ୍ୟରେ କେଦାରନାଥ ପାଲଟିଗଲା ‘କାମିନୀ’ । ଆଜିର ବହୁ ଚର୍ଚ୍ଚିତ,  ବହୁ ପରିଚିତ କାମିନୀ କିନ୍ନର । ଘର ତାଙ୍କର ଭବାନୀପାଟଣା  ସଦର ବ୍ଲକ୍‌ ଅନ୍ତର୍ଗତ ଦାଦପୁର ପଂଚାୟତର ଝିକିମିକି ଗାଁରେ । କିନ୍ତୁ ନର୍ଲା ଅଞ୍ଚଳରେ ଲୋକେ ତାଙ୍କୁ ଅଧିକ ଜାଣନ୍ତି। ପ୍ରାୟ ୧୪ବର୍ଷ  ହେଲା କାମିନୀ ନର୍ଲାରେ ରହୁଛନ୍ତି । ନିଜ ସଂଘର୍ଷ ବଳରେ ନିଜର ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିଛନ୍ତି । ପେଟପାଟଣା ପାଇଁ ନିଜେ ଶ୍ରମ କରନ୍ତି । କିନ୍ତୁ  ତାଳି ବଜାଇବଜାଇ ନାଚଗୀତକରି ଯାହା ରୋଜଗାର କରନ୍ତି ତହିଁରେ  ଅବହେଳିତ, ନିଷ୍ପେସିତ ଲୋକଙ୍କ ସେବା କରୁଛନ୍ତି । ନିଜ ସଂଘର୍ଷ ଭିତରେ ସମାଜ ସେବା ପାଇଁ ଭିକ୍ଷା ମାଗି ସେ ଉଦାହରଣ ପାଲଟିଛନ୍ତି । 

କେଦାରନାଥରୁ ‘କାମିନୀ କିନ୍ନର’ ହେବା ପଛର ତାଙ୍କ ଜୀବନ  କାହାଣୀ ବେଶ ଯନ୍ତ୍ରଣାଦାୟକ । ମାଁ ବାପାଙ୍କ ଚାରି ଝିଅରେ ଦୁଇ ଭାଇ । ପରିବାର ସହ ହସଖୁସିରେ ଜୀବନ ଚାଲିଥିଲା । କ୍ରମେ ବୟସ ବଢ଼ିବା ସହ ତାଙ୍କ ଚାଲିଚଳଣରେ ପରିବର୍ତ୍ତନ ଦେଖାଗଲା । ଘରଠୁ ଆରମ୍ଭକରି  ସାଇପଡ଼ିଶା ଲୋକେ ତାଙ୍କୁ ଟାହିଟାପରା କରିବାରେ ଲାଗିଲେ । ୨୦୦୩  ମସିହାରେ କେଦାରନାଥ ଗାଁ ସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । କିନ୍ତୁ ସମୟକ୍ରମେ ନିଜଲୋକଙ୍କଠାରୁ ମିଳିଥିବା ମାନସିକ ଯାତନା ସହିନପାରି  ୨୦୦୪ରେ ଘର ଛାଡ଼ି ଚାଲିଯାଇଥିଲେ ରାୟପୁର । ସେଠାରେ ଚାରି ବର୍ଷ  ନିଜ ବଡ଼ମା’ଙ୍କ ଘରେ ରହିଥିଲେ ।  

ସେତିକି ଭିତରେ କାଳେ ଘର ଓ ପଡ଼ିଶାଙ୍କ ମନୋଭାବରେ ପରିବର୍ତ୍ତନ ଆସିଥିବ ଭାବି ନିଜ ଗାଁ ଝିକିମିକିକୁ  ଫେରିଥିଲେ । ମାତ୍ର ତାଙ୍କୁ ପୂର୍ବପେକ୍ଷା ଅଧିକ ଘୃଣାଭାବର ଶିକାର ହେବାକୁ ପଡ଼ିଥିଲା ।  ସେ ଆଚରଣ ଅସହ୍ୟ ହେବାରୁ  ସବୁଦିନପାଇଁ ଗାଁ ଛାଡ଼ି ଦେବାକୁ ମନସ୍ଥକରି କେସିଙ୍ଗା ରେଲୱେ  ଷ୍ଟେସନ୍‌ରୁ ଚଢ଼ିଥିଲେ କୋରାପୁଟସମ୍ବଲପୁର ଏକ୍ସପ୍ରେସ୍‌ରେ । ଭାଗ୍ୟକୁ ନିନ୍ଦି ଟ୍ରେନ୍‌ ଚଢ଼ିଗଲେ ମାତ୍ର କେଉଁଠିକୁ ଯିବେ ସେ ଜାଣିନଥିଲେ । ବଲାଙ୍ଗୀରେ ସ୍ଥାନୀୟ  କେତେକ କିନ୍ନର ବି ସେହି ଟ୍ରେନ୍‌ରେ ଚଢିଥିଲେ । କେଦାରନାଥଙ୍କୁ ଦେଖି ସେମାନେ ବୁଝିଯାଇଥିଲେ ଏବଂ ନିଜ ସହ ବରପାଲି  ନେଇଯାଇଥିଲେ । ସେଠାରୁ ଜୀବନର ନୂଆ ଅଧ୍ୟାୟ ଆରମ୍ଭହୋଇ  କେଦାରନାଥରୁ ତାଙ୍କର ନାମକରଣ ହୋଇଥିଲା ‘କାମିନୀ କିନ୍ନର’ ।  କିଛିଦିନ ସେଠାରେ ରହିବାପରେ ବରପାଲିର ପରିବେଶକୁ ଗ୍ରହଣ  କରିନପାରି କାମିନୀ ବଲାଙ୍ଗିର ଚାଲିଆସିଥିଲେ । ବଲାଙ୍ଗିରରୁ ଦିନେ  ଟ୍ରେନ୍‌ରେ ଯାଉଯାଉ ନର୍ଲା ପହଞ୍ଚିଥିଲେ ଏବଂ ପରେ ନର୍ଲାର ମୋହରେ ପଡ଼ି  ସେହିସ୍ଥାନକୁ ନିଜର କର୍ମଭୂମି ଭାବେ ବାଛିନେଲେ । କିଛିଦିନ ସେଠାରେ ରହିବା ଭିତରେ କାମିନୀଙ୍କ ଉଦାରତା ଯୋଗୁ ତାଙ୍କୁ ଲୋକେ ତାଙ୍କପ୍ରତି ସହାନୁଭୂତି ଦେଖାଇବାକୁ ଲାଗିଲେ । କିନ୍ତୁ ଲୋକଙ୍କ ସହାନୁଭୂତି ବଦଳରେ  ସମାନୁଭୂତି ଆଶା କରୁଥିଲେ କାମିନୀ । 

ସେଥିପାଇଁ ସେ ସମାଜସେବାରେ ନିକଜୁ ନିୟୋଜିତ କରିଥିଲେ । ଭିକ୍ଷା ବୃତ୍ତି ଅବଲମ୍ବନକରି ଯାହା ରୋଜଗାର  କଲେ ସେହି ଟଙ୍କା ଲୋକଙ୍କ ସେବାରେ ଖର୍ଚ୍ଚ କଲେ। କ୍ରମଶଃ  ସମର୍ଥକ ଓ ସହଯୋଗୀଙ୍କ ସଂଖ୍ୟା ବଢ଼ିଚାଲିଲା । ସମର୍ପିତ ସେବା ଭାବନେଇ ୨୦୨୦ ମସିହାରେ ସେ ଗଠନକଲେ  ସେବାକାରୀ କିନ୍ନର ସଂଘ । କରୋନା ସମୟରେ ନିଜ ଜୀବନକୁ ବିପଦରେ ପକାଇ କାମିନୀଙ୍କ ନେତୃତ୍ୱରେ ସାଧାରଣ ଲୋକଙ୍କ  ସେବା କରି ବହୁ ପ୍ରସଂଶିତ ହୋଇଥିଲେ । ଜଣେ କାମିନୀଙ୍କଠାରୁ ଆରମ୍ଭ ହୋଇଥିବା ସଂଗଠନରେ ଏବେ ୫୦ଜଣ ସଦସ୍ୟ ।  ସେମାନେ ଗରିବ ଅସହାୟକଙ୍କ ପାଖରେ ଯାଇ ଭଲମନ୍ଦରେ  ଠିଆ ଉଠୁଛନ୍ତି । ଅସହାୟଙ୍କୁ ଖାଦ୍ୟ ବଣ୍ଟୁଛନ୍ତି । ଶୀତବସ୍ତ୍ର, ନିତ୍ୟ ବ୍ୟବହାର ସାମଗ୍ରୀ ବାଣ୍ଟୁଛନ୍ତି । ସେତିକିରେ ସୀମିତ ନହୋଇ ରକ୍ତଦାନ ଶିବିରକରି ଅନ୍ୟର ଜୀବନ ବଞ୍ଚାଇବା, ବୃକ୍ଷ ରୋପଣକରି ପରିବେଶର  ସୁରକ୍ଷା କରିବାରେ ମଧ୍ୟ ଲାଗିଛନ୍ତି । କାମିନୀ ଓ ତାଙ୍କ ସହଯୋଗୀମାନେ  ନାଚଗୀତକରି ଯାହା ଭିକ୍ଷା ମାଗନ୍ତି ତାକୁ ନେଇ ଏକ ସଞ୍ଚୟ ଖାତା କରିଛନ୍ତି । ସେଥିରୁ ଗରିବଙ୍କ ସେବା ପାଇଁ ଖର୍ଚ୍ଚ ଉଠାନ୍ତି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ସାଧାରଣ ଲୋକେ ସରକାରୀ ଯୋଜନାଗୁଡ଼ିକର ଲାଭ କିପରି ଲୋକେ  ପାଇବେ ସେଥିପାଇଁ ସେ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରୁଛନ୍ତି । 

ଯେଉଁ ସମାଜ ଏକଦା ତାଙ୍କୁ ଉପେକ୍ଷା କରିଥିଲା, ଟାହିଟାପରା କରିଥିଲା, ସେହି ସମାଜରେ ଏବେ ସେ ନିଜ ସେବା କାର୍ଯ୍ୟପାଇଁ ପରିଚିତ । ଜିଲ୍ଲାର ବିକାଶ ପାଇଁ ନର୍ଲା ଅଞ୍ଚଳର ସମୁହିକ ଦାବିଗୁଡ଼ିକୁ ନେଇ ସଂଗଠନ  ପକ୍ଷରୁ ସରକାର, ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ଦଷ୍ଟି ଆକର୍ଷଣ  କରିଛନ୍ତି । ଏସବୁ ଜନହିତ କାର୍ଯ୍ୟ ପାଇଁ କାମିନୀଙ୍କୁ ତୃଣମୂଳସ୍ତରରୁ ଆରମ୍ଭକରି ରାଜନେତା, ସରକାରୀ ଅଧିକାରୀ ସମସ୍ତେ ଜାଣନ୍ତି । କାମିନୀ  ବର୍ତ୍ତମାନ ସେବାକାରୀ କିନ୍ନର ସଂଘର ସଭାପତି ହେବା ସହ ଅଟଳ ଭାରତ  ସମ୍ମାନ ଫାଉଣ୍ଡେସନ୍‌ର ଓଡ଼ିଶା ସଭାପତି, ଅନ୍ତର୍ଜାତୀୟ ମାନବଅଧିକାର  କାଉନସିଲର କଳାହାଣ୍ଡି ଜିଲ୍ଲା ବୋର୍ଡ ସଭାପତି, ମାନବ ଅଧିକାର ସହାୟତା ସଂଘରେ କିନ୍ନର ସମ୍ପ୍ରଦାୟର ଜାତୀୟ ସଭାପତି ଓ ଗରିବ  ସୁରକ୍ଷା ସେନାର ଜିଲ୍ଲା ଉପସଭାପତି ମଧ୍ୟ ରହିଛନ୍ତି । କାମିନୀ କୁହନ୍ତି, ଶିକ୍ଷା  କ୍ଷେତ୍ରରେ ଆମେ ଯଥେଷ୍ଟ ଉନ୍ନତି ସାଧନ କରିଛୁ । ସମାଜରେ ଶିକ୍ଷିତଙ୍କ  ସଂଖ୍ୟା ଢ଼େର ବୃଦ୍ଧି ପାଇଛି । ତଥାପି ଆମ ସଭ୍ୟ ସମାଜ କିନ୍ନରଙ୍କୁ ସ୍ୱାଭାବିକ  ଭାବେ ଗ୍ରହଣ କରିପାରି ନାହିଁ । କିନ୍ନରଙ୍କ ପାଇଁ ସାଧାରଣ ଜୀବନଧାରଣ  ଆଜିବି ଯନ୍ତ୍ରଣାଦାୟକ । ଏହି ଅସଙ୍ଗତିକୁ ଦୂର କରିବା ତଥା ତୃତୀୟଲିଙ୍ଗୀଙ୍କ ପାଇଁ ସାମାଜିକ ସୌହାର୍ଦ୍ଧ୍ୟର ବାତାବରଣ ସୃଷ୍ଟିକରିବା ପାଇଁ ସେ ସଂଘର୍ଷ  ଚଳାଇଥିବା କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.