କାଶୀପୁର,୬।୯ କାଶୀପୁର ବ୍ଲକ ଗୋରଖପୁର ଗ୍ରାମପଞ୍ଚାୟତର ଲାମ୍ବରୀ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ରାସ୍ତା ନ ଥିବା ବେଳେ ବିଦ୍ୟୁତ ଆଲୁଅ ସାତ ସପନ ହୋଇଛି।
କାଶୀପୁର ବ୍ଲକ ଗୋରଖପୁର ଗ୍ରାମପଞ୍ଚାୟତ ସଦର ଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଅବସ୍ଥିତ ଲାମ୍ବରୀ ଗ୍ରାମ । ଗାଁ କୁ ରାସ୍ତା ନ ଥିବା ବେଳେ ବିଦ୍ୟୁତ ଆଲୁଅ ଏଠାରେ ସାତ ସପନ ।ଗାଁ ରେ ଖୁଣ୍ଟ ଅଛି କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଉନି ।ଆଜକୁ ପ୍ରାୟ ଦଶ ବର୍ଷ ହେଲା ଗ୍ରାମରେ ବସା ଯାଇ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇ ଯିବା ପରେ ନୂତନ ଟ୍ରାନ୍ସଫର୍ମର ବସା ଯାଉ ନ ଥିବାର ଗ୍ରାମବାସୀ କହିଛନ୍ତି ।ଗତ ଦିନରେ ଗ୍ରାମବାସୀ କିରାସିନିର ଡିବିରି ଆଲୁଅରେ ଚଳୁ ଥିଲେ ।ଏବେ କିରାସିନି ଯୋଗାଣ ବନ୍ଦ ହୋଇ ଯିବା ପରେ ଡିବିରି ଆଲୁଅ ମଧ୍ୟ ପାଇବାରେ କଷ୍ଟକର ହେଉଛି । ଫଳରେ ବଜାରରୁ ମିଳୁଥିବା ସୋଲାର ଟର୍ଚ୍ଚ କିଣି ଆଣି ଜାଳୁଥିବାର ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ଶେଷରେ ଚାନ୍ଦା କରି ଗାଁ ଦାଣ୍ଡରେ ଗୋଟିଏ ସୋଲାରଲାଇଟ ବସାଇ ଥିବାର ଜଣାଯାଇଛି ।ତାହା ମଧ୍ୟ ଚାରୋଟି ସାହି ପାଇଁ ଗୋଟିଏ ମାତ୍ର ସୋଲାର ଲାଇଟ ଥିବାରୁ ଆଲୁଅ ପାଇବାରେ ସମସ୍ୟା ହେଉଛି ।
ପଞ୍ଚାୟତ ସଦର ଠାରୁପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବାଇଗଣଗୁଡ଼ା ପର୍ଯ୍ୟନ୍ତ ପକ୍କା ପିଚୁ ରାସ୍ତା ନିର୍ମାଣ କରାଯାଇଛି ।କିନ୍ତୁ ବାଇଗଣ ଗୁଡ଼ା ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଲାମ୍ବିରୀ,ଗୁମରା ପୁଟ ଭଳି ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗର୍ଭବତୀ, ପିଡୀତା ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପାଇଁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାର ଗ୍ରାମରମଦନ ମାଝୀ, ନିର ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଲାମ୍ବରୀ ଗ୍ରାମରେ ଥିବା୪୬ ପରିବାର ପାଇଁ ଗୋଟିଏ ମାତ୍ର ନଳ କୂପ ରହିଛି ।ସେହିପରି ଗାଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳ କୂପ ଅଚଳ ହୋଇ ପଡିଥିବା ବେଳେ ମରାମତି ପାଇଁ କେହି ଆସୁ ନାହାନ୍ତି।ସେହିପରି ମନରେଗା ଯୋଜନାରେ ଗ୍ରାମର ବହୁ ଜଣକୁ ଜବ କାର୍ଡ଼ ମିଳିଛି ।କିନ୍ତୁ କାମ ଧନ୍ଦା ଅଭାବରୁ ଡଙ୍ଗର ଚାଷ କିମ୍ବା ରାଜ୍ୟ ବାହାରେ ଦାଦନ ଖଟି ଜୀବିକା ନିର୍ବାହ କରୁ ଥିବାର ଜଣାଯାଇଛି ଗ୍ରାମବାସୀ ଙ୍କୁ ତୁରନ୍ତ ପ୍ରଶାସନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସୁବିଧା ଯୋଗାଇ ଦେବା ଦାବି ହେଉଛି ।