ନୂଆଦିଲ୍ଲୀ, ୦୯/୦୨: ଭାରତର ସବୁଠୁ ବଡ଼ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ଲାଗି ପରିବହନ ବିମାନ ନିର୍ମାଣ କରିବ । ଏଥିପାଇଁ ବ୍ରାଜିଲର ଏମ୍ବ୍ରଏର୍ କମ୍ପାନୀ ସହ ମହିନ୍ଦ୍ରା ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଭାରତ ସରକାରଙ୍କ ମଧ୍ୟମ ପରିବହନ ବିମାନ କ୍ରୟ ପ୍ରକଳ୍ପ ଅଧିନରେ କରା ଯାଇଛି ।
ବାୟୁସେନା ପାଇଁ ପରିବହନ ବିମାନ ଭାରତରେ ନିର୍ମାଣ କରାଯିବ । ଏହି ବିମାନର ନାମ ସି-୩୯୦ ମିଲେନିୟମ୍ । ଏହା ଏକ ମଲ୍ଟିମିଶନ ଏୟାରକ୍ରାଫ୍ଟ । ଏହାର ବ୍ଯବହାର ଭାରତୀୟ ବାୟୁସେନା କରିବା ସହ ଅନ୍ୟ ଦେଶକୁ ରପ୍ତାନୀ କରାଗଲେ ଦେଶକୁ ଲାଭ ମିଳିବ । ଏଥିସହ ଦେଶର ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିବ ।
ସି-୩୯୦ ମିଲେନିୟମ୍ ହେଉଛି ମଧ୍ୟମଧରଣର ଏୟାରକ୍ରାଫ୍ଟ । ଯାହା ପ୍ରଥମଥର ଲାଗି ୨୦୧୫ ଫେବ୍ରୁଆରୀ ୩ରେ ବ୍ରାଜିଲରେ ଉଡ଼ାଣ ଭରିଥିଲା । ସେବେଠୁ ଏବେ ଯାଏଁ ୯ଟି ବିମାନ ନିର୍ମାଣ ହୋଇଛି । ଏବେ ଏହି ବିମାନର ବ୍ୟବହାର ବ୍ରାଜିଲ୍, ପର୍ତ୍ତୁଗାଲ୍ ଓ ହଙ୍ଗରୀର ବାୟୁସେନା କରୁଛି ।
ଏହି ପରିବହନ ବିମାନକୁ ୩ ଜଣ ମିଳିତ ଭାବେ ଉଡ଼ାନ୍ତି । ୨ ପାଇଲଟଙ୍କ ସହ ଜଣେ ଲୋଡମାଷ୍ଟର ରୁହନ୍ତି । ଏହା ୨୬ ହଜାର କିଲୋଗ୍ରାମ ଓଜନ ଅଥବା ୮୦ ସୈନିକ ଅବା ୭୪ ଷ୍ଟ୍ରେଚର ଓ ୮ ଆଟାଣ୍ଡାଣ୍ଟ କିମ୍ବା ୬୬ ପାରାଟ୍ରୁପସଙ୍କୁ ନେଇ ଉଡ଼ାଣ ଭରି ପାରିବ । ୧୧୫.୬ ଫୁଟ୍ ଲମ୍ବ ବିମାନର ଉଚ୍ଚତା ୩୮.୧୦ ଫୁଟ୍ ।
ଏହି ବିମାନରେ ଗୋଟିଏ ଥରରେ ୨୩ ହଜାର କିଲୋଗ୍ରାମ ଇନ୍ଧନ ଭର୍ତ୍ତି କରି ହେବ । ଯାହାକି ସମ୍ପୂର୍ଣ୍ଣ ଲୋଡ୍ ସହ ୫୦୨୦ କିଲୋମିଟ ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ଏହା ଘଣ୍ଟାପ୍ରତି ସର୍ବାଧିକ ୯୮୮ କିଲୋମିଟର ବେଗରେ ଯାଇ ପାରିବ । ପ୍ରାୟତଃ ଏହା ଘଣ୍ଟାପ୍ରତି ୮୭୦ କିଲୋମିଟର ବେଗରେ ଉଡ଼ାଣ କରୁଛି ।
ଏହି ବିମାନ ସର୍ବାଧିକ ୩୬ ହଜାର ଫୁଟ୍ ଉଚ୍ଚରେ ଉଡ଼ାଣ ଭରି ପାରିବ । ଏଥିରେ ୩ ହାର୍ଡପଏଣ୍ଟ୍ସ ରହିଛି । ଯାହାକି ପଣ୍ଡ ରକେଟ୍ସ, ଆଇଆର୍ ରାଫେଲ୍ ଓ ଲାଇଟନିଙ୍ଗ ଋ ଅଥବା ଆଇଏଫ୍ଆର୍ କୋବହ୍ୟାମ୍ ୯୦୦ ସିଇ ଅସ୍ତ୍ରଶସ୍ତ୍ର ମୁତୟନ କରି ପାରିବ । ତେବେ ଏହି ବିମାନ ଶତ୍ରୁ ପକ୍ଷଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରି ସୁରକ୍ଷିତ ସ୍ଥାନରେ ଅବତରଣ କରି ପାରିବ ।