ଧର୍ମଶାଳା: ହିମାଚଳ ପ୍ରଦେଶର ରାଜନୀତିରେ ହାଇଡ୍ରାମା ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସର ୬ ଜଣ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇଛି । ବାଚସ୍ପତି କୁଲଦୀପ ସିଂହ ପଠାନିୟା କଂଗ୍ରେସର ଆବେଦନ ଉପରେ ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁ ବିଧାୟକଙ୍କ ସଦସ୍ୟ ରଦ୍ଦ ହୋଇଛି ସେମାନେ ହେଉଛନ୍ତି, ଧର୍ମାଶାଳା ବିଧାୟକ ସୁଧୀର ଶର୍ମା, ସୁଜାନପୁର ବିଧାୟକ ରାଜେନ୍ଦ୍ର ରାଣା, କୁଟଲୈହଡ ବିଧାୟକ ଦେବେନ୍ଦ୍ର ଭୁଟ୍ଟୋ, ଗଗରେଟ ବିଧାୟକ ଚୈତନ୍ୟ ଶର୍ମା, ଲାହୌଲ ସ୍ପିତିର ବିଧାୟକ ରବି ଠାକୁର ଏବଂ ବଡ଼ସର ବିଧାୟକ ଇନ୍ଦ୍ରଦତ୍ତ ଲଖନପାଲ ।
ଦଳବଦଳ ଆଇନ୍ ଅନୁସାରେ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିଛନ୍ତି ବାଚସ୍ପତି । ବିଧାନସଭା ବାଚସ୍ପତି କୁଲଦୀପ ପଠାନିୟା କହିଛନ୍ତି ଯେ, ବିଧାନସଭାରେ ବଜେଟ ପାରିତ ହେଲା ବେଳେ ଏହି ବିଧାୟକମାନେ ଉପସ୍ଥିତ ନଥିଲେ । ସେଥିପାଇଁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଛି । ଏହା ସହ ସେ ଆହୁରି କହିଛନ୍ତି, ଲ’ କମିଶନ ରିପୋର୍ଟ ଅନୁସାରେ ଆୟା ରାମ ଏବଂ ଗୟା ରାମ ରାଜନୀତି ନହେବା ଦରକାର ।
ସୂଚନାଯୋଗ୍ୟ, ଏହି ବିଧାୟକମାନେ ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିଲେ । ସେମାନେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ ଦେଇଥିଲେ । ଆଉ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।